କନକ ବ୍ୟୁରୋ : ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି ରହିଥିବାରୁ ଓଡ଼ିଶା ପାଇଁ ଏହା ଭୟ ବଢ଼ାଇଛି ।
ଅଧିକ ପଢ଼ନ୍ତୁ : ନିପା ଭାଇରସ୍ ସଂକ୍ରମଣ ନେଇ ପଶ୍ଚିମବଙ୍ଗରେ ଆତଙ୍କ
ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ନିପା ଭୂତାଣୁ ଚିହ୍ନଟ ହୋଇନାହାନ୍ତି । କୋଭିଡ୍ ପରିସ୍ଥିତିରେ ଅନ୍ୟ ରାଜ୍ୟ ଓ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଜରିଆରେ ଯେଉଁଭଳି ସଂକ୍ରମଣ ବ୍ୟାପିଥିଲା ତାହାର ଭୟ ଏବେ ବି ମନରୁ ଯାଇନାହିଁ । ପଶୁ, ସଂକ୍ରମିତ ଖାଦ୍ୟ କିମ୍ବା ସିଧାସଳଖ ମଣିଷକୁ ନିପା ଭୂତାଣୁ ବ୍ୟାପିଥାଏ । ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ । ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର ସହ ମୁଣ୍ଡବିନ୍ଧା, ଗଳା ଦରଜ, ଡାଇରିଆ, ବାନ୍ତି, ମାଂସପେଶୀରେ ଯନ୍ତ୍ରଣା ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ । ଗୁରୁତର ଆକ୍ରାନ୍ତ ବ୍ୟକ୍ତି କୋମାକୁ ଚାଲିଯିବାର ଆଶଙ୍କା ରହିଛି । ତେଣୁ ନିୟମିତ ହାତ ଧୋଇବା ସହ ସଂକ୍ରମିତ ଘୁଷୁରି ଓ ବାଦୁଡ଼ିଙ୍କଠାରୁ ଦୂରେଇ ରହିବା ଆବଶ୍ୟକ ।
ପଶ୍ଚିମବଙ୍ଗରେ ନିପା ଭାଇରସ୍ର ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟକୁ ବୈଷୟିକ, ଲଜିଷ୍ଟିକ୍ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି । ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ସଂକ୍ରମଣ ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରାଯାଇଛି । ରାଜ୍ୟ ସରକାରଙ୍କୁ କଣ୍ଟାକ୍ଟ ଟ୍ରେସିଂ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ପଦକ୍ଷେପ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/14/nipah-virus-2026-01-14-08-35-53.jpg)