କନକ ବ୍ୟୁରୋ : ଅରବିନ୍ଦ ଓ ସନାତନଙ୍କୁ ନିଲମ୍ବନ କରିବା ଯେତିକି ଆଶ୍ଚର୍ଯ୍ୟଜନକ। ନିଲମ୍ବନ ପଛର ଦର୍ଶାଯାଇଥିବା କାରଣକୁ ନେଇ ବିଜେଡି ଶିବିରରେ ହଟଚମଟ। ପ୍ରଥମ ଥର ବିଧାୟକ ହୋଇଥିବା ଅରବିନ୍ଦ ଦେଢ ବର୍ଷରେ କଣ ଏମିତି ଦୁର୍ନୀତି ଓ ବିଶ୍ବାସଘାତକତା କଲେ ଯେ, ନବୀନଙ୍କ ପାଇଁ ଅସହ୍ୟ ହେଲା। ହେଲେ ବିଜେଡି ରାଜନୀତିକୁ ଅତି ପାଖରୁ ଦେଖିଥିବା ବିଜୟ, ପୁଅ ଅରବିନ୍ଦଙ୍କ ନିଲମ୍ବନ ପଛରେ ବାରିଛନ୍ତି ଚକ୍ରାନ୍ତର ଗନ୍ଧ ।
ଅଧିକ ପଢ଼ନ୍ତୁ : ପୁଣି ଚର୍ଚ୍ଚାରେ ୨୬ ବର୍ଷ ତଳର ଓଡ଼ିଶା ରାଜନୀତି; ଯେବେ ବିଜୟଙ୍କୁ ବିଜେଡିରୁ ବିଦା କରିଥିଲେ ନବୀନ
ଦୁର୍ନୀତିଗ୍ରସ୍ତ, ବିଶ୍ବାସଘାତକ । ଦଳୀୟ ପ୍ରେସ ରିଲିଜ ଏବଂ ନେତାଙ୍କ ମୁହଁରେ ଏମିତି ଆଖ୍ୟା ଦେଇ ଏକାସାଙ୍ଗରେ ଦୁଇ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଲମ୍ବିତ ପାଟକୁରା ବିଧାୟକ ଦଳପତିଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଦଳବିରୋଧୀ ଓ ବିଶ୍ବାସଘାତକତାର ପ୍ରମାଣ ନବୀନଙ୍କୁ ମାଗିଛନ୍ତି ଅରବିନ୍ଦ। ନିଲମ୍ବନ ପରେ ନିର୍ବାଚନମଣ୍ଡଳୀକୁ ଯାଇ ଦେଖାଇଛନ୍ତି ଲୋକପ୍ରିୟତାର ପ୍ରମାଣ। ଅନ୍ୟପଟେ ଦଳୀୟ ବିଧାୟକ କହିଛନ୍ତି, ନିଲମ୍ବିତ ବିଧାୟକ ସନା ମହାକୁଡ଼ ବୈଠକରେ ରୁହନ୍ତି ଓ ସହଯୋଗ କରନ୍ତି। ସଭାପତି କାହିଁକି ନିଲମ୍ବନ କଲେ ଆମେ ଜାଣିନୁ?
ଅଧିକ ପଢ଼ନ୍ତୁ : ବିଜେଡିରେ ତେଜିଲା ଘର କଳି: ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ
ଏବେ ବି ରହସ୍ୟ ଘେରରେ ଅରବିନ୍ଦଙ୍କ ନିଲମ୍ବନ ନିଷ୍ପତ୍ତି। ଦଳବିରୋଧୀ କିମ୍ବା ବିଶ୍ବାସଘାତକତାର ପ୍ରମାଣ ଦେଇପାରିନି ବିଜେଡି। ହେଲେ ଚର୍ଚ୍ଚା ହେଉଛି, ଓଡ଼ିଶା ସାରା ବୁଲି ବିଜୟ ବିଭିନ୍ନ ନେତାଙ୍କୁ ଭେଟିବା ଅରବିନ୍ଦଙ୍କୁ ଅଡୁଆରେ ପକାଇଛି। ପ୍ରଚ୍ଛଦପଟରେ ରହି ନୂଆ ଦଳ ଗଠନକୁ ବିଜୟ ବଳ ଦେଉଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଥିଲା। ଆଗୁଆ ବିପଦର ବାସ୍ନା ବାରି, ବିଜୟଙ୍କୁ ଚେକ୍ ଦେବାକୁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ଏସବୁ ଭିତରେ ମୁହଁ ଖୋଲିଛନ୍ତି ବିଜୟ। ସିଧାସିଧା କହିଛନ୍ତି, ନିଲମ୍ବନ ପଛରେ ବଡ଼ ଚକ୍ରାନ୍ତ ରହିଛି। ୨୦୨୬ରେ ବହୁତ କିଛି ହେବ। ୨୬ ବର୍ଷ ତଳେ ବିଜୟ ମହାପାତ୍ରଙ୍କୁ ମଧ୍ୟ ସମାନ ଢଙ୍ଗରେ ଦଳରୁ ବିଦା କରିଥିଲେ ନବୀନ । ଏବେ ପୁଣିଥରେ ଇତିହାସକୁ ଦୋହରାଇଛନ୍ତି ବିଜେଡି ସୁପ୍ରିମୋ।
Follow Us