କନକ ବ୍ୟୁରୋ : ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ବର୍ଷ ଧରି ଲାଗି ରହିଛି ଦୁଇ ରାଜ୍ୟ ମଧ୍ୟରେ ବିବାଦ ।  ବଦଳିଲେ ସରକାର କିନ୍ତୁ ବଦଳିନି କୋଟିଆ ।  ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର, ତଥାପି ସମାଧାନ ହୋଇପାରିନି କୋଟିଆ ବିବାଦ ।  ଦିନକୁ ଦିନ ବଢ଼ିବାରେ ଲାଗୁଛି ଅନୁପ୍ରବେଶ । ଅନୁପ୍ରବେଶ ସାଙ୍ଗକୁ ଦାଦାଗିରି କରି ଲୋକଙ୍କ ପାଖରେ ପହଞ୍ଚିବା ଚେଷ୍ଟା ଜାରି ରଖିଛି ପଡ଼ୋଶୀ ଆନ୍ଧ୍ର ।

Advertisment

ଅଧିକ ପଢନ୍ତୁ..... ସରିଲା ଅପେକ୍ଷା, ଆଜି ବାରବାଟୀରେ ବଡ଼ ଲଢ଼େଇ

ମାମଲା ହାଇକୋର୍ଟରେ ଅଛି, କିନ୍ତୁ ତୁଟୁନି ବିବାଦ । ରାଜ୍ୟ ସରକାର ବିବାଦ ସମାଧାନ ନିମନ୍ତେ ବିଭିନ୍ନ କମିଟି ଗଠନ କରିଥିଲେ ।  କୋଟିଆ ଗସ୍ତରେ ମାଳ ମାଳ ଶାସକ ଦଳର ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଗସ୍ତ କରି କୋଟିଆ ଓଡ଼ିଶାର ଓ ଓଡ଼ିଶାରେ ହିଁ ରହିବ ବୋଲି କହିଲେ  ।  ଏପରିକି ଏଠାରୁ ମୁଠାଏ ମାଟି ଆନ୍ଧ୍ରକୁ ଦିଆଯିବ ନାହିଁ ବୋଲି ବିଭିନ୍ନ ସମୟରେ କୁହାଯାଉଛି ।

କିନ୍ତୁ ବାସ୍ତବ ଚିତ୍ରକୁ ଦେଖିଲେ କେବଳ ଯେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ନେତା ମନ୍ତ୍ରୀ ହୁଅନ୍ତୁ କି ପ୍ରଶାସନ ଚେଇଁ ଉଠୁଛି  ।  ଅନୁପ୍ରବେଶ କରି ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ରମ ସାରିସାରିବା ପରେ ଆମ ପ୍ରଶାସନ ପହଞ୍ଚୁଛି । ସୂଚନା ଅନୁସାରେ, ଆନ୍ଧ୍ର ପକ୍ଷରୁ ବିବାଦୀୟ ୨୧ ଖଣ୍ଡ ଗାଁ ଗୁଡ଼ିକରେ ପ୍ରତ୍ୟେକ ୨୦ ଘରକୁ ଗୋଟିଏ ଗୋଟିଏ ଏଜେଣ୍ଟ ନିଯୁକ୍ତି ଦିଆଯାଇଛି । ଏଜେଣ୍ଟଙ୍କ କାମ ହେଲା, ୨୦ଟି ପରିବାର ପାଖରେ କିପରି ଆନ୍ଧ୍ର ଯୋଜନା ପହଞ୍ଚିବ ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେମାନେ ବୁଝିବେ ।  

ଏଜେଣ୍ଟ ମାନେ ଏତେ ସକ୍ରିୟ ଅଛନ୍ତି ଯେ ଅତି ସହଜରେ ଆନ୍ଧ୍ର ଅଧିକାରୀ ମାନେ ଅନୁପ୍ରବେଶ କରିବା ପାଇଁ ସକ୍ଷମ ହୋଇପାରିଛନ୍ତି । ସୂଚନା ଅନୁଯାୟୀ, କୋଟିଆ ଗ୍ରାମପୁଞ୍ଜର ସୀମାନ୍ତ ପାଟୁସିନେରୀ ଗାଁରେ ନିକଟବର୍ତ୍ତୀ ରହିଥିବା ଫଗୁଣସିନେରୀ, ହରମାଣ୍ଡାଙ୍ଗି, ମାଡ଼କାର, ମହିପାଣି ଭଳି ସାତଖଣ୍ଡ ଗ୍ରାମବାସୀଙ୍କୁ ଏକତ୍ରିତ କରି ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରିବା ପାଇଁ ଉସୁକାଇଥିଲେ ।  ଏବଂ ଆନ୍ଧ୍ର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଦିନ ତଳେ ଲଗାଯାଇଥିବା ନାମଫଳକ ବୋର୍ଡ ଗୁଡିକୁ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଥିଲା । ତେଣୁ ରାଜ୍ୟ ସରକାର ଏହାକୁ ଯଦିଓ ଗୁରୁତର ସହିତ ନେଇ ସମାଧାନ ନ କଲେ, ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି ।