କନକ ବ୍ୟୁରୋ : କୋଇଡ଼ା... ସୁନ୍ଦରଗଡ଼ ଜିଲ୍ଲାର ଏକ ଖଣି ଅଞ୍ଚଳ । ଏଠାକାର ଖଣିରୁ କୋଟି କୋଟି ଟଙ୍କାର ରାଜସ୍ବ ପାଉଛି ଓଡ଼ିଶା । ହେଲେ ସ୍ଥାନୀୟ ଲୋକଙ୍କ ଅବସ୍ଥା ଦୀପ ତଳ ଅନ୍ଧାର ଭଳି । ଖଣିରୁ ସରକାରଙ୍କୁ ମିଳୁଛି ପୁଳାପୁଳା ଟଙ୍କା । ହେଲେ ଖଣି ବାହାରେ ମେଞ୍ଚାମେଞ୍ଚା ଯନ୍ତ୍ରଣାରେ ଛଟପଟ ହେଉଛି ମଣିଷ । ଖଣି ଖୋଳାଯାଏ ବିକାଶ ପାଇଁ , ଖଣି ଖୋଳିଲେ ଅଞ୍ଚଳ ଆଗକୁ ବଢ଼ିବ। ରାଜସ୍ବ ବଳରେ ରାଜ୍ୟ ତଥା ରାଷ୍ଟ୍ରର ବିକାଶ ହେବ । ସେଥିପାଇଁ ସରକାର ପ୍ରକୃତି କୋଳରେ ଥିବା ପାହାଡ଼ ପର୍ବତ, ଘଞ୍ଚ ଜଙ୍ଗଲ, ନଦୀ ନାଳ, ପଶୁ ପକ୍ଷୀ ସମସ୍ତଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣିକୁ ଅନୁମତି ପ୍ରଦାନ କରିଥାନ୍ତି । ହଁ..ଖଣି ଖନନ ହେଲେ ପାଣି, ପବନ, ପରିବେଶ ନଷ୍ଟ ହେବା ସ୍ଵାଭାବିକ । କିନ୍ତୁ ଖଣି କୋଳରେ ଥିବା ଗାଁ ଗୁଡ଼ିକର ଦୁର୍ଦ୍ଦଶା ଯେ କେତେ ବଢ଼ିଯାଏ, ସେ କଥା କିନ୍ତୁ କେବେ କେହି ଆଲୋଚନା କରନ୍ତିନି ।
ଅଧିକ ପଢ଼ନ୍ତୁ--କୋଇଡ଼ା ଖଣି ଅଞ୍ଚଳର ଶିଶୁଙ୍କ ଦୁଃଖ ବୁଝିବ କିଏ ? ଦୋଷ ଝାଡ଼ିଦେଲେ ମନ୍ତ୍ରୀ ଓ ଅଧିକାରୀ
ମନ୍ତ୍ରୀ ଆଉ ଅଧିକାରୀମାନେ ଏସି ରୁମରେ ବସି ଅନୁମାନ କରନ୍ତି କି ଖଣି ଅଞ୍ଚଳ ମାନେ ବିପୁଳ ଟଙ୍କା ଏବଂ ଟଙ୍କାରେ ବଳିଆନ ହେଉଥିବେ ଖଣି ଅଞ୍ଚଳବାସୀ । ହେଲେ ପ୍ରକୃତରେ ମାଟି ତଳେ ଯେତେ ପ୍ରାଚୁର୍ଯ୍ୟ, ମାଟି ଉପରେ ସେତିକି ଯନ୍ତ୍ରଣା । ଯାହାକୁ ଦେଖିଲେ ଛାତି ଥରି ଉଠୁଛି । କୋଇଡ଼ାର ଖଣିରୁ ବାର୍ଷିକ ୧୫ ହଜାର କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର । ଏତେ ଟଙ୍କା ଦେଉଥିବା କୋଇଡ଼ାରେ ବିକାଶ କିନ୍ତୁ ଏବେ ଆକ୍ତାମାକ୍ତା । ଜିଲ୍ଲା ଖଣିଜ ପାଣ୍ଠି ନେଇ ସରକାର ରଙ୍ଗିନ ସ୍ୱପ୍ନ ଦେଖାଉଛନ୍ତି । ଚିକ୍ ମିକ୍ ଦୁନିଆର ଆଇନା ଧରାଉଛନ୍ତି । କିନ୍ତୁ ସରକାରଙ୍କ ଫାଇଲ ଓ ବାସ୍ତବତା ମଧ୍ୟରେ ଦୂରତା ଯୋଜନ ଯୋଜନ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଖଣି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସହ ନଗଡ଼ାରୁ ଆହୁରି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । ଏଠି ଜୀବନ ଜିଇଁବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି ଏଠାକାର ଅଧିବାସୀ । ଲାଗୁଛି ଯେମିତି ଏମାନଙ୍କୁ ପର କରିଦେଇଛି ପ୍ରଶାସନ, ପର କରିଦେଇଛି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/16/koida-2025-12-16-17-02-57.jpg)