Trump Social Media Post Photograph: (Kanak news)
କନକ ବ୍ୟୁରୋ : ଦୁଇ ସପ୍ତାହରୁ ଅଧିକ ସମୟ ଧରି ଇରାନରେ ଅସ୍ଥିରତା ଲାଗି ରହିଛି । ଖେମିନିଙ୍କ ବିରୋଧରେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେହରାନରେ ଆନ୍ଦୋଳନକାରୀଙ୍କ ରାଗ ଚରମସୀମାରେ ରହିଛି । ଏସବୁ ଉପରେ ହ୍ୱାଇଟ୍ ହାଉସ୍ ନଜର ରଖିଛି । ଟ୍ରମ୍ପ ବାରମ୍ବାର ଇରାନକୁ ନେଇ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇ ଆସୁଛନ୍ତି । ହେଲେ ବର୍ତ୍ତମାନ ଟ୍ରମ୍ପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇରାନ ବିରୋଧ ପ୍ରଦର୍ଶନ ମଧ୍ୟରେ ଆମେରିକା ପରିସ୍ଥିତି ଉପରେ କଠୋର ନଜର ରଖିଛି । ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ଟ୍ରମ୍ପ ତାଙ୍କ ‘ଟ୍ରୁଥ୍ ସୋସିଆଲ’ ପ୍ଲାଟଫର୍ମରେ ଏକ ପୁରୁଣା ଶୈଳୀର କଳା-ଧଳା ଫଟୋ ସେୟାର କରିଛନ୍ତି । ଫଟୋରେ ସେ ହ୍ୱାଇଟ୍ ହାଉସ ଉପରେ ଦଣ୍ଡାୟମାନ ଦେଖାଯାଉଛନ୍ତି । ଏହାର କ୍ୟାପସନରେ କେବଳ ଗୋଟିଏ ଶବ୍ଦ “Soon” ବା ଶୀଘ୍ର ଲେଖାଅଛି ।
ଅଧିକ ପଢ଼ନ୍ତୁ---ଭେନେଜୁଏଲାରେ ନିବେଶ କରିବାକୁ ନାରାଜ ; ତେଲ କମ୍ପାନି ସିଇଓ ଉପରେ ରାଗିଲେ ଟ୍ରମ୍ପ
ଫଟୋର ଉଦ୍ଦେଶ୍ୟ ସମ୍ପର୍କରେ ଟ୍ରମ୍ପ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ସେପଟେ ସୋସିଆଲ ମିଡିଆରେ ନାନା ପ୍ରକାର ଅନୁମାନ ଆକଳନ ଆରମ୍ଭ ହେଲାଣି । ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ନେତା ଓ ‘ଆମେରିକା ଫାର୍ଷ୍ଟ’ ସମର୍ଥକମାନେ ଏହାକୁ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣର ସଙ୍କେତ ଭାବେ ପୂର୍ବାନୁମାନ କରୁଛନ୍ତି । କେତେକ ସୋସିଆଲ ମିଡିଆ ୟୁଜର୍ସ ଏହି ପୋଷ୍ଟକୁ ଇରାନ ସହିତ ଭେନେଜୁଏଲା ଓ ଗ୍ରିନ୍ଲାଣ୍ଡ ସମ୍ପର୍କିତ ଏକ ବଡ଼ ଘୋଷଣା ସହିତ ଯୋଡୁଥିବାବେଳେ, ଅନ୍ୟମାନେ ଏହାକୁ ଆମେରିକାରେ ଇମିଗ୍ରେସନ ଏବଂ କଷ୍ଟମ୍ସ ପ୍ରବର୍ତ୍ତନ ବିରୋଧୀ ପ୍ରତିବାଦ ସହିତ ସଂପୃକ୍ତ ବୋଲି ମନେ କରୁଛନ୍ତି । ତଥାପି ସବୁଠାରୁ ଅଧିକ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି, ଇରାନ ଉପରେ ଆକ୍ରମଣ ଆଶଙ୍କା ।
ସେପଟେ ଇରାନରେ ବିରୋଧ ପ୍ରଦର୍ଶନ ତୃତୀୟ ସପ୍ତାହରେ ପହଞ୍ଚିଛି । ଆମେରିକାର ଏକ ମାନବାଧିକାର କର୍ମୀ ସଂଗଠନ ଅନୁସାରେ, ପ୍ରତିବାଦ ସମୟରେ ଏପର୍ଯ୍ୟନ୍ତ ୫୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦,୬୭୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଖବର ପ୍ରସାର ରୋକିବା ପାଇଁ ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାର ଦେଶରେ ଇଣ୍ଟରନେଟ୍ ଓ ଫୋନ୍ ସେବା ବନ୍ଦ କରିଛି । ଇରାନରେ ପ୍ରତିବାଦ ଆରମ୍ଭ ହେବା ପରଠୁ ଡୋନାଲ୍ଡ ଟ୍ରମ୍ପ ଲଗାତାର ଆକ୍ରମଣାତ୍ମକ ମନ୍ତବ୍ୟ ଦେଇଆସୁଛନ୍ତି । ସେ କହିଛନ୍ତି ଯେ, ଏହି ପ୍ରତିବାଦ ସ୍ୱାଧୀନତା ପାଇଁ ଲଢ଼େଇ ଏବଂ ଆମେରିକା ପ୍ରତିବାଦକାରୀଙ୍କ ସହ ଅଛି । ପ୍ରତିବାଦ ଦମନ ଜାରି ରହିଲେ ଯେକୌଣସି ସମୟରେ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସେ ଲଗାତାର ଚେତାବନୀ ଦେଉଛନ୍ତି । ଏହାରି ଭିତରେ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ କେଉଁ ଆଡ଼କୁ ଇଙ୍ଗିତ କରୁଛି ତାହାକୁ ନେଇ ଚର୍ଚ୍ଚା ଲାଗିଛି ।
Follow Us