Donald trump Photograph: (KanakNews)
କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି । ସେ କହିଛନ୍ତି, ଗ୍ରିନ୍ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ । କିନ୍ତୁ କହିଥିଲେ ଯେ ଆମେରିକା ପାଖରେ ଶକ୍ତି ଥିଲେ ମଧ୍ୟ ଡେନମାର୍କଠାରୁ ଆର୍କଟିକ ଦ୍ୱୀପକୁ ଛଡ଼ାଇ ନେବା ପାଇଁ ଏହାର ବ୍ୟବହାର କରିବ ନାହିଁ । ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ ।
ଯୁକ୍ତରାଷ୍ଟ୍ର ହିଁ ବିଶାଳ ବରଫ ଖଣ୍ଡକୁ ସୁରକ୍ଷା ଦେଇପାରିବ
ଗ୍ରିନ୍ଲାଣ୍ଡକୁ ଦଖଲ କରିବା ଜାତୀୟ ଓ ଆନ୍ତର୍ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ । ଏକମାତ୍ର ଯୁକ୍ତରାଷ୍ଟ୍ର ହିଁ ଏହି ବିଶାଳ ଭୂମିକୁ ତଥା ବରଫ ଖଣ୍ଡକୁ ସୁରକ୍ଷା ଦେଇପାରିବ । ସେଥିପାଇଁ ମୁଁ ପୁଣି ଥରେ ଆମେରିକା ଦ୍ୱାରା ଗ୍ରିନ୍ଲାଣ୍ଡ ଅଧିଗ୍ରହଣ ବିଷୟରେ ଆଲୋଚନା କରିବା ପାଇଁ ତୁରନ୍ତ ଆଲୋଚନା ଚାହୁଁଛି । ଡେନମାର୍କ ପାଖରେ ଏକ ବିକଳ୍ପ ଅଛି । ସେ ହଁ କହିଲେ ଆମେ କୃତଜ୍ଞ ହେବୁ । କିମ୍ବା ସେ ନା କହିଲେ, ଆମେ ଏହାକୁ ମନେ ରଖିବୁ । ଏକ ଶକ୍ତିଶାଳୀ ଓ ସୁରକ୍ଷିତ ଆମେରିକାର ଅର୍ଥ ହେଉଛି ଏକ ଶକ୍ତିଶାଳୀ ନାଟୋ ।
ଅଧିକ ପଢନ୍ତୁ : ଭେନେଜୁଏଲାର ପ୍ରେମରେ ଉବୁଟୁବୁ ଟ୍ରମ୍ପ : କଲେ ବଡ଼ ଘୋଷଣା
ଡେନମାର୍କ ବିରୋଧରେ ସମାରିକ ଧମକକୁ ଅସ୍ବୀକାର
ଟ୍ରମ୍ପ ନାଟୋ ସଦସ୍ୟ ଡେନମାର୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକକୁ ଅସ୍ୱୀକାର କରିଛନ୍ତି । ସେ ପୂର୍ବରୁ ଡେନମାର୍କକୁ କୃତଘ୍ନ କହିବା ସହ ଟ୍ରାନ୍ସଆଟଲାଣ୍ଟିକ୍ ମେଣ୍ଟକୁ ଭାଙ୍ଗିବା ପାଇଁ ଧମକ ଦେଇଥିଲେ । ମାତ୍ର ଡାଭୋସରେ ନିଜ ଆଚରଣ ନେଇ ସବୁବେଳେ ଅନିଶ୍ଚିତ ଥିବା ଟ୍ରମ୍ପ ଏପରି କହି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ବଳ ପ୍ରୟୋଗ ନକଲେ ଆମେ ସମ୍ଭବତଃ କିଛି ପାଇବୁ ନାହିଁ। କିନ୍ତୁ ମୁଁ ତାହା କରିବି ନାହିଁ । ସମ୍ଭବତଃ ଏହା ମୁଁ ଦେଇଥିବା ସବୁଠାରୁ ବଡ଼ ବିବୃତି। ମୋତେ ବଳ ପ୍ରୟୋଗ କରିବାକୁ ପଡ଼ିବ ନାହିଁ। ମୁଁ ବଳ ପ୍ରୟୋଗ କରିବାକୁ ଚାହୁଁନାହିଁ। ମୁଁ ବଳ ପ୍ରୟୋଗ କରିବି ନାହିଁ ମଧ୍ୟ ବୋଲି ଟ୍ରମ୍ପ କହିଛନ୍ତି ।
ପଛକୁ ହଟିଲେ ଟ୍ରମ୍ପ
ଟ୍ରମ୍ପ ଗ୍ରିନ୍ଲାଣ୍ଡ ଠାରୁ ଆରମ୍ଭ କରି ଶୁଳ୍କ ଓ ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୟୁରୋପକୁ ସମାଲୋଚନା କରି କହିଥିଲେ ଯେ ଏହା ଠିକ୍ ଦିଗରେ ଗତି କରୁନାହିଁ । ତେବେ ଗ୍ରିନ୍ଲାଣ୍ଡକୁ ନେଇ ରାତାରାତି ଟ୍ରମ୍ପଙ୍କ ଆଭିମୁଖ୍ୟ କିପରି ବଦଳିଗଲା ଓ ସେ ବଳ ପ୍ରୟୋଗ କରିବା ନେଇ ପଛକୁ ହଟିଲେ ତାହାକୁ ନେଇ ପ୍ରଶ୍ନବାଚୀ ଉଠିବାରେ ଲାଗିଛି। ଟ୍ରମ୍ପଙ୍କ ମନ୍ତବ୍ୟରୁ ବାଘର ଫାଗକୁ ଭୟ ସଙ୍କେତ ମିଳୁଥିବା କୁହାଯାଉଛି । ତାଙ୍କ ବିରୋଧରେ ବୃଦ୍ଧି ପାଉଥିବା ଅସନ୍ତୋଷ ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।
Follow Us