କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଦେଖିଲେ ଲାଗୁଛି ଆମେରିକା ଯେକୌଣସି ସମୟରେ ଗ୍ରିନଲ୍ୟାଣ୍ଡ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ଗ୍ରିନ୍‌ଲ୍ୟାଣ୍ଡକୁ ଜବରଦସ୍ତି ଆମେରିକା ସହ ମିଶାଇବାକୁ ପ୍ଲାନ୍‌ ହେଲାଣି । ଟ୍ରମ୍ପଙ୍କ ଏହି ଜିଦ୍‌କୁ ଆଇନଗତ ରୂପ ଦେବା ପାଇଁ କସରତ ମଧ୍ୟ ଆରମ୍ଭ ହୋଇଛି । ଟ୍ରମ୍ପଙ୍କ ଦଳ ରିପବ୍ଲିକାନର ସାଂସଦ ଆନୁଷ୍ଠାନିକ ଭାବେ 'ଗ୍ରିନଲ୍ୟାଣ୍ଡ ଆନେକ୍ସେସନ୍ ଆଣ୍ଡ ଷ୍ଟେଟହୁଡ୍ ଆକ୍ଟ' ଆଗତ କରିଛନ୍ତି । ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ଟ୍ରମ୍ପ ସରକାରଙ୍କୁ ଗ୍ରିନଲ୍ୟାଣ୍ଡ ଦଖଲ କରିବା । ଯାହାକି ଶେଷରେ ଏହାକୁ ଏକ ଆମେରିକୀୟ ରାଜ୍ୟର ମାନ୍ୟତା ଦେବା ପାଇଁ ଆଇନଗତ ଅଧିକାର ପ୍ରଦାନ କରିବା ।

Advertisment

ରିପବ୍ଲିକାନ ପାର୍ଟିର ସାଂସଦ ସୋମବାର ଏକ୍ସ (X) ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, "ବଡ଼ ଖବର! ଆଜି, ମୁଁ ‘ଗ୍ରିନଲ୍ୟାଣ୍ଡ ଆନେକ୍ସେସନ୍ ଆଣ୍ଡ ଷ୍ଟେଟହୁଡ୍ ଆକ୍ଟ’ ନାମକ ଏକ ବିଲ୍ ଆଗତ କରି ଗର୍ବ ଅନୁଭବ କରୁଛି, ଯାହା ରାଷ୍ଟ୍ରପତିଙ୍କୁ ଗ୍ରିନଲ୍ୟାଣ୍ଡକୁ ଆମେରିକୀୟ ସଂଘରେ ସାମିଲ କରିବା ପାଇଁ ଆବଶ୍ୟକୀୟ ଉପାୟ ଖୋଜିବାକୁ ଅନୁମତି ଦେବ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାର "ବିରୋଧୀ" ମାନେ ଆର୍କଟିକରେ ନିଜର ଆସ୍ଥାନ ଜମାଇବାକୁ  ଚେଷ୍ଟା କରୁଛନ୍ତି ଏବଂ "ଆମେ ଏହା ହେବାକୁ ଦେଇପାରିବା ନାହିଁ ।"

ଆହୁରି ପଢ଼ନ୍ତୁ : ଜାନୁଆରି ୨୦ରେ ନିତିନ ନବୀନଙ୍କ ହେଇପାରନ୍ତି ରାଷ୍ଟ୍ରୀୟ ସଭାପତି: ବଡ଼ ଆୟୋଜନ ପ୍ଲାନ୍ କରୁଛି ବିଜେପି

ଆମେରିକାର ସାଂସଦ ଦାବି କରିଛନ୍ତି ଯେ, ଆର୍କଟିକ ଅଞ୍ଚଳରେ ଚୀନ ଏବଂ ଋଷର ପ୍ରଭାବକୁ ପ୍ରତିହତ କରିବା ପାଇଁ ଗ୍ରିନଲ୍ୟାଣ୍ଡ ଦଖଲ କରିବା ଅତ୍ୟନ୍ତ ଜରୁରୀ । ଟ୍ରମ୍ପଙ୍କ ସାଂସଦ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହା ସ୍ପଷ୍ଟ କରିଛନ୍ତି ଯେ ୱାଶିଂଟନକୁ "ଗ୍ରିନଲ୍ୟାଣ୍ଡ ଅଧିଗ୍ରହଣ କରି ଆମେରିକାର ପ୍ରଭୁତ୍ୱ ପୁନଃସ୍ଥାପିତ କରିବାକୁ ହେବ ।"

ତେବେ ଟ୍ରମ୍ପଙ୍କ ବିସ୍ତାରବାଦୀ ଚିନ୍ତାଧାରା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି । ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇ ନେବାପରେ ସେଠାରେ ଥିବା ଅଶୋଧିତ ତୈଳ ଉପରେ ଅଧିକାର ଜମାଇଛନ୍ତି । ପରେ କଲମ୍ୱିଆକୁ ଧମକ ବି ଦେଇ ସାରିଲେଣି । ସେପଟେ  ଇରାନରେ ଲାଗି ରହିଥିବା ଅସ୍ଥିରତା ଉପରେ ନଜର ରଖିଛନ୍ତି ଟ୍ରମ୍ପ । ଖେମିନି ସରକାରଙ୍କ ବିରୋଧରେ ଜନତା ଏଠାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜୋରଦାର ବିରୋଧ ପ୍ରଦର୍ଶନ ହେଉଛି । ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ସବୁ ସମ୍ଭବ ଚେଷ୍ଟା କରୁଛି ସେନା । ଏକ ରିପୋର୍ଟ, ମୁତାବକ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଇରାନ ସେନା ସୀମା ଟପିଲେ ଆମେରିକା ହସ୍ତକ୍ଷେପ କରିବ ବୋଲି କହି ସାରିଛନ୍ତି ଟ୍ରମ୍ପ ।

ଟ୍ରମ୍ପ ଇରାନରେ ପଶିଲେ ଏହି ସୁଯୋଗ ହାତଛଡ଼ା କରିବନି ଇସ୍ରାଏଲ । କାରଣ ଇସ୍ରାଏଲ ଓ ଇରାନ ସମ୍ପର୍କ କାହାକୁ ଆଉ ଅଜଣା ନାହିଁ । ଏଭଳି ଭାବରେ ଏହିଠାରୁ ହିଁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।