କନକ ବ୍ୟୁରୋ: ଜାନୁଆରି ୨୦ ତାରିଖରେ ବିଜେପିର ଜାତୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଦଳର ପୂର୍ଣ୍ଣକାଳୀନ ସଭାପତି ହୋଇଯିବେ। ଏଥିପାଇଁ ବିଜେପି ଏବେଠୁ ଏକ ବଡ଼ କାର୍ଯ୍ୟକ୍ରମର ଆଯୋଜନ କରିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହାବ୍ୟତୀତ ସମସ୍ତ କ୍ୟାବିନେଟ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ତାଙ୍କ ସହିତ ଅନେକ ରାଜ୍ୟର ରାଜ୍ୟ ସଭାପତି ମଧ୍ୟ ଦିଲ୍ଲୀରେ ରହିବେ। ବିଜେପିର ଶୀର୍ଷ ନେତୃତ୍ୱ ଚାହାଁନ୍ତି ନିତିନ ନବୀନଙ୍କ ପାଇଁ କରାଯାଉଥିବା ଏହି କାର୍ଯ୍ୟକ୍ରମ ଦୀର୍ଘ ଦିନ ପାଇଁ ମନେରହୁ । ଆଉ ଦଳର ସଭାପତି ଭାବରେ ତାଙ୍କର ବିଶ୍ୱସନୀୟତା ପ୍ରତିଷ୍ଠିତ ହେଉ । 

Advertisment

ଅନ୍ୟପଟେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିତିନ ନବୀନ ଏକାକୀ ରାଷ୍ଟ୍ରୀୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ । ସେ ଜାନୁଆରି ୧୮ କିମ୍ବା ୧୯ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ଆଶା କରାଯାଉଛି। ତା'ପରେ ତାଙ୍କର ନିର୍ବାଚନ ଘୋଷଣା କରାଯିବ ଏବଂ ସେ ଦାୟିତ୍ୱ ଗ୍ରହଣ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ରହିବେ।

ଆହୁରି ପଢ଼ନ୍ତୁ : ଜମ୍ମୁ -କାଶ୍ମୀରର ଶକ୍ସଗାମ ଘାଟିକୁ ନିଜର କହିଲା ଚୀନ୍

ନିତିନ ନବୀନଙ୍କ ଏହି ଦାୟିତ୍ୱ ଗ୍ରହଣ ସହିତ କେନ୍ଦ୍ର କ୍ୟାବିନେଟରେ ମଧ୍ୟ କିଛିଟା ପରିବର୍ତ୍ତନ ଦେଖାଯାଇପାରେ। କାରଣ ପଙ୍କଜ ଚୌଧୁରୀ ବର୍ତ୍ତମାନ ଉତ୍ତର ପ୍ରଦେଶର ରାଜ୍ୟ ସଭାପତି ହୋଇଛନ୍ତି । ସେ ମୋଦୀ କ୍ୟାବିନେଟରେ ମଧ୍ୟ ମନ୍ତ୍ରୀ ଅଛନ୍ତି । ତେଣୁ ତାଙ୍କ ଜାଗାରେ କୌଣସି ନୂଆ ମନ୍ତ୍ରୀଙ୍କୁ ମୋଦୀ କ୍ୟାବିନେଟରେ ଜାଗା ମିଳିପାରେ । ଏହାସହିତ ବିଜେପି ସଙ୍ଗଠନରେ ଆକ୍ଟିଭ୍ ଥିବା କିଛି ନେତାଙ୍କୁ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ।