Trump Photograph: (kanak news)
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ତାଙ୍କର ପ୍ରାୟ ତିନି ଘଣ୍ଟାର ଆଲୋଚନାରେ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଇରାନ ସହିତ ଆଲୋଚନା ଜାରି ରହିବ। ଏହି ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଗାଜାରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ କୂଟନୈତିକ ପ୍ରୟାସ ଜୋରଦାର ହେଉଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ବୈଠକ ବହୁତ ଭଲ ହୋଇଥିଲା କିନ୍ତୁ କୌଣସି ଠୋସ୍ ଫଳାଫଳ ମିଳିନଥିଲା। କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ,କେବଳ ଏତିକି ମୁଁ ଗୁରୁତ୍ୱାରୋପ କରିଥିଲି ଯେ, ଏକ ଚୁକ୍ତି ସମ୍ଭବ କି ନାହିଁ ତାହା ଦେଖିବା ପାଇଁ ଇରାନ ସହିତ ଆଲୋଚନା ଜାରି ରଖିବାକୁ ପଡ଼ିବ ।
ଇରାନ ଉପରେ ଚାପ ଓ ଚେତାବନୀ
ଟ୍ରମ୍ପ କହିଛନ୍ତି, ଯଦି ଏକ ଚୁକ୍ତି ହୋଇପାରେ, ତେବେ ତାହା ସର୍ବୋତ୍ତମ ବିକଳ୍ପ ହେବ। ଯଦି ନୁହେଁ, ତେବେ ଆମକୁ ପରବର୍ତ୍ତୀ ସମୟରେ କଣ କରିବାକୁ ହେବ ତାହା ଦେଖିବାକୁ ପଡିବ। ତେବେ ନେତାନ୍ୟାହୁ ତାଙ୍କ ଚିନ୍ତାଧାରା ସହିତ ସହମତ କି ନାହିଁ ତାହା ଟ୍ରମ୍ପ କହି ନାହାନ୍ତି। ଟ୍ରମ୍ପ୍ ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ଉଲ୍ଲେଖ କରି ଆଲୋଚନା ବିଫଳ ହେଲେ ଗମ୍ଭୀର ପରିଣାମ ହେବ ବୋଲି ଚେତାବନୀ ଦେଇଛନ୍ତି। ଶେଷ ଥର ପାଇଁ ଇରାନ ଆପୋଷ କରିବାକୁ ମନା କରିଦେଇଛି। ଆମେ ମଧ୍ୟରାତ୍ରି ହାମର ବ୍ୟବହାର କରିଥିଲୁ। ଏହା ଇରାନ ପାଇଁ ଭଲ ହୋଇନଥିଲା ବୋଲି କହି ସେ ଜୁନ୍ ୨୦୨୫ରେ ତିନୋଟି ପ୍ରମୁଖ ଇରାନ ପରମାଣୁ ସ୍ଥଳ ଉପରେ ଆମେରିକାର ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଇରାନ ଏଥର ଅଧିକ ଦାୟିତ୍ୱବାନ ତଥା ନିଜର ଉପଯୁକ୍ତ ଚିନ୍ତାଧାରା ଦେଖାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଭାରତ ବନ୍ଦ: ୩୦ କୋଟି କର୍ମଚାରୀଙ୍କ ଧର୍ମଘଟ, ବ୍ୟାଙ୍କ-ପରିବହନ ସେବା ପ୍ରଭାବିତ ହେବା ଆଶଙ୍କା
ଗାଜା ଓ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା
ଟ୍ରମ୍ପ କହିଛନ୍ତି, ବୈଠକରେ ଗାଜା ଯୁଦ୍ଧ ଓ ମଧ୍ୟପ୍ରାଚ୍ୟର ବ୍ୟାପକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା, କିନ୍ତୁ ଏହି ପ୍ରସଙ୍ଗଗୁଡ଼ିକରେ କୌଣସି ଠୋସ୍ ପ୍ରଗତି ହୋଇଛି କି ନାହିଁ ସେ ଏହା କହି ନାହାନ୍ତି । ଏହି ସମୟରେ, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ବିବୃତି ଜାରି କରି କହିଛି ଯେ, ପ୍ରଧାନମନ୍ତ୍ରୀ ବୈଠକ ସମୟରେ ଇସ୍ରାଏଲର ସୁରକ୍ଷା ଆବଶ୍ୟକତାକୁ ପ୍ରାଥମିକତା ଦେଇଥିଲେ। ଦୁଇ ନେତା ଘନିଷ୍ଠ ସମନ୍ୱୟ ଓ ବାରମ୍ବାର ଯୋଗାଯୋଗ ବଜାୟ ରଖିବାକୁ ସହମତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଶ୍ଚିତ କରିଛି ଯେ, ଆଲୋଚନା ସମୟରେ ଇରାନ, ଗାଜା ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, କିନ୍ତୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲା ।
Follow Us