କନକ ବ୍ୟୁରୋ : ୨୦୨୫ ମସିହାରେ କାର୍ଯ୍ୟକାରୀ ହୋଇଥିବା ଚାରୋଟି ନୂତନ ଶ୍ରମ ଆଇନ ବିରୋଧରେ ଟ୍ରେଡ୍ ୟୁନିଅନ୍ ପ୍ରତିବାଦ କରି ଗୁରୁବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ସେମାନଙ୍କର ଅଭିଯୋଗ ଯେ, ଏହି ନୂତନ ଆଇନ ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଛି ଓ କମ୍ପାନିଗୁଡ଼ିକୁ କର୍ମଚାରୀମାନଙ୍କୁ ବହିଷ୍କାର କରିବାର ମୁକ୍ତ ଅଧିକାର ଦେଉଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଦେଶ ବିରୋଧୀ, କର୍ପୋରେଟ-ସମର୍ଥକ ନୀତି ବିରୋଧରେ ପ୍ରତିବାଦ ଜଣାଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି।

Advertisment

ଚାରୋଟି ଶ୍ରମ ସଂହିତା, ବିଦ୍ୟୁତ୍ ବିଲ୍ ୨୦୨୫, ବିହନ ବିଲ୍ ୨୦୨୫, ଭିବି-ଜି ରାମଜି ଆଇନ ୨୦୨୫ ଓ ସାମ୍ପ୍ରତିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭଳି ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ବନ୍ଦ ଡାକରାରେ ବିରୋଧ କରାଯାଉଛି । ଧର୍ମଘଟକୁ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍‌କେଏମ୍‌), କୃଷି ଶ୍ରମିକ ସଂଗଠନ, ଛାତ୍ର, ଯୁବ ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ସମର୍ଥନ କରୁଛନ୍ତି। ଚାଷୀ ଗୋଷ୍ଠୀଗୁଡ଼ିକ ମନରେଗା ପୁନଃସ୍ଥାପନ କରିବା ଓ କୃଷିକୁ ପ୍ରଭାବିତ କରୁଥିବା ନୀତିଗୁଡ଼ିକୁ ବିରୋଧ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଧର୍ମଘଟରେ ୩୦ କୋଟି କର୍ମଚାରୀ ଯୋଗ ଦେବାର ସମ୍ଭାବନା ରହିଛି। ଭାରତ ବନ୍ଦକୁ ଅନେକ ସଂଗଠନ ସମର୍ଥନ କରୁଛନ୍ତି। ଏଆଇଟିୟୁସି , ଆଇଏନ୍‌ଟିୟୁସି , ସିଟୁ, ଏଚ୍‌ଏମ୍‌ଏସ୍, ଟିୟୁସିସି, ଏସ୍ଇଏନ୍‌ଏ, ଏଆଇୟୁଟିୟୁସି, ଏଆଇସିସିଟିୟୁ ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଏହି ଧର୍ମଘଟ ଡାକରା ଦେଇଛି ।

ଅଧିକ ପଢ଼ନ୍ତୁ---ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ୩୮ ବର୍ଷୀୟ ସମ୍ପର୍କୀୟ  ଭାଇ ଗିରଫ

ଧର୍ମଘଟ ଯୋଗୁ ପ୍ରତିବାଦ ଅଞ୍ଚଳରେ ସରକାରୀ କ୍ଷେତ୍ରର ବ୍ୟାଙ୍କ, ରାଜ୍ୟ ପରିବହନ ସେବା, ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ଷେତ୍ରର ୟୁନିଟ୍, ଶିଳ୍ପ ଏବଂ ଉତ୍ପାଦନ କେନ୍ଦ୍ର ତଥା ଗ୍ରାମୀଣ ନିଯୁକ୍ତି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି  । ବନ୍ଦର ପ୍ରଭାବ ଓଡ଼ିଶା ଓ ଆସାମ ଭଳି ରାଜ୍ୟରେ ସବୁଠାରୁ ଅଧିକ ଦେଖାଯିବାର ଆଶା ରହିଛି। ପଞ୍ଜାବ ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବ୍ୟାପକ ଜନ ଅଂଶଗ୍ରହଣ ଆଶା କରାଯାଉଛି। ରାଜ୍ୟରେ ଆମ ଆଦମୀ ପାର୍ଟି ଭଳି ରାଜନୈତିକ ଦଳ ବନ୍ଦକୁ ସମର୍ଥନ କରୁଛି ।