Maroof Raza Photograph: (google)
କନକ ବ୍ୟୁରୋ: ଭାରତର ପ୍ରତିରକ୍ଷା ତଥା ରଣନୈତିକ ଆଲୋଚନାର ଏକ ପ୍ରମୁଖ ସ୍ବର ମେଜର ମରୁଫ ରାଜା (ଅବସରପ୍ରାପ୍ତ)ଙ୍କର ଶୁକ୍ରବାର ପରଲୋକ ଘଟିଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ଥିଲେ । ଗୁରୁଗ୍ରାମଠାରେ ତାଙ୍କର ୬୭ ବର୍ଷରେ ନିଧନ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ରାଜା ଉତ୍ତର-ପୂର୍ବ ରାଜ୍ୟରେ ବିଭିନ୍ନ ଅପରେସନରେ ସାମିଲ ଥିଲେ । ଅବସର ପରେ ସେ ପ୍ରତିରକ୍ଷା ସମ୍ବନ୍ଧୀୟ ସାମ୍ବାଦିକତା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲେ। ମରୁଫ୍ ରାଜାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କର ଅବଦାନକୁ ସମ୍ମାନ ଜଣାଇ ମୋଦୀ ଲେଖିଛନ୍ତି, ପ୍ରତିରକ୍ଷା, ଜାତୀୟ ସୁରକ୍ଷା ଏବଂ ରଣନୈତିକ ବ୍ୟାପାର ବିଷୟରେ ତାଙ୍କର ଜ୍ଞାନ ଦ୍ବାରା ସାଧାରଣ ଆଲୋଚନାକୁ ସେ ସମୃଦ୍ଧ କରିଥିଲେ ।
ଅଧିକ ପଢନ୍ତୁ: ‘ଚାବହାର ବନ୍ଦର ପାଇଁ ଭାରତ ବଜେଟରେ ଅର୍ଥ ବ୍ୟବସ୍ଥା ନ ରହିବା ନୈରାଶ୍ୟଜନକ’ : ଇରାନ ବିଦେଶ ମନ୍ତ୍ରୀ
୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିବା ରାଜା ୧୯୮୦ ମସିହାରେ ଭାରତୀୟ ସେନାରେ ଯୋଗ ଦେଇ ୧୯୯୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ଗ୍ରେନାଡିୟର୍ସ ରେଜିମେଣ୍ଟ ଓ ପରେ ମେକାନାଇଜ୍ଡ ଇନଫାଣ୍ଟ୍ରିରେ ସାମିଲ ଥିଲେ। ଭାରତୀୟ ମିଲିଟାରୀ ଏକାଡେମୀରେ ମଧ୍ୟ ସେ ଇନଷ୍ଟ୍ରକ୍ଟର ଭାବେ କାମ କରିଥିଲେ। ସେନାରୁ ଅବସର ନେବା ପରେ ସେ ବିଦେଶରେ ଯାଇ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଲଣ୍ଡନର କିଙ୍ଗଷ୍ଟନ କଲେଜରୁ ୱାର୍ ଷ୍ଟଡିଜରେ ମାଷ୍ଟର୍ସ ଡିଗ୍ରୀ ଏବଂ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଇଣ୍ଟରନାସନାଲ ରିଲେସନରେ ଏମ୍ଫିଲ୍ କରିଥିଲେ। ରାଜା ଅନେକ ପୁସ୍ତକ ଲେଖିଥିଲେ। ସେଥିରେ ଲୋ ଇଣ୍ଟେନସିଟି କନଫ୍ଲିକ୍ଟସ୍ (୧୯୯୫), ୱାର୍ସ ଆଣ୍ଡ ନୋ ପିସ୍ ଓଭର କାଶ୍ମୀର (୧୯୯୬), କାଶ୍ମୀର୍ସ ଅନଟୋଲ୍ଡ ଷ୍ଟୋରି: ଡିକ୍ଲାସିଫାଏଡ (୨୦୧୯) ଓ କଣ୍ଟେଷ୍ଟେଡ ଲ୍ୟାଣ୍ଡ: ଇଣ୍ଡିଆ, ଚୀନ୍ ଓ ଦ ବାଉଣ୍ଡ୍ରି ଡିସ୍ପୁଟ୍ (୨୦୨୧) ରହିଛି।
Follow Us