କ୍ୟାନସରକୁ ନେଇ ଆସିଲା ଚିନ୍ତା ଜନକ ଖବର: ଶେଷ ମୂହୁର୍ତ୍ତରେ ଚିକିତ୍ସା ହେଉଥିବାରୁ ବଢୁଛି ମୃତ୍ୟୁ ସଂଖ୍ୟା; ଜାଣନ୍ତୁ କର୍କଟ ରୋଗର ପ୍ରମୁଖ କାରଣ କ’ଣ?

329

କନକ ବ୍ୟୁରୋ: କ୍ୟାନସରକୁ ନେଇ ଆସିଛି ପୁଣି ଏକ ଚିନ୍ତା ଜନକ ଖବର । ଦେଶରେ ୮୦ପ୍ରତିଶତ କ୍ୟାନସର ରୋଗୀ ଶେଷ ମୂହୁର୍ତ୍ତରେ ଡାକ୍ତରଙ୍କୁ ପାଖକୁ ଯାଉଥିବାରୁ ବଢୁଛି ମୃତ୍ୟୁ ସଂଖ୍ୟା । ମାତ୍ର ୨୦ ପ୍ରତିଶତ ରୋଗୀ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଯାଉଥିବାରୁ ବହୁ କମ ଲୋକେ କ୍ୟାନସରରୁ ମୁକ୍ତି ପାଇପାରୁଛନ୍ତି । ସେହିପରି ସହରାଂଚଳରେ ଗ୍ରାମାଂଚଳ ଅପେକ୍ଷା ଅଧିକ ଲୋକ କ୍ୟାନସରରେ ଆକ୍ରାନ୍ତ ହେଉଥିବା ଜଣା ପଡିଛି । କନକ ନ୍ୟୁଜକୁ ଏକ ସ୍ୱତନ୍ତ୍ରର ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ଏମ୍ସ କ୍ୟାନସର ଇଂଷ୍ଟିଚ୍ୟୁଟର ମୁଖ୍ୟ ଡାକ୍ତର ଜି. କେ ରଥ । ଏହା ସହ ସେ କହିଛନ୍ତି ତମ୍ବାକୁ ସେବନ କ୍ୟାନସରର ପ୍ରମୁଖ କାରଣ ହୋଇଥିବା ବେଳେ ଓଡିଶାରେ ଅଧିକ ମୁଖ କର୍କଟର ଚିତ୍ର ଆସୁଛି । ପ୍ରତି ଲକ୍ଷେ ଲୋକରେ ପ୍ରାୟ ୧୨୦ଜଣ କ୍ୟାନସରରେ ଆକ୍ରାନ୍ତ ହେଉଥିବା ଜଣା ପଡିଛି ।
ପାନ, ଗୁଟଖା କ’ଣ କର୍କଟ ରୋଗର ପ୍ରମୁଖ କାରଣ?

୪୦ ପ୍ରତିଶତ କର୍କଟ ପାନ, ଗୁଟ୍‌ଖା କିମ୍ବା ତମାଖୁ ସେବନ ଯୋଗୁଁ ହୋଇଥାଏ। ଏହା କେବଳ ମୁଖଗହ୍ବର କର୍କଟ ସୃଷ୍ଟି କରି ନ ଥାଏ। ତମାଖୁ ୧୭ ପ୍ରକାରର କର୍କଟ ରୋଗ ସୃଷ୍ଟି କରିଥାଏ। ପ୍ରଦୂଷଣ, ପରୋକ୍ଷ ଧୂମପାନ ମଧ୍ୟ କର୍କଟ ରୋଗ ସୃଷ୍ଟି କରିଥାଏ। ତେଣୁ ସିଗାରେଟ୍ ଟାଣୁ ନ ଥିବା ଲୋକ ଯେ କର୍କଟ ରୋଗରେ ଆକ୍ରାନ୍ତ ନ ହେବ ତାହା କହିହେବ ନାହିଁ। ଏହାସହ ଅଧିକ ମାତ୍ରାରେ ଆମିଷ ଖାଇଲେ ମଧ୍ୟ କର୍କଟ ରୋଗ ଦେଖା ଯାଇଥାଏ। ଭାରତରେ କୋଲାନ୍ ବା ପାକସ୍ଥଳୀଜନିତ କର୍କଟ ରୋଗ ହେଉଛି, ଯାହାକି ବିଶ୍ବର ୩ଭାଗରୁ ୧ ଭାଗ। ଜିନଜନିତ କର୍କଟ ମାତ୍ର ୭-୧୦ ପ୍ରତିଶତ। ସ୍ତନ କର୍କଟ ଏହାର ଉଦାହରଣ।

କର୍କଟ ଆକ୍ରାନ୍ତଙ୍କ ପାଇଁ କ’ଣ ଚିକିତ୍ସା ଉପଲବ୍ଧ ଓ କେତେଦୂର ଏହା ଫଳପ୍ରଦ?

ଏ କ୍ଷେତ୍ରରେ ଆମେ ପିଲାମାନଙ୍କୁ ୮୦:୨୦ ଫର୍ମୁଲା ସଂପର୍କରେ ପଢ଼ାଇଥାଉ। ପ୍ରାରମ୍ଭିକ (ପ୍ରଥମ,ଦ୍ବିତୀୟ) ପର୍ଯ୍ୟାୟରେ ଦେଶରେ ୨୦ ପ୍ରତିଶତ ଲୋକ ଚିକିତ୍ସା ପାଇଁ ଆସିଥାନ୍ତି, ତହିଁରୁ ୮୦ ପ୍ରତିଶତ ଭଲ ହୋଇପାରିବେ। ମାତ୍ର ୮୦ପ୍ରତିଶତ ଲୋକ ପରବର୍ତୀ (ତୃତୀୟ, ଚତୁର୍ଥ) ପର୍ଯ୍ୟାୟରେ ଆସିଥାନ୍ତି, ମାତ୍ର ସେଥିରେ ୨୦ ପ୍ରତିଶତ ଲୋକ ଭଲ ହୋଇପାରିବେ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ ଏହା ଭଲ ହୋଇପାରିବ। ମୁହଁରେ କିଛି ଅସ୍ବାଭାବିକ ଭାବେ ମାଂସ ବୃଦ୍ଧି ପାଇବା, ସ୍ତନରେ ଗେଟା ହେବା, ରକ୍ତସ୍ରାବ(ଭିତର, ବାହାର) ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ। ତମାଖୁ ଖାଉଥିବା ଲୋକର ସଙ୍ଗେ ସଙ୍ଗେ କର୍କଟ ହୋଇ ନ ଥାଏ। ମୁହଁ ଭିତରେ ଏକ ଧଳାର ଆସ୍ତରଣ ସୃଷ୍ଟି ହୋଇଥାଏ। ଏହାର ହେଉଛି ପ୍ରାଥମିକ ପର୍ଯ୍ୟାୟ କର୍କଟ। ବର୍ଷେ ପରେ ଏହା ନାଲି ରଙ୍ଗ ଧାରଣ କରିଥାଏ। ଏହା ଦ୍ବିତୀୟ ଥର ଲାଗି ମଧ୍ୟ ସତର୍କ କରିଥାଏ। ଏହି ସମୟ ଭିତରେ ଡାକ୍ତରଙ୍କ ପରାମର୍ଶ ନ ନେଲେ ୫/୬ବର୍ଷ ଭିତରେ ଏହା କର୍କଟ ରୋଗ ସୃଷ୍ଟି କରିଥାଏ। ପ୍ରାରମ୍ଭିକ ପର‌୍ୟ୍ୟାୟରେ କର୍କଟ ରୋଗ ଚିହ୍ନଟ ହେଲେ ତହିଁରୁ ୯୫ ପ୍ରତିଶତ ଭଲ ହୋଇପାରିବ।

ସାଧାରଣ ଲୋକଟିଏ କିଭଳି କର୍କଟ ରୋଗ ସଂପର୍କରେ ଜାଣିପାରିବ?

ଗାଁରେ ରହୁଥିବା ଓ ତମାଖୁ ଖାଉ ନ ଥିବା ଲୋକମାନଙ୍କ ମଧ୍ୟରେ କର୍କଟ ରୋଗର ମାତ୍ରା ବହୁତ କମ୍। ସହରାଞ୍ଚଳର ଲୋକମାନେ ପ୍ରଦୂଷଣ ଓ ମାତ୍ରାଧିକ ସିଗାରେଟ୍ ପାନ କରୁଛନ୍ତି, ତେଣୁ ଅଧିକ ମାତ୍ରରେ କର୍କଟ ରୋଗ ଦେଖା ଦେଉଛି। ଓଡ଼ିଶାରେ ୧ଲକ୍ଷ ଜନସଂଖ୍ୟାରେ ୧୦୦/୧୨୦ଜଣ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମୁଖଗହ୍ବର, ଫୁସଫୁସ କର୍କଟ, ଖାଦ୍ୟନଳୀ କର୍କଟ ସାଧାରଣ ଭାବେ ଦେଖାଯାଉଛି। ହ୍ୟୁମାନ ପାପିଲୋମା ଭାଇରସ୍ ଯୋଗୁଁ ମହିଳାମାନଙ୍କ ଜରାୟୁ କର୍କଟ ରୋଗ ସୃଷ୍ଟି କରିଥାଏ। ୯-୧୬ବର୍ଷର ଝିଅଙ୍କୁ ଆବଶ୍ୟକ ଟିକା ପ୍ରଦାନ କରାଗଲେ ଜରାୟୁ କର୍କଟକୁ ଦୂର କରାଯାଇ ପାରିବ। ୩୫/୪୦ ବର୍ଷ ପୂର୍ବରୁ ଭାରତରେ ୧ଲକ୍ଷ ମହିଳାଙ୍କ ମଧ୍ୟରେ ୪୦ ଜରାୟୁ କର୍କଟ ଘଟଣା ନଜରକୁ ଆସୁଥିବା ବେଳେ ଏବେ ତାହା ୧୨କୁ ଖସି ଆସିଛି।

ଶେଷ ପର୍ଯ୍ୟାୟରେ ଚିହ୍ନଟ ହେଉଥିବା ରୋଗୀଙ୍କ ପାଇଁ କ’ଣ ଚିକିତ୍ସା ରହିଛି?

ଶେଷ ପର୍ଯ୍ୟାୟରେ ଚିହ୍ନଟ ହେଉଥିବା ରୋଗୀମାନଙ୍କ ପାଇଁ କେମୋ ଓ ରେଡିଏସନ୍ ଥେରାପି ଚିକିତ୍ସା ଉପଲବ୍ଧ ହେଉଛି। ଓଡ଼ିଶାରେ ମଧ୍ୟ ଏହି ସୁବିଧା ରହିଛି। ବିଳମ୍ବରେ ଆସୁଥିବା ରୋଗୀମାନଙ୍କ ପାଇଁ ପାଲଏଟିଭ୍ କେୟାର ଚିକିତ୍ସା ଆରମ୍ଭ ହେଲାଣି।

ସ୍ତନ କର୍କଟ ମାତ୍ରା କାହିଁକି ବୃଦ୍ଧି ପାଉଛି?

ବିଳମ୍ବରେ ବିବାହ, ବିଳମ୍ବରେ ପ୍ରଥମ ପିଲା ହେବା, ସ୍ତନ୍ୟପାନ ନ କରାଇବା ଯୋଗୁଁ ସ୍ତନ କର୍କଟ ରୋଗ ବୃଦ୍ଧି ପାଉଛି। ପିଲା ହେଉ ନ ଥିବା ମହିଳାଙ୍କ ସ୍ତନ କର୍କଟରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଗାଁରେ ସ୍ତନ କର୍କଟର ଆକ୍ରାନ୍ତ ସବୁଠୁ କମ୍। ୩୦ବର୍ଷ ପରେ ନିଜର ସ୍ତନକୁ ମାସକୁ ଥରେ ନିଜେ ଦେଖିବା ସହିତ ଏଥିରେ କୌଣସି ଗେଟା ହୋଇଛି କି ନାହିଁ ଦେଖିବେ। ୪୫ବର୍ଷ ପରେ ମାମୋଗ୍ରାଫି କରିବା ଜରୁରୀ।

ପନିପରିବା, ଖାଦ୍ୟରେ ମିଶୁଥିବା ରାସାୟନିକ ପଦାର୍ଥ ଯୋଗୁଁ କର୍କଟ ରୋଗ ସୃଷ୍ଟି ହେଉଥିବା ମତରେ ସତ୍ୟତା କେତେ?

ଏହା ସହିତ କର୍କଟ ରୋଗର କୌଣସି ସିଧାସଳଖ ସଂପର୍କ ରହିଥିବା ନେଇ ବିଜ୍ଞାନ ଭିତ୍ତିକ ଗବେଷଣା ନାହିଁ କିମ୍ବା ଏହାର ପ୍ରମାଣ ମଧ୍ୟ ନାହିଁ। ଆସନ୍ତାକାଲି ହୋଇପାରେ ତାହା କହିହେବ ନାହିଁ। ଆମେ ରୋଗୀଙ୍କୁ ପ୍ରମାଣଭିତ୍ତିକ ନଜରରେ ଔଷଧ ପ୍ରଦାନ କରୁଛୁ। ରାସାୟନିକ ପଦାର୍ଥ କିମ୍ବା କୃତ୍ରିମ ରଙ୍ଗ ଯୋଗୁଁ କର୍କଟ ହେବା କାହାର ଏହା ନିଜସ୍ବ ମତାମତ ହୋଇପାରେ।

କେମୋ ନେଲେ ତାହା ନିକଟସ୍ଥ ସେଲ୍ ଗୁଡ଼ିକୁ ନଷ୍ଟ କରିଦିଏ, ଏହା ପାଇଁ କ’ଣ ପଦକ୍ଷେପ ନିଆଯାଇ ପାରିବ?

ଶେଷ ପର୍ଯ୍ୟାୟରେ ରୋଗୀକୁ କେମୋ ଦିଆଯାଇଥାଏ। କେମୋ ଥେରାପି ଯୋଗୁଁ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ। ଏହାର ଯଥେଷ୍ଟ ପାର୍ଶ୍ବ ପ୍ରତିକ୍ରିୟା ରହିଛି। ଏହା ମାତ୍ର ୫/୧୦ ପ୍ରତିଶତ ପର୍ଯ୍ୟନ୍ତ କର୍କଟ ଭଲ କରିପାରିଥାଏ। ଖାଦ୍ୟନଳୀରେ କର୍କଟ ରୋଗ ହୋଇଥିଲେ, ଆବଶ୍ୟକ ଅନୁସାରେ ରେଡିଏସନ୍ ଦିଆଯାଇଥାଏ।

Comments are closed.