Photograph: (KANAKNEWS)
କନକବ୍ୟୁରୋ : ପାରଳାଖେମୁଣ୍ଡି ଆଇଟିଡିଏରେ ଆଦିବାସୀଙ୍କ ଟଙ୍କା ହେରଫେର ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଚାଲିଛି । ଦକ୍ଷିଣାଞ୍ଚଳ ଆରଡିସି ଚିଠି ଲେଖି ତଦନ୍ତ ପାଇଁ ସୁପାରିସ୍ କରିଥିଲେ । ଦୀର୍ଘ ବର୍ଷ ଧରି କ୍ୟାସ୍ ଆନାଲିସିସ୍ ହୋଇ ନଥିବାରୁ ଆରଡିସି ଏଥିରେ ବଡ଼ଧରଣର ଦୁର୍ନୀତି ସନ୍ଦେହ କରିଥିଲେ । ଏନେଇ ସେ ଗତ ୧୭ ନଭେମ୍ବରରେ ବିଭାଗୀୟ ସଚିବ ତଥା କମିସନରଙ୍କୁ ଚିଠିରେ ତଦନ୍ତ କରିବାକୁ ଲେଖିଥିଲେ । ହେଲେ ଆଜି ଯାଏଁ ଆରମ୍ଭ ହୋଇନି ତଦନ୍ତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇଟିଡିଏରେ ଆଦିବାସୀଙ୍କ ଟଙ୍କା ହେରଫେର ନେଇ ତଦନ୍ତ ଚାଲିଛି । ଜିଲ୍ଲାପାଳ ନିଜେ ଏକ କମିଟି ଗଢ଼ି ସ୍ବତନ୍ତ୍ର ତଦନ୍ତ ଚଳାଇଛନ୍ତି । ଏହାରି ଭିତରେ ଦକ୍ଷିଣାଞ୍ଚଳ ଆରଡିସି ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ଲେଖିଥିବା ତଦନ୍ତ ସୁପାରିସ ଚିଠି ସାମ୍ନାକୁ ଆସିଛି ।
ସ୍ବତନ୍ତ୍ର ତଦନ୍ତ ଲାଗି ଆରଡିସି ସୁପାରିସ କରିଥିଲେ । ହେଲେ ଏହାକୁ କିଏ ଚାପିଲା ତାହା ବଡ଼ ପ୍ରଶ୍ନ ହୋଇଛି । ୧୪ ନଭେମ୍ବର ୨୦୨୫ରେ ଦକ୍ଷିଣାଞ୍ଚଳ ଆରଡିସି ପାରଳାଖେମୁଣ୍ଡି ଆଇଟିଡିଏ ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ଗତ ୫ ବର୍ଷର ରେକର୍ଡ ପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୪୩ କୋଟି ୫୩ ଲକ୍ଷ ୬୮ ହଜାର ୬୬୮ ଟଙ୍କାର ହିସାବ ମିଳି ନଥିଲା । କ୍ୟାସ୍ ବୁକ୍ କ୍ଲୋଜିଂ ବାଲାନ୍ସ ଓ ବ୍ୟାଙ୍କ ପାସ୍ବୁକ୍ ଭିତରେ ଏହି ଟଙ୍କା ମେଳ ଖାଇନଥିଲା । ଏହାକୁ ନେଇ ଆରଡିସି ସନ୍ଦେହ କରିବା ସହ ସ୍ପଷ୍ଟୀକରଣ ମାଗିଥିଲେ । ହେଲେ ପିଏ-ଆଇଟିଡିଏ ଏବଂ ତାଙ୍କ କାର୍ଯ୍ୟାଳୟର କ୍ୟାସିଅର କିମ୍ବା ସେକ୍ସନ୍ ଅଫିସର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପୂରା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନଚିହ୍ନ ଲାଗିଥିଲା ବେଳେ ପିଏ-ଆଇଟିଡିଏ ଲମ୍ବା ଚିଠି ଲେଖି ଏସବୁ ମିଛ ବୋଲି ସଫେଇ ଦେଇଛନ୍ତି ।
Follow Us