କନକ ବ୍ୟୁରୋ : ସରକାର ଆଦିବାସୀ ମଣିଷଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ତୁ ମହୁଲ ସଂଗ୍ରହ କରି ନିଜ ପେଟ ପୋଷୁଥିବା ଲୋକଟି ପାଇଁ କୌଣସି ବ୍ୟବସ୍ଥା ନାହିଁ । ମହୁଲ ବିକ୍ରି ପାଇଁ ସରକାରଙ୍କ ତରଫରୁ କିଛି ସୁବିଧା ସୁଯୋଗ ଯୋଗାଯାଉନଥିବାରୁ ଦାଦନ ମୁହାଁ ହେଉଛନ୍ତି ଆଦିବାସୀ ମଣିଷ ।

Advertisment

ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡ଼ା ଅଞ୍ଚଳ । ଏମାନଙ୍କ ପାଇଁ ଜୀବନ ଜୀବିକାର ଏକମାତ୍ର ମାଧ୍ୟମ ଜଙ୍ଗଲ । ପ୍ରତିବର୍ଷ ବସନ୍ତ ଋତୁ ଆସିଲେ ସକାଳୁ ବାହାରି ପଡ଼ନ୍ତି ମହୁଲ ଫୁଲ ସଂଗ୍ରହ ପାଇଁ । ଜୀବନ ପ୍ରତି ବି ଭୟ ଥାଏ । କାରଣ ଭାଲୁର ପ୍ରିୟ ଖାଦ୍ୟ ମହୁଲ । ବେଳେବେଳେ ଭାଲୁ ହାବୁଡ଼ରେ ପଡ଼ି ଆହତ ମଧ୍ୟ ହୋଇଥିବାର ନଜିର ରହିଛି । କିନ୍ତୁ ସେସବୁକୁ ଖାତିର ନକରି ମହୁଲ ଫୁଲ ଆଣି ୩ ଦିନ କାଳ ଘର ବାରଣ୍ଡାରେ ଶୁଖାଇରଖନ୍ତି ଆଦିବାସୀ ମଣିଷ । ଉଦ୍ଦେଶ୍ୟ ଗୋଟିଏ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ । କିନ୍ତୁ ସରକାରଙ୍କ ଅନେକ ଯୋଜନା ଭିତରେ ମହୁଲର ବିକ୍ରିବଟା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯାହାର ଫାଇଦା ଉଠାଉଛନ୍ତି ଦଲାଲ୍ । ଅଞ୍ଚଳବାସୀ ନିଜ ପେଟପାଟଣା ପାଇଁ ବାଧ୍ୟ ହୋଇ ଶସ୍ତା ଦରରେ ଦଲାଲଙ୍କୁ ବିକ୍ରି କରିଦେଉଛନ୍ତି ମହୁଲ ।

ଅଧିକ ପଢ଼ନ୍ତୁ : ବଦଳୁଛି ଝରଣାର ଗତିପଥ; ଆଉ ଶୁଭୁନି ପୂର୍ବର କୁଳୁକୁଳୁ ନାଦ, ଶୁଖିଯିବ ସୀତାକୁଣ୍ଡ !

ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଉଛି, ଜୀବିକାର ଅନ୍ୟ କୌଣସି ବିକଳ୍ପ ଏମାନଙ୍କ ପାଖେ ନାହିଁ । ଯେଉଁଥିପାଇଁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ସରକାର ଓ ପ୍ରଶାସନର ମହୁଲ ସଂଗ୍ରହକାରୀଙ୍କ ପ୍ରତି ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସରକାର ମହୁଲ ଫୁଲ କିଣି ସଂଗ୍ରହକାରୀଙ୍କୁ ଉଚିତ ମୂଲ୍ୟ ଦେବାକୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଯୋଜନା କରିଥିବା କଥା କହି କେବଳ ସମୟ ଗଡ଼ାଉଛନ୍ତି । ବାସ୍ତବରେ ସରକାରଙ୍କ ନଜର କେବେ ଏହି ଚାଷୀଙ୍କ ଉପରେ ପଡ଼ିବ ତାକୁ ଅପେକ୍ଷା ।