କନକ ବ୍ୟୁରୋ : ସୀତାକୁଣ୍ଡ ଝରଣାର ବିପରୀତ ଧର୍ମ । ବର୍ଷାଦିନେ ତୀବ୍ର ଜଳ ସ୍ତର ଦେଖିବାକୁ ମିଳୁଥିବା ବେଳେ ଖରା ଦିନ ଆରମ୍ଭରୁ ପାଣି ସୁଖୀ ଟାଙ୍ଗରା ପଡିଛି । ଆଉ ଏଥିପାଇଁ ମହାବାତ୍ୟା ଫାଇଲିନ୍'କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଫାଇଲିନ୍ ପ୍ରଭାବରେ ଝରଣାର ଗତିପଥ ବଦଳି ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି ।

Advertisment

ସୀତାକୁଣ୍ଡ..ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ରହିଛି ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ସବୁଜବନାନୀ ଭିତରେ ପାହାଡ଼ର ବୁକୁ ଚିରି ୨୫ରୁ ୫୦ ଫୁଟ୍‌ ଉଚ୍ଚତାରୁ ଜଳଧାରା ପଡ଼ି ଗୋଲାକାର କୁଣ୍ଡରେ ମିଶିଯାଏ । ପୂର୍ବରୁ ଏମିତି ଅବସ୍ଥା ଥିଲା। ଝରଣାର କୁଳୁକୁଳୁ ନାଦ, ପ୍ରଖର ଜଳସ୍ରୋତ ମନକୁ ଆନମନା କରିପକାଉଥିଲା । କିନ୍ତୁ ଏବେ ଚିତ୍ର ଭିନ୍ନ । ଝରଣାରେ ଦେଖିବ‌ାକୁ ମିଳିଛି ବିପରୀତ ଧର୍ମ । ଜଳ ନିମ୍ନଗାମୀ ହେବା ବଦଳରେ ଉପରଭାଗରୁ ୧୦୦ ମିଟର ମଧ୍ୟରେ ମାଟିରେ ମିଶିଯାଉଛି । ବର୍ଷାଦିନରେ ତୀବ୍ର ଜଳପ୍ରବାହ ସହ ପୂର୍ଣ୍ଣ ଜୀବନ୍ତ ହୋଇଉଠୁଛି, ବାକି ଋତୁରେ ପର୍ଯ୍ୟଟକଙ୍କୁ ନିରାଶ କରୁଛି । ଫଳରେ ତଳମୁଣ୍ଡ ଶୁଖିଲା ପଡ଼ୁଛି, କୁଣ୍ଡରେ ଜଳର ଅଭାବ ଦେଖାଯାଉଛି ।

ଅଧିକ ପଢ଼ନ୍ତୁ : ସ୍ୱାସ୍ଥ୍ୟକେନ୍ଦ୍ରରେ ଜଳ ନିଅଣ୍ଟ ! ରୋଗୀ ହେଉଛନ୍ତି ହନ୍ତସନ୍ତ

ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ଜଙ୍ଗଲ କ୍ଷୟ ଭଳି ଅନେକ କାରଣ ସୀତାକୁଣ୍ଡର ଏପରି ଅବସ୍ଥା ପାଇଁ ଦାୟୀ । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା, ୨୦୧୩ରେ ହୋଇଥିବା ‘ଫାଇଲିନ୍’ ମହାବାତ୍ୟା ଏହାର ଗତିପଥ ବଦଳାଇ ଦେଇଛି ! ଏହା ପୂର୍ବରୁ ଝରଣାରେ ବର୍ଷସାରା ପାଣି ରହୁଥିଲା । ଆମେ ଏହାକୁ ବ୍ୟବହାର କରି ଚଳୁଥିଲୁ । ଫାଇଲିନ୍ ପର ଠାରୁ ଖରା ଦିନ ଆରମ୍ଭରୁ ଏହା ଶୁଷ୍କ ହୋଇଯାଉଛି ।

ସୀତାକୁଣ୍ଡ କେବଳ ଏକ ଝରଣା ନୁହେଁ, ଏହା ପ୍ରକୃତିର ସନ୍ତୁଳନର ଏକ ପ୍ରତୀକ । ଏହାର ବର୍ତ୍ତମାନର ଶୁଷ୍କ ଅବସ୍ଥା ପରିବେଶ ସଂରକ୍ଷଣକୁ ଜୋର କରିବାକୁ ଆହ୍ୱାନ ଦେଇଛି । ଯଦି ସମୟ ଥାଉଣୁ ଏହାର ସୁରକ୍ଷା କରାନଯାଏ ଏହି ଚିରସ୍ରୋତା ଝରଣାର ସୌନ୍ଦର୍ଯ୍ୟ ଚିରକାଳ ପାଇଁ ହଜିଯିବାର ଆଶଙ୍କା ସୃଷ୍ଟି ହୋଇଛି ।