କନକ ବ୍ୟୁରୋ : ବିଲ୍ଡିଂ ନିର୍ମାଣ ହେଲା, ଉଦ୍‌ଘାଟନ ହେଲା, ହେଲେ ଲୋକଙ୍କ କାମରେ ଲାଗିଲାନି।  ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟରର ନାମ ବଦଳିଗଲା। ଫଳକରେ ସୀମିତ ରହିଗଲା ସମ୍ବଲପୁରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ। ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ କରିଦେଲେ କି ଉଦଘାଟନ?

Advertisment

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ନାଁରେ ଉଦ୍‌ଘାଟନ ହୋଇଥିବା କୋଠାରେ ଟ୍ରମା କେୟାର ବ୍ୟତୀତ ସବୁକିଛି ଅଛି । ୨୧କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ଟ୍ରମା କେୟାର ବିଲ୍ଡିଂର ନାମ ପରିବର୍ତ୍ତନ ହୋଇସାରିଛି । ଏମିତିକି ଏହା ସହିତ ଓପିଡି ସେବା ଯୋଡ଼ି ହୋଇସାରିଛି । ଗତ ଜାନୁଆରି ୧୧ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ । ହେଲେ ଏବେ ଏଠି କେବଳ ଓପିଡି ସେବା ମିଳୁଛି । ଟ୍ରମା କେୟାରର ଚିହ୍ନବର୍ଣ୍ଣ ନାହିଁ । ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିଲେ କହୁଛନ୍ତି ଅଧା ଅଧୁରା ଚାଲିଛି ଟ୍ରମା କେୟାର । କିନ୍ତୁ ବିନା ନ୍ୟୁରୋ ସର୍ଜନ, ନିଶ୍ଚେତକ ବିଶେଷଜ୍ଞ ଓ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞରେ କେମିତି ଚାଲିଛି ଟ୍ରମା କେୟାର । ଟ୍ରମା କେୟାର ସେଣ୍ଟରରେ ଏହି ୩ଟି ବିଭାଗର ଡାକ୍ତର ୨୪ ଘଣ୍ଟା କିମ୍ବା ଅନ୍ କଲ୍ ରହିବା କଥା । କିନ୍ତୁ ସମ୍ବଲପୁର ଡିଏଚଏଚରେ ଏହି ବିଲ୍ଡିଂ ବ୍ୟତୀତ କିଛି ବି ନାହିଁ। 

ଅଧିକ ପଢ଼ନ୍ତୁ : ୧୨ ବର୍ଷ ପରେ ଫେରିଲା ତଲାବିରା କୋଇଲା ଖଣି ଚୋରି ମାମଲା, ସତ ଖୋଜିବାକୁ ସମ୍ବଲପୁର ଖିଣ୍ଡାରେ ସିିବିଆଇ ଟିମ୍

 ସମ୍ବଲପୁରରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। ଠିକ୍ ସମୟରେ ଚିକିତ୍ସା ଅଭାବରୁ ଜୀବନ ଯାଉଛି। ଉତ୍ତମ ଚିକିତ୍ସା ପାଇଁ ଘରୋଇ ମେଡିକାଲ ଉପରେ ଭରସା କରୁଛନ୍ତି ସମ୍ବଲପୁରବାସୀ। କିନ୍ତୁ ଟ୍ରମା କେୟାର ସେଣ୍ଟର ଉଦଘାଟନ ହେଉଛି ସିନା କାମରେ ଆସୁନି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ।