କନକ ବ୍ୟୁରୋ:  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡ୍‌ରେ ପରିବହନ ବିଭାଗ । ରାଜଧୀନୀରେ ଆମ ବସ୍‌ର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ଖୋଦ ପରିବହନ କମିସନର ଫିଟନେସ୍ ଯାଞ୍ଚ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରାଯାଇଛି। ପରିବହନ କମିସନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଟିମ୍ ଆମ ବସ୍ ରୁଟ୍‌ରେ ରହି ଯାଞ୍ଚ କରୁଛନ୍ତି । ଅପରାହ୍ଣରେ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚି ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିଛନ୍ତି । ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍, ଚାଳକଙ୍କ ଶାରୀରିକ ଓ ମାନସିକ ସ୍ଥିତି ଏବଂ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯାଉଛି। ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ ହେଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି । ମାଷ୍ଟରକ୍ୟାଣ୍ଟିନ ପରେ ବିଭିନ୍ନ ବସ୍ ଷ୍ଟପେଜ୍ ଏବଂ ଡିପୋକୁ ଯାଇ ଏହି ଟିମ୍ ଆକସ୍ମିକ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପରିବହନ ବିଭାଗର ନିର୍ଦ୍ଦେଶ ପରେ ଆମ ବସ ଯାଉଥିବା ରୁଟରେ କଡ଼ାକଡ଼ି ଚେକିଂ ଚାଲିଛି। ସମସ୍ତ ଥାନା ଅଧିକାରୀଙ୍କୁ ଡିସିପିଙ୍କ ନିର୍ଦ୍ଦେଶ ଦିଆଯାଇଛି । ବ୍ରେଥ ଆନାରାଇଜର ଦ୍ୱାରା, ବସ ଡ୍ରାଇଭରଙ୍କୁ ଚାଲିଛି ଚେକିଂ I ସମସ୍ତ ଥାନା ଅଧୀନରେ ଚାଲିଛି ସ୍ପେଶାଲ ଡ୍ରାଇଭ I
  ଆମ ବସ୍ ଦୁର୍ଘଟଣା ନେଇ ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

 ବାରମ୍ବାର ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ଡ୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ଟ୍ରେନିଂ ଦେବାକୁ ପରାମର୍ଶ ଦେଇଛନ୍ତି । ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି କରିବା ସହ ବସ୍‌ର ନିୟମିତ ଫିଟନେସ୍ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ବସ ପରିଚାଳନା ସଂସ୍ଥା CRUT ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ: ରାଜଧାନୀ ରାଜରାସ୍ତାରେ ଗଡ଼ିଲା ମୁଣ୍ଡ, ପୁଣି ଜୀବନ ନେଲା ‘ଆମ ବସ୍’

ବିଶେଷକରି ଆମ ବସ ଡ୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ଏହା ସହିତ MVI ମାନଙ୍କ ଦ୍ଵାରା ଆମ ବସ ଗୁଡ଼ିକର ଫିଟନେସ ସଂପର୍କରେ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ବତନ୍ତ୍ର ସ୍କ୍ୱାଡ୍‌ ଗଠନ କରି ବସ୍‌ ଫିଟନେସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହିପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନ ଘଟେ ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ଭାବେ ସମୀକ୍ଷା କରି ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ବସ୍‌ ଦୁର୍ଘଟଣାରେ ଅଟୋ ଚାଳକ ମୃତ୍ୟୁ ଘଟଣାରେ ଆଜି ଭୁବନେଶ୍ବର ବିଭିନ୍ନ ସ୍ଥାନରେ ଅଟୋ ଚାଳକ ସଂଘର ପ୍ରତିବାଦ। ଶତାଧିକ ସଂଖ୍ୟାରେ ଅଟୋ ଡ୍ରାଇଭରଙ୍କ ଧାରଣା ।ଆମ ବସ୍ ଡ୍ରାଇଭରଙ୍କ ବେପୁରୁୱା ଗାଡ଼ିଚଳାକୁ ବିରୋଧ କରି ପ୍ରତିବାଦ କରୁଛନ୍ତି। ରାଜଧାନୀରେ ଗଡୁନି ଆମ ବସ୍ ।