କନକ ବ୍ୟୁରୋ: ଗୋଟେପଟେ ପୁଅକୁ ଝୁରି ଝୁରି କାନ୍ଦୁଛି ମା’, ସେପଟେ ଫଟୋ ହୋଇଯାଇଥିବା ମନର ମଣିଷକୁ ମୋବାଇଲରେ ଦେଖି ଆଖିର ଲୁହକୁ ଓଠରେ ପିଇଯାଉଛି ସ୍ତ୍ରୀ । ଜଣେ ଜନ୍ମଦାତ୍ରୀକୁ ଜଣେ ଜୀବନସାଥୀ ଆଉ ତାଙ୍କ ଲୁହ ଓ କୋହର କାରଣ ହେଉଛି କାଳରୂପୀ କ୍ୟାନ୍ସର । ଯନ୍ତ୍ରଣାରେ  ଛଟପଟ ହୋଇ ଘରର ରୋଜଗାରିଆ ପୁଅ ଯେତେବେଳେ ସବୁଦିନ ପାଇଁ ଶୋଇଯାଏ, ସେତେବେଳେ ଆସେ ଏମିତି ଦୟନୀୟ ଅବସ୍ଥା । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଭଗବାନପୁର ଗାଁର ରୋଜାଲିନି କୁଣ୍ଡ । ସ୍ବାମୀ ସୁରେଶଙ୍କ ପାଇଁ କ୍ୟାନ୍ସର କାଳ ହେବା ପରେ ପୂରା ପରିବାର ଉପରେ ଘୋଟି ଆସିଛି ଦୁଖର କଳା ବାଦଲ । ପୁଅକୁ ହରାଇ ବୃଦ୍ଧ ବାପା-ମାଙ୍କ ଆଖିରୁ ଲୁହ ସୁଖୁନଥିବା ବେଳେ ସ୍ତ୍ରୀ ଆଉ ଦୁଇ ପୁଅ ଏବେ ବେସାହାରା । 

Advertisment

ଭେଣ୍ଡିଆ ପୁଅକୁ ହରାଇ ମା’ ଆଖିରୁ ଲୁହ ସୁଖୁନଥିବା ବେଳେ ପଡ଼ୋଶୀଙ୍କ ସହାୟତାରେ ପୁଅର ଶୁଦ୍ଧିକର୍ମ କରିଛନ୍ତି ପରିବାର । ମୃତ ସୁରେଶ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିଲେ ଆଉ ଯେତିକି ଟଙ୍କା ରୋଜଗାର କରୁଥିଲେ ସେଥିରେ ତେଲଲୁଣ ସଂସାର ହସ ଖୁସିରେ ଚଳିଯାଉଥିଲା । ହେଲେ ହଠାତ୍ ସୁରେଶଙ୍କୁ କ୍ୟାନ୍ସର ହେବା କଥା ଜାଣିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ଜମିବାଡ଼ି ଯାହା ଥିଲା ବିକିବାକି ଚିକିତ୍ସା କରିଥିଲେ ମଧ୍ୟ ଘରୁ କୋକେଇ ଉଠେଇଲା କର୍କଟ । 

ଅଧିକ ପଢ଼ନ୍ତୁ--କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଦୁନିଆକୁ ଭଲକରି ବୁଝିବା ଆଗରୁ ଏହି ଦୁଇ ଛୁଆଙ୍କ ମୁଣ୍ଡ ଉପରୁ ବାପାର ହାତ ଉଠିଯାଇଛି । ସବୁଦିନ ପାଇଁ ବାପ ଛେଉଣ୍ଡ ହୋଇ ଏତେବଡ଼ ଦୁନିଆରେ ଆମେ କେମିତି ବଞ୍ଚିବୁ ବୋଲି ବିଧାତାକୁ ପ୍ରଶ୍ନ କରୁଛି ଏହି ନିରୀହ ଆଖି । ବଡ଼କଥା ହେଉଛି ସରକାରୀ ସହାୟତା ଯୋଗାଇ ଦେବାକୁ ରାଜନଗର ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି । ସତରେ ପରିବାରରେ ଜଣକର ମୃତ୍ୟୁ ଜୀବନ ଜିଇଁବା କଷ୍ଟକର କରିଦିଏ । ଆଉ ଯଦି ସୁରେଶଙ୍କ ଭଳି ଏକମାତ୍ର ରୋଜଗାରିଆ ହୋଇଥିବ ତା’ହେଲେ କେବଳ ଭଗବାନ ହିଁ ଭରସା ।