CRIME Photograph: (AI)
କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପାଟଣା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକ ଅନ୍ୟ ଏକ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ଜଣଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର କରିଛି ।
ଆହୁରି ପଢ଼ନ୍ତୁ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପିଟି ମାରିଦେଲେ ଗ୍ରାମବାସୀ
ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ପାଟଣା ସାହିର ବିଶ୍ୱନାଥ ବେଜଙ୍କ ପରିବାର ଓ ପ୍ରବୀଣ ବେଜଙ୍କ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ପୂର୍ବରୁ ବଚସା ହୋଇଥିଲା । ଏଥିରେ ରାଗିଯାଇ ବିଶ୍ୱନାଥଙ୍କ ପୁଅ ଓ ଜ୍ୱାଇଁ ପ୍ରବୀଣଙ୍କୁ ମାଡ଼ ମାରିଥିବା ଗ୍ରାମବାସୀ କହିଛନ୍ତି । ଏହାର ପ୍ରତିଶୋଧ ନେବା ପାଇଁ ଅପରାହ୍ନ ପ୍ରାୟ ୨ଟା ସମୟରେ ପ୍ରବୀଣ ଏକ ଛୁରୀ ଧରି ବିଶ୍ୱନାଥଙ୍କ ଘରେ ପଶିଥିଲା ।
ଅଭିଯୁକ୍ତ ପ୍ରବୀଣ ବିଶ୍ୱନାଥଙ୍କ ଜ୍ୱାଇଁଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯାଇଥିଲେ ହେଁ ତାଙ୍କୁ ସେଠାରେ ନପାଇ ବିଶ୍ୱନାଥଙ୍କୁ ଆକ୍ରମଣ କରିଥିଲା । ପ୍ରବୀଣ, ବିଶ୍ୱନାଥଙ୍କୁ ଛୁରୀ ଭୁସିବା ସହ ତାଙ୍କୁ ଘୋଷାଡ଼ି ଆଣି ରାସ୍ତାରେ ପକାଇ ଦେଇଥିଲା । ଏହି ସମୟରେ ବିଶ୍ୱନାଥଙ୍କ ସ୍ତ୍ରୀ ଖୁଜାରୀ ଓ ତାଙ୍କ ନାବାଳକ ପୁଅ ବଞ୍ଚାଇବାକୁ ଚେଷ୍ଟା କରିବାରୁ, ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଛୁରୀ ଭୁସି ରକ୍ତାକ୍ତ କରିଦେଇଥିଲା ।
ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଆହତଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଛନ୍ତି । ମା' ଓ ପୁଅଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ଓ ପର୍ଜଙ୍ଗ ଥାନା ଅଧିକାରୀ ଧିରେନ କୁମାର ବେହେରା ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ପ୍ରବୀଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
Follow Us