କନକ ବ୍ୟୁରୋ: ଭାରତୀୟ ଅର୍ଥନୀତି ପାଇଁ ବାଣିଜ୍ୟିକ ନିଅଣ୍ଟ ଏବେ ଏକ ଚିନ୍ତାର କାରଣ ହୋଇଛି । ୨୦୨୫ ଡିସେମ୍ବର ମାସରେ ବାଣିଜ୍ୟିକ ନିଅଣ୍ଟ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଗତ ଡିସେମ୍ବର ମାସରେ ଭାରତର ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ହାର ମାତ୍ର ୧.୮୬ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଏହି ସମୟରେ ଦେଶକୁ ବିଭିନ୍ନ ରାଷ୍ଟ୍ରରୁ ହେଉଥିବା ଆମଦାନି ୮.୮ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାରୁ ରପ୍ତାନି ଓ ଆମଦାନି ମଧ୍ୟରେ ଏକ ଉଲ୍ଲେଖନୀୟ ତଫାତା ଦେଖିବାକୁ ମିଳିଛି, ଯାହାକି ବାଣିଜ୍ୟିକ ନିଅଣ୍ଟରେ ପ୍ରତିଫଳିତ ହୋଇଛି । ଆମେରିକୀୟ ଶୁଳ୍କ ପ୍ରଭାବରୁ ଏହି ସମୟରେ ଭାରତରୁ ଆମେରିକାକୁ ରପ୍ତାନି ୧.୮୩ ପ୍ରତିଶତ ହ୍ରାସ ପାଇଛି । ତେଣୁ ତାହା ମୋଟ ରପ୍ତାନିକୁ କିଛିଟା ପ୍ରଭାବିତ କରିଛି ।
ଅଧିକ ପଢନ୍ତୁ; ଇରାନର ତେଲ ଡିପୋକୁ ଇସ୍ରାଏଲର ଟାର୍ଗେଟ । ମଧ୍ୟପ୍ରାଚ୍ୟରେ ଅଶାନ୍ତି ଭାରତୀୟ ଅର୍ଥନୀତିକୁ ଦେଇପାରେ ବଡ଼ ଝଟକା
କିନ୍ତୁ ଏ ସମ୍ପର୍କରେ ବାଣିଜ୍ୟ ବିଭାଗର ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଯେ ଆମେରିକାର ଶୁଳ୍କ ପ୍ରଭାବ ସତ୍ତ୍ବେ ଭାରତୀୟ ଅର୍ଥନୀତି ରପ୍ତାନି ଦିଗରେ ଥିବା ସମସ୍ତ ଆହ୍ବାନକୁ ସଫଳତାର ସହିତ ମୁକାବିଲା କରୁଛି। ଆଶ୍ବାସନାର ବିଷୟ ହେଲା, ଶୁଳ୍କ ବୃଦ୍ଧି ସତ୍ତ୍ବେ ଏବେ ବି ଭାରତରୁ ଆମେରିକାକୁ ରପ୍ତାନି ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚି ନାହିଁ। ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ଚଉଠ ମଧ୍ୟରେ ଭାରତରୁ ଆମେରିକାକୁ ୬୫୮୮ କୋଟି ଡଲାର ମୂଲ୍ୟର ସେବା ଓ ସାମଗ୍ରୀ ରପ୍ତାନି ହୋଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୬୦୦୩ କୋଟି ଡଲାର ଥିଲା । ଏହାକୁ ନେଇ ଦେଶରୁ ସେବା ଓ ଦ୍ରବ୍ୟ ରପ୍ତାନି ଚଳିତ ଆର୍ଥିକ ବର୍ଷରେ ଉତ୍ସାହଜନକ ରହିବ ବୋଲି ସେ ଆଶାପ୍ରକଟ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରୁ ମୋଟ ରପ୍ତାନି ୮୨୪୦୦ କୋଟି ଡଲାର ହୋଇଥିଲା । ତେବେ ଚଳିତ ଆର୍ଥିକ ବର୍ଷରେ ତାହା ୮୫୦୦୦ କୋଟି ଡଲାର ଟପିଯିବ ବୋଲି ଶ୍ରୀ ଅଗ୍ରୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/16/indian-economy-2026-01-16-13-54-19.jpg)