କନକ ବ୍ୟୁରୋ: ଜହର ପାଲଟିଲାଣି ଶହ ଶହ ଲୋକଙ୍କ ଜୀବନ ଧାରା । ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପ୍ରକୃତିର କୋଳରୁ ପ୍ରବାହିତ ହେଉଥିବା ଡମଶାଳା ନାଳ ବିଷାକ୍ତ ହୋଇପଡ଼ିଛି । ଏହାର ଜଳ ବ୍ୟବହାର କରି ଲୋକେ ନାନା ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ଖଣିର ଦୂଷିତ ଜଳ ଏଥିରେ ମିଶୁଥିବାରୁ ଏପରି ସମସ୍ୟା ଦେଖା ଦେଇଥିବା ସ୍ଥାନୀୟ ଲୋକେ କହିବା ପରେ, ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି କନକ ନ୍ୟୁଜ୍ ।

Advertisment

ଏହା ବି ପଢ଼ନ୍ତୁ: ୪୭ ବର୍ଷ ପରେ ହେବେ ଏକାଠି : ସ୍କ୍ରିନରେ କରିବେ ଧମାଲ୍ , ରଜନୀକାନ୍ତ,କମଲ ହାସନଙ୍କ ଦମଦାର୍ ଏଣ୍ଟ୍ରି

ଏ ହେଉଛି ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପ୍ରବାହିତ ଡମଶାଳା ନାଳ। ଏହି ପ୍ରାକୃତିକ ନାଳରେ କିଛି ମାସ ତଳେ ସ୍ୱଚ୍ଛ, ନିର୍ମଳ ଓ ବ୍ୟବହାର ଉପଯୋଗୀ ଜଳ ପ୍ରବାହିତ ହେଉଥିଲା। ହେଲେ ଏବେ ଯାତନା ସହୁଛି ଜୀବନଧାରା! । ଗୋଳିଆ ଦିଶୁଛି ପାଣି। ଗାଧୋଇବା, ଲୁଗା ସଫା ଓ ବାସନ ମଜା ପାଇଁ ସ୍ଥାନୀୟ ଲୋକେ ଏହି ନାଳ ଉପରେ ନିର୍ଭର କରନ୍ତି। ହେଲେ କାଳିଆପାଣି ଅଞ୍ଚଳରେ ନୂଆ ଖଣି ଖୋଳାଯିବା ପରେ ଜଳ ଦୂଷିତ ହୋଇଛି ଏବଂ ଲୋକମାନେ ଚର୍ମ ସମସ୍ୟା ସମେତ ବିଭିନ୍ନ ରୋଗର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ପାହାଡ଼ିଆ ଅଞ୍ଚଳରେ ଜଳକଷ୍ଟ ବଢ଼ିବ। ଏଭଳି ସ୍ଥିତିରେ ଡମଶାଳା ନାଳର ଦୁରବସ୍ଥା ଲୋକଙ୍କ ଚିନ୍ତା ବଢ଼ାଇଲାଣି । 

ଅଚାନକ କାହିଁକି ଦୂଷିତ ହେଲା ଡମଶାଳା ନାଳ? କାହିଁକି ରୋଗାଗ୍ରସ୍ତ ହେଉଛନ୍ତି ସ୍ଥାନୀୟ ଲୋକ? ପାଣିରେ ମିଶୁଛି କି କୌଣସି କ୍ଷତିକାରକ ଖଣିଜ? ଆଶଙ୍କା କରାଯାଉଛି, କ୍ରୋମାଇଟ୍‌ ଖଣିରୁ ନିର୍ଗତ ବର୍ଜ୍ୟ ଜଳ ଏହି ନାଳରେ ମିଶୁଛି! ଫଳରେ ପାଣି ଗୋଳିଆ ହେବା ସହ ବିଷାକ୍ତ ପାଲଟୁଛି! କ୍ରୋମାଇଟ୍‌ ଖଣିରୁ କ୍ଷତିକାରକ କ୍ରୋମିଅମ୍ ନିର୍ଗତ ହୋଇ ନାଳ ପାଣିରେ ମିଶୁଥିଲେ ଘଟଣା ସାଂଘାତିକ! ଏହା କେବଳ ମଣିଷ ନୁହେଁ, ଜୀବଜନ୍ତୁଙ୍କୁ ମଧ୍ୟ ହାନି ପହଞ୍ଚାଇବାର ଆଶଙ୍କା ରହିଛି । ବାରମ୍ୱାର ଏ ନେଇ ଅଭିଯୋଗ ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଖଣି ଅଞ୍ଚଳ ରାଜକୋଷ ବୃଦ୍ଧିର ମୁଖ୍ୟ ଉତ୍ସ ହୋଇଥିଲେ ମଧ୍ୟ, ସେଠାରେ ବସବାସ କରୁଥିବା ମଣିଷଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ପ୍ରତି ସରକାର ଗୁରୁତ୍ୱ ନଦେବା ନିଶ୍ଚିତ ରୂପେ ପରିତାପର ବିଷୟ ।