କନକ ବ୍ୟୁରୋ : ରାସ୍ତାକଡ଼ ଗାଁ ଦାଣ୍ଡରେ ମାଳମାଳ ବେଆଇନ ଇଟା ଭାଟି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଫୁ’ କରି ଦେଉଛନ୍ତି ଇଟା ଭାଟି ମାଲିକ । ବର୍ଷ ବର୍ଷ ଧରି ଭାଟି ମାଲିକ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ବେଆଇନ ଇଟା ଭାଟି ଚାଲିଆସୁଛି । ଏବେ ନୋଟିସ ଜାରି ପରେ ବନ୍ଦ ନହୋଇ ଚାଲୁ ରହିଛି କାରଖାନା । ପ୍ରଶାସନ ନୋଟିସ ପରେ ବି ଉଚ୍ଛେଦ ନକରି ବେପାରୀଙ୍କୁ ଖୋଲା ଛାଡିଦେଇଛି ।

Advertisment

ଅଧିକ ପଢ଼ନ୍ତୁ : ବଢୁଛି ତାତି; ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

ଯୁଆଡ଼େ ଅନେଇବ ସେଠି ଇଟା ଭାଟି । ନଦୀ ପଠାରୁ ଆରମ୍ଭ କରି ରାସ୍ତା କଡ଼ ଏପରିକି ଘର ଅଗଣା ଓ ବିଦ୍ୟାଳୟ ପାଖ ବି ପାଲଟିଛି ଇଟା ଭାଟି କାରଖାନା । ଭାଟିର ବିଷାକ୍ତ ଧୂଆଁ ଓ ପାଉଁଶ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଅଣନିଶ୍ୱାସୀ ହୋଇ ଯାଉଛନ୍ତି ପିଲା । ପ୍ରଦୂଷଣ ଆଇନର ଖୋଲାଖୋଲି ଉଲ୍ଲଂଘନ ! ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡ଼ିଲାନି ବିଦ୍ୟାଳୟ । ସବୁ ଦେଖି କାହିଁକି ଚୁପ୍‌ ସ୍ଥାନୀୟ ପ୍ରଶାସନ? ଦୟା ଓ ମକରା ନଦୀର ଘେରି ଭିତରେ ଥିବା କଣାସର ବୋତଳମା ଗାଁ ପାଲଟିଛି ବାୟୁ ପ୍ରଦୂଷଣର ଅନ୍ତୁଡ଼ିଶାଳ । ୫ଶହ ମିଟର ଦୂରରେ ଇଟା ଭାଟି କରିବାର ସରକାରୀ ନିୟମ ରହିଥିବାବେଳେ କୌଣସି ବି ନିୟମକୁ ମାନୁନାହାନ୍ତି ଅସାଧୁ ଇଟାଭାଟି ମାଲିକ ।

ଖାଲି ସେତିକି ନୁହେଁ, ଦୟା ଓ ମକରା ନଦୀପଠାରୁ ବେଆଇନ ମାଟି ଚୋରାଚାଲାଣ ବି ଚାଲିଛି । ଚାଷ ପାଇଁ ଉପଯୋଗୀ ଜମିକୁ ଖୋଳି ବଡ଼ ବଡ଼ ପୋଖରୀ କରିସାରିଲେଣି ମାଫିଆ । ବର୍ଷ ବର୍ଷ ଧରି ଖୁଲମଖୁଲା ବେଆଇନ ଇଟା ଓ ମାଟି ବେପାର ଚାଲିଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି,
ଭାଟିକୁ ଜାଳେଣି ପାଇଁ କୋଇଲା ଆସୁଛି କେଉଁଠୁ ? କିଏ କରୁଛି ଯୋଗାଣ ? ଅଭିଯୋଗ ପରେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଇଟା ଭାଟି ବନ୍ଦ ପାଇଁ ନୋଟିସ ଜାରି କରିଛି ପ୍ରଶାସନ । ତଥାପି ଗାଁରେ ଇଟା ପୋଡ଼ା ଚାଲିଛି, ମାଟି ଖୋଳା ଚାଲିଛି । ଅସାଧୁ ଇଟା ଭାଟି ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ଦାବି ହୋଇଛି ।