କନକ ବ୍ୟୁରୋ : ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରକୋପ ବଢ଼ିବା ସାଙ୍ଗକୁ ଜଙ୍ଗଲ ନିଆଁ ଏବେ ଚିନ୍ତାର କାରଣ ପାଲଟିଛି । ବୌଦ୍ଧରୁ କୋରାପୁଟ, କେନ୍ଦୁଝରରୁ ଉଦଳା ସବୁଠି ଜଳୁଛି ଜଙ୍ଗଲ । ହୁତୁ ହୁତୁ ହୋଇ ଜଳୁଛି ସଂରକ୍ଷିତ ବନାଞ୍ଚଳ । କେନ୍ଦୁଝର ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଅନେକ ଜଙ୍ଗଲରେ ଏହି ନିଆଁ ବନ ବିଭାଗର ନିଦ ହଜାଇ ଦେଇଛି ।

Advertisment

ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଥିଲେ ହେଁ, ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ । ଶୁଖିଲା ପତ୍ର ଯୋଗୁଁ ନିଆଁ ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼କୁ ଡେଉଁଛି । ସେପଟେ ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳରୁ ଆସିଛି ଭୟଙ୍କର ଚିତ୍ର । କଟୁରିଆ ଏବଂ ସାଣଦେଇ ସଂରକ୍ଷିତ ଜଙ୍ଗଲ ଏବେ ନିଆଁର କବଳରେ । ପତ୍ରଝଡ଼ା ଋତୁ ହୋଇଥିବାରୁ ତଳେ ପଡ଼ିଥିବା ଶୁଖିଲା ପତ୍ର ନିଆଁକୁ ବ୍ୟାପିବାରେ ଇନ୍ଧନ ସଦୃଶ କାମ କରୁଛି ।

ଅଧିକ ପଢ଼ନ୍ତୁ : ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ ଦିଲ୍ଲୀପ ରାୟଙ୍କ ପୋଷ୍ଟ, ବିଜୁ ପଟ୍ଟନାୟକଙ୍କୁ ନିଜର ଗୁରୁ ବୋଲି କହିଲେ

ପ୍ରଥମେ ସାଣଦେଇ ଜଙ୍ଗଲରେ ଲାଗିଥିବା ନିଆଁ ଏବେ କଟୁରିଆ ଜଙ୍ଗଲକୁ ଛାରଖାର କରିଦେଲାଣି । ଏହି ଅଗ୍ନିକାଣ୍ଡରେ କେବଳ ପରିବେଶ ନୁହେଁ, ବରଂ ଶାଗୁଆନ ଭଳି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ ଜଳି ପାଉଁଶ ହୋଇଯାଉଛି । ବନ୍ୟଜନ୍ତୁମାନେ ନିଜର ବାସସ୍ଥାନ ହରାଇ ଜନବସତି ଆଡ଼କୁ ମୁହାଁଉଛନ୍ତି । ଅନ୍ୟପଟେ କପ୍ତିପଦା ବନାଞ୍ଚଳର ବାଘମୁଣ୍ଡା ଜଙ୍ଗଲରେ ମଧ୍ୟ ସ୍ଥିତି ଅତ୍ୟନ୍ତ ସଙ୍ଗୀନ । ୧୮ ଘଣ୍ଟାରୁ ଅଧିକ ସମୟ ହେବ ଜଙ୍ଗଲ ଜଳୁଥିଲେ ସୁଦ୍ଧା ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।