କନକ ବ୍ୟୁରୋ :  ଟମାଟୋର ଅଭାବୀ ବିକ୍ରି ଚାଷୀର ମେରୁଦଣ୍ଡ କୁ ଦୋହଲାଇ ଦେଇଛି। ଲକ୍ଷ ଲକ୍ଷ ଟଙ୍କା ଋଣ କରି ବିଲାତି ଚାଷ କରିଥିବା ଚାଷୀ ଭଲ ଦୁଇ ପଇସା ରୋଜଗାର ଆଶା ବାନ୍ଧିଥିବା ବେଳେ ଅଭାବୀ ବିକ୍ରି ଚାଷୀର ଚିନ୍ତା ବଢ଼ାଇଛି। କିଲୋ ପିଛା ୧ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛି ଚାଷୀ। ବିକ୍ରି ଠାରୁ ବଳିଗଲାଣି ତୋଳିବା ଖର୍ଚ୍ଚ। ବିଲାତି ଚାଷ କରି ଚିନ୍ତାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ଘଷିପୁରା ଓ ହାଟଡିହି ବ୍ଲକର ପାଖାପାଖି ୪୦ରୁ ଅଧିକ ଚାଷୀ। କ୍ଷେତରେ ଦିନେ ଲାଲ୍ ଟମାଟୋ ହସାଉଥିବା ଚାଷୀ ଆଜି କାନ୍ଦୁଛି। ବଜାରରେ ଅଭାବୀ ବିକ୍ରି ଯୋଗୁଁ କେଜି ପିଛା ୧ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଧାର୍‌ କରଜ କରି, ସୁନା ଗହଣା ବନ୍ଧା ପକାଇ ଚାଷୀଟିଏ ସ୍ୱପ୍ନ ଦେଖିଥିଲା ଦୁଇ ପଇସା ପାଇବ। କିନ୍ତୁ ଆଜି ସେହି ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। 

Advertisment

ଅଧିକ ପଢ଼ନ୍ତୁ :Tomato Farmer : ମେକାନିକାଲ୍‌ ଇଞ୍ଜିନିୟର୍‌ଙ୍କ ଟମାଟୋ ଚାଷ : ରୋଜଗାର ଜାଣିଲେ ହୋସ୍‌ ଉଡ଼ିବ

 ପ୍ରତ୍ୟେକ ଦିନ ଶହଶହ ଗାଡ଼ିରେ ଏହି ଠାରୁ ବିଲାତି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଏ। ହେଲେ ଦୁଃଖର ବିଷୟ ଏଠାରେ ଶୀତଳ ଭଣ୍ଡାର ନାହିଁ। ଜମିରେ ଟମାଟୋ ପଚିସଢ଼ି ଯାଉଛି। ଅନ୍ୟପଟେ ଚାଷ ଆରମ୍ଭ ସମୟରେ ବିଲାତି ଦର ଆକାଶ ଛୁଆଁ ଥିଲା। ଅନ୍ୟ ଚାଷ ନକରି ଏହି ଚାଷ କରିବାକୁ ମନ ବଳାଇଥିଲେ ଚାଷୀ। ସବୁ ଓଲଟପାଲଟ ହୋଇଗଲା। ଏବେ ପରିସ୍ଥିତି ଏମିତି ଯେ, ବିଲରୁ ବିଲାତି ନତୋଳି ଗାଈ ଗୋରୁଙ୍କୁ ଖୁଆଇ ଦେଉଛନ୍ତି କିମ୍ବା ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି।  ଗୋଟିଏ ପରେ ବିଲାତିର ଦର ଅନ୍ୟପଟେ ପରିବାର ପ୍ରତିପୋଷଣ ଓ ଋଣ ସୁଝିବା ଚିନ୍ତା ଚାଷୀକୁ ହତୋତ୍ସାହିତ କରିପକାଇଛି। ତୁରନ୍ତ ସରକାର ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।