କନକ ବ୍ୟୁରୋ: ଦିନେ ବଡ ବଡ କମ୍ପାନିରେ ମେକାନିକାଲ ଇଞ୍ଜିନୟର ଭାବରେ ଚାକିରି କରୁଥିଲେ । ଭଲ ଦରମା ବି ଥିଲା । ହେଲେ ମନମାନି ନଥିଲା । ଶେଷରେ ଗାଁର ଚାଷ, କ୍ଷେତ ପୁଣି ଡାକଦେଇ ନେଇ ଆସିଲା ଗାଁ ମାଟିକୁ । ଚାକିରି ଛାଡି ନିଜ ଚାଷ କ୍ଷେତରେ ଆରମ୍ଭ କଲେ ଟମାଟୋ ଚାଷ । ଆଉ ଆଜି ସେ ଜଣେ ସଫଳ ଯୁବ ଚାଷୀ ହୋଇ ସାମ୍ନାକୁ ଆସିଛନ୍ତି ।
ମେକାନିକାଲ୍ ଇଞ୍ଜିନିୟର୍ଙ୍କ ଟମାଟୋ ଚାଷ
ଦିନକୁ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଅମଳ
ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ତସଲାଡିହି ଗାଁର ଅମିତ କୁମାର ନାଏକ । ପେସାରେ ମେକାନିକାଲ ଇଞ୍ଜିନିୟର । ଡିଗ୍ରି ପାସ୍ କରିବା ପରେ ଦୀର୍ଘ ୪ ବର୍ଷ ଧରି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ କମ୍ପାନି ଓ ପ୍ଲାଣ୍ଟରେ ଚାକିରି ମଧ୍ୟ କରିଥିଲେ । ଭଲ ଦରମା ମଧ୍ୟ ମିଳୁଥିଲା । ହେଲେ ସେଥିରେ ସନ୍ତୁଷ୍ଟ ନଥିଲେ ଅମିତ୍ । ଚାକିରି କରିବା ଅପେକ୍ଷା ନିଜସ୍ବ ଉଦ୍ୟମରେ ରୋଜଗାର କରିବାକୁ ଚେଷ୍ଟା କରି ସେ ୩ ବର୍ଷ ତଳୁ ଆରମ୍ଭ କରିଥିଲେ ଟମାଟୋ ଚାଷ । ପଡିଆ ଜମିରେ ଚାଷ କରି ଏବେ ବେଶ ସଫଳ ହୋଇଛନ୍ତି । ୟୁଟ୍ୟୁବରୁ ଅନେକ ଚାଷ ପ୍ରଣାଳୀ ଶିଖିବା ସହିତ ନିଜ ଗାଁର ବୟସ୍କ ବ୍ୟକ୍ତିଙ୍କଠାରୁ ପରାମର୍ଶ ନେଇ ସେ ଏହି ଚାଷ କରୁଛନ୍ତି ।
ପ୍ରଥମ ବର୍ଷ ଏତେ ସଫଳ ହୋଇପାରିନଥିଲେ । ଏହାପରେ ସେ ବିଭିନ୍ନ ରାଜ୍ୟର ଘରୋଇ ଚାଷ କେନ୍ଦ୍ରମାନଙ୍କୁ ଯାଇ ସେଠାରୁ ପ୍ରଶିକ୍ଷଣ ନେଲେ । ଉନ୍ନତ ମାନର ଚାରା କିଣି ୪ ଏକର ଜମିରେ ଟମାଟୋ ଚାଷ ଆରମ୍ଭ କରିଥିଲେ । ପୂରା ୪ ଏକର ଜମିରେ ହସୁଛି ତାଙ୍କର କ୍ଷେତ । ନାଲି, ହଳଦିଆ ଆଉ ଶାଗୁଆ ରଙ୍ଗର ଟମାଟୋରେ ଭର୍ତ୍ତି ହୋଇଛି ପୂରା କ୍ଷେତ । ଯେଉଁ ସ୍ୱପ୍ନ ନେଇ ଅମିତ୍ ଚାକିରି ଛାଡି ଚାଷ କାମ ଆରମ୍ଭ କରିଥିଲେ । ତାହା ଆଜି ସାକାର ହୋଇଛି । ପ୍ରତିଦିନ ୧୪ ରୁ ୧୫ କ୍ବିଣ୍ଟାଲ୍ ଟମାଟୋ ଅମଳ ହେଉଛି । ସୁନ୍ଦରଗଡ ବଜାର ସହ ଅନ୍ୟ ଅଞ୍ଚଳରେ ବିକ୍ରି କରି ସେ ବାର୍ଷିକ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।
ଅମିତ ବର୍ଷ ସାରା ଟମାଟୋ ଚାଷକୁ ଏଥିପାଇଁ ବାଛିଛନ୍ତି କାରଣ ସବୁ ପନିପରିବା ଅପେକ୍ଷା ଟମାଟୋର ଚାହିଦା ଅଧିକ ରହିଥାଏ । ଆଉ ବର୍ଷ ସାରା ଏହାର ଦର ମଧ୍ୟ କମିନଥାଏ । ସେ କେବଳ ନିଜେ ଚାଷ କରି ଟଙ୍କା ଉପାର୍ଜନ କରୁଛନ୍ତି ତାହା ନୁହେଁ ବରଂ ତାଙ୍କ ଚାଷ ଜମିରେ ୧୦ ରୁ ଅଧିକ ପରିବାରକୁ ରୋଜଗାର ଦେଇଛନ୍ତି । ଦିନେ ବଡ଼ ବଡ଼ କମ୍ପାନିରେ ଚାକରି କରି ଭଲ ରୋଜଗାର କରୁଥିଲେ । କେବଳ ନିଜେ ରୋଜଗାର କରୁଥିଲେ । ଏବେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ନିଯୁକ୍ତି । ଯାହା ତାଙ୍କୁ ଆତ୍ମସନ୍ତୋଷ ଦେଇଛି ।
(ସୁନ୍ଦରଗଡ଼ରୁ ଦେବାଶିଷ କବିଙ୍କ ରିପୋର୍ଟ)