Mahaprabhu Photograph: (Kanak news)
କନକ ବ୍ୟୁରୋ : ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଆଜି ମାର୍ଗଶିର ଶୁକ୍ଳପକ୍ଷ ଓଢ଼ଣ ଷଷ୍ଠୀ । ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ଓଢ଼ଣ ଷଷ୍ଠୀ ନୀତି । ଆଜିଠୁ ମହାପ୍ରଭୁ ଗଡ଼ା ବା ସୂତାବସ୍ତ୍ର, ଖଣ୍ଡୁଆପାଟ, ମଖମଲି ଘୋଡ଼ବସ୍ତ୍ର ପରିଧାନ କରିବେ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଘୋଡ଼ଲାଗି ନୀତି ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପବଢ଼ିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯାଇଛି ।
ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିବା ପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯାଇଛି । ବୁଧବାର ଷଷ୍ଠୀ ଅବସରରେ ନୀଳରଙ୍ଗ ଘୋଡ଼ ଲାଗି କରାଯାଇଛି । ମଖଲମ ଓ ସୂତା କପଡ଼ାରେ ଦରଜି ସେବକଙ୍କ ଦ୍ଵାରା ଶ୍ରୀଜିଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ହୋଇଛି ।
ଅଧିକ ପଢ଼ନ୍ତୁ--ଇଏ କି ଅଜବ ନିୟମ; ଭତ୍ତା ପାଇଁ ଅନ୍ୟର ମୃତ୍ୟୁକୁ ଅପେକ୍ଷା
ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜିଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି ।
Follow Us