କନକ ବ୍ୟୁରୋ: ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ। ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ବଡ଼ ସମାରୋହ। ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଦାସ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରପ୍ପା ମୋଇଲି, ରାଜ୍ୟସଭା ସଦସ୍ୟ ରଣଦୀପ ସୁର୍ଜେୱାଲା, କୋରାପୁଟ ସାଂସଦ ସପ୍ତଗିରି ଉଳ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ। ଆଜିଠୁ ଆସନ୍ତା ବର୍ଷ ଜାନୁଆୟୀ ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ବିଭିନ୍ନ କାର୍ଯ୍ୟକ୍ରମ ।
ଓଡ଼ିଶାର ରାଜନୈତିକ, ସାମାଜିକ ଏବଂ ସାଂସ୍କୃତିକ ଇତିହାସରେ ଜାନକୀ ବଲ୍ଲଭଙ୍କ ସ୍ଥାନ ସ୍ୱତନ୍ତ୍ର । ୧୯୨୭ ମସିହା ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଜନନାୟକ ନିଜର ଦୂରଦର୍ଶୀ ଚିନ୍ତାଧାରା ଓ କର୍ମନିପୁଣତା ଯୋଗୁଁ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ, ବରଂ ସେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଏବଂ ବିଜ୍ଞ ପଣ୍ଡିତ ଥିଲେ। ସଂସ୍କୃତ ଓ ଓଡ଼ିଆ ଭାଷା ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା।
ଅଧିକ ପଢନ୍ତୁ: ଯଶସ୍ୱୀ ଜନଜନାୟକଙ୍କୁ ମନେ ପକାଉଛି ଓଡିଶା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୩ତମ ଜୟନ୍ତୀ
“ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ’’ । ବେଣୀ ସଂହାରମ୍ ନାଟକରେ ମହାବୀର କର୍ଣ୍ଣଙ୍କ ଏହି ସଂଳାପ କେବଳ ଜାନକୀ ବଲ୍ଲଭଙ୍କ ମୂଳମନ୍ତ୍ର ନଥିଲା ବରଂ ନିଜ କର୍ମ ମାଧ୍ୟମରେ ସେ ଏହାକୁ ପ୍ରମାଣିତ କରିଥିଲେ । ଗୋଟିଏ ପଟେ ସାହିତ୍ୟ ଓ ସାମ୍ବାଦିକତା, ଅନ୍ୟପଟେ ରାଜନୀତି । ପ୍ରତିଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ପାରିଥିଲେ ସେ । ସତୁରୀ ଦଶକର ଆରମ୍ଭରେ ରାଜନୈତିକ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ଜାନକୀ ବଲ୍ଲଭ । ୧୯୭୧ରେ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ । ୧୯୮୦ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସକୁ ଯେଉଁ ସଫଳତା ଆଣିଦେଲେ ତାହା ଥିଲା ତାଙ୍କର ଚମକ୍ରାରିତା । ଜାନକୀ ବଲ୍ଲଭଙ୍କ ସାଂଗଠନିକ ଦକ୍ଷତା ଉପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଖଣ୍ଡ ବିଶ୍ୱାସ ରହିଥିଲା । ଶ୍ରମ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀ ହୋଇଥିଲେ ସେ ।
ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପରେ ହୋଇଥିଲା ଓଡିଶା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜାନକୀଙ୍କ ନେତୃତ୍ୱରେ କଂଗ୍ରେସର ବିପୁଳ ବିଜୟ ହେଲା । ଜାନକୀ ପଟ୍ଟନାୟକ ବିଧାୟକ ଦଳ ନେତା ହୋଇ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଲେ । ୧୯୮୫ରେ ମଧ୍ୟ ତାଙ୍କରି ନେତୃତ୍ୱରେ ଦଳ ବିଜୟ ଲାଭ କଲା ଓ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଅଳଂକୃତ ହୋଇଥିଲେ । ସେହିପରି ଜାନକୀଙ୍କ ନେତୃତ୍ୱରେ ୧୯୯୫ ବିଧାନସଭା ନିର୍ବାଚନ ଜିତି ସରକାର ଗଢିଲା କଂଗ୍ରେସ ଓ ତୃତୀୟଥର ପାଇଁ ସେ ହୋଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୦୪ରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଏବଂ ୨୦୦୯ରୁ ୨୦୧୪ ଯାଏଁ ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।
ଓଡ଼ିଶାକୁ ଏକ ଶିଳ୍ପ ବିକାଶିତ ରାଜ୍ୟରେ ପରିଣତ କରିବାରେ ଥିଲା ଜାନକୀ ବଲ୍ଲଭଙ୍କ ବଳିଷ୍ଠ ଯୋଗଦାନ । ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିପ୍ଳବ ହୋଇଥିଲା ଓଡ଼ିଶାରେ । କେବଳ ଶିଳ୍ପ ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ସେ ଆଣିଥିଲେ ବୈପ୍ଳବିକ ପରିବର୍ତନ । ଓମଫେଡ୍ ପ୍ରତିଷ୍ଠା ହୋଇଥିଲା ୧୯୮୦ ମସିହାରେ ଯେତେବେଳେ ଜାନକୀ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ଓପୋଲଫେଡ୍ ମଧ୍ୟ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା । ହୋଟେଲକୁ ଶିଳ୍ପର ମାନ୍ୟତା ଦେବା ସହ ସିନେମା ଶିଳ୍ପର ବିକାଶ ପାଇଁ ସ୍ଥାପନ ହୋଇଥିଲା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା ଓ କଳିଙ୍କ ଷ୍ଟୁଡିଓ ।
ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ କରିବାକୁ ତାଙ୍କର ଯେତିକି ଉଦ୍ୟମ ଥିଲା ଗରିବଙ୍କ କଲ୍ୟାଣ ପାଇଁ ସେତିକି ଥିଲା ଦରଦ । ଆଦିବାସୀ ଓ ମରୁଡି ପ୍ରବଣ ଅଂଚଳରେ ୨ ଟଙ୍କିଆ ଚାଉଳ ଯୋଜନା ଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବଡ କାର୍ଯ୍ୟକ୍ରମ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ବିଚକ୍ଷଣ ରାଜନେତା, ଜଣେ ସମାଜ ସଂସ୍କାରକ ଭାବେ ଜାନକୀ ବଲ୍ଲଭ ଯେତିକି ଜଣାଶୁଣା ଥିଲେ, ଜଣେ ସୁସାହିତ୍ୟିକ ଓ ସଂସ୍କୃତ ବିଶାରଦ ଭାବେ ଥିଲା ତାଙ୍କର ସେତିକି ଖ୍ୟାତି । ରାଜ୍ୟର କଳା, ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର ।
ଆଜି ତାଙ୍କ ଶତବାର୍ଷିକୀ ଅବସରରେ ଓଡ଼ିଶାବାସୀ ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ତାଙ୍କର ଜୀବନୀ ଓ କାର୍ଯ୍ୟଶୈଳୀ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଆଧୁନିକ ଓଡ଼ିଶାର ବିକାଶ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/03/janaki-ballabh-patnaik-2026-01-03-09-23-36.jpg)