ସେଦିନ ମଝି ସମୁଦ୍ରରେ କଣ ହୋଇଥିଲା ? କେମିତି ବୁଡ଼ିଯାଇଥିଲା ଟାଇଟନିକ୍‌ ?

Advertisment

ବ୍ରିଟିଶ କମ୍ପାନି ହର୍ଲାଣ୍ଡ ଆଣ୍ଡ ଉଲ୍‌ଫ ଟାଇଟନିକର ନିର୍ମାଣ କରିବା ବେଳେ ହ୍ୱାଇଟ ଷ୍ଟାର ଲାଇନ କମ୍ପାନି ଏହାର ପରିଚାଳନା ଦାୟିତ୍ୱରେ ଥିଲା

ବ୍ରିଟିଶ କମ୍ପାନି ହର୍ଲାଣ୍ଡ ଆଣ୍ଡ ଉଲ୍‌ଫ ଟାଇଟନିକର ନିର୍ମାଣ କରିବା ବେଳେ ହ୍ୱାଇଟ ଷ୍ଟାର ଲାଇନ କମ୍ପାନି ଏହାର ପରିଚାଳନା ଦାୟିତ୍ୱରେ ଥିଲା

Titanic Accident

Titanic Accident Photograph: (kanak News)

କନକ ବ୍ୟୁରୋ: ଏପ୍ରିଲ୍‌ ୧୪…ସେଦିନ ଏମିତି ଏକ ଘଟଣା ଘଟିଥିଲା ଯାହା ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ଛାତି ଧଡ଼ଧଡ଼ ହୁଏ । ସେଦିନ ଅଧ ରାତିରେ ପ୍ରଶାନ୍ତ ମହାସାଗରର ମଚମଚ ପାଣିରେ ବୁଡ଼ିଯାଇଥିଲା ବିଶ୍ବର ସବୁଠୁ ବଡ଼ ଜାହଜ ଟାଇଟନିକ୍‌ । ହେଲେ ଘଟଣାର ପ୍ରକୃତ କାରଣ କଣ ସେନେଇ ଆଜି ବି ଚର୍ଚ୍ଚା ଚାଲେ । କେହି କେହି ପାଗକୁ ଦୋଷ ଦିଅନ୍ତି ତ ଆଉ କେହି କେହି କ୍ୟାପଟେନ୍‌ଙ୍କ ଭୁଲ୍‌କୁ ଦାୟୀ କରନ୍ତି ।

ମଝି ସମୁଦ୍ରରେ ଘଟିଥିଲା ଅଘଟଣ
ଅନ୍ଧାର ରାତିରେ ଚାଲିଯାଇଥିଲା ୧୫ ଶହ ଲୋକଙ୍କ ଜୀବନ

ସମୁଦ୍ର ମଝି…ଘନ ଅନ୍ଧାର । ରାତିରେ ଶୋଇଥିବା ବେଳେ ସବୁଦିନ ପାଇଁ ଶୋଇ ପଡ଼ିଥିଲେ ୧୫ ଶହରୁ ଅଧିକ ଲୋକ । ତେବେ ଜାଣନ୍ତୁ କେମିତି ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା ?

୧୦ ଏପ୍ରିଲ ୧୯୧୨ ମସିହା । ଇଂଲଣ୍ଡର ସାଉଥହାଂପଟନରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରେ ଟାଇଟନିକ୍‌ । ସେହି ସମୟରେ ବିଶ୍ୱର ସବୁଠୁ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍ ଟାଇଟନିକ୍‌ କୁହାଯାଉଥିଲା । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ବି ଜାହାଜ ବୁଡିବ ନାହିଁ, ସେଇ ଢାଞ୍ଚାରେ ତିଆରି ହୋଇଥିଲା ଏହି ଲଗ୍‌ଜୁରୀ ଜାହଜ । ଜାହଜରେ ଥିଲେ ୨୨୨୪ ଜଣ ଯାତ୍ରୀ । ପ୍ରାୟତଃ ସମସ୍ତେ ଥିଲେ ଉଚ୍ଚ ଓ ସଂଭ୍ରାନ୍ତ ଶ୍ରେଣୀ ପରିବାରର । ବ୍ରିଟିଶ କମ୍ପାନି ହର୍ଲାଣ୍ଡ ଆଣ୍ଡ ଉଲ୍‌ଫ ଟାଇଟନିକର ନିର୍ମାଣ କରିବା ବେଳେ ହ୍ୱାଇଟ ଷ୍ଟାର ଲାଇନ କମ୍ପାନି ଏହାର ପରିଚାଳନା ଦାୟିତ୍ୱରେ ଥିଲା । ୩ ବର୍ଷ ଧରି ୩ ହଜାର ଶ୍ରମିକଙ୍କ ଅକ୍ଲାନ୍ତ ପରିଶ୍ରମରେ ତିଆରି ହୋଇଥିଲା ଟାଇଟନିକ । ଜାହଜର ନିର୍ମାଣରେ ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ମହଜୁଦ ଥିଲା ।

ସି ଟ୍ରାଏଲ୍‌ ପରେ ମିଳିଥିଲା ଗ୍ରୀନ ସିଗ୍ନାଲ
ଜାହଜରେ ଥିଲା ୩ ଲଗ୍‌ଜୁରୀ କକ୍ଷ

୧୯୧୨ ମସିହାରେ ସି ଟ୍ରାଏଲ୍‌ ପରେ ସମାନବର୍ଷ ଏପ୍ରିଲ ୨ ତାରିଖରେ ସମୁଦ୍ରରେ ଯାତ୍ରା କରିବାକୁ ଟାଇଟନିକ୍‌କୁ ମିଳିଥିଲା ଗ୍ରୀନ ସିଗ୍ନାଲ । ବିଳାଶପୂର୍ଣ୍ଣ ଜାହଜରେ ଯାତ୍ରା କରିବାକୁ ବାହରିଥିଲେ ବିଶ୍ୱର ବହୁ ଧନୀ ଓ ପ୍ରତିଷ୍ଠିତ ବ୍ୟକ୍ତି । ଯାତ୍ରୀଙ୍କ ଲାଗି ଜାହଜରେ A,B ଓ C ଭଳି ବିଭିନ୍ନ ଶ୍ରେଣୀର କକ୍ଷ ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଥମ ଶ୍ରେଣୀରେ ଯାତ୍ରା କରିବାକୁ ସେହି ସମୟରେ ୨ ଲକ୍ଷ ୭୦ ହଜାର, ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦେବକୁ ପଡିଥିଲା ପ୍ରାୟ ଲକ୍ଷେ ଟଙ୍କା । ଯାହା ମହଙ୍ଗା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସେଦିନ ଥିଲା ଏପ୍ରିଲ ୧୪
ଶାନ୍ତ ଥିଲା ସମୁଦ୍ର

୧୪ ଏପ୍ରିଲ...ଅଧରାତିରେ ସମୁଦ୍ର ଅନ୍ୟଦିନ ଅପେକ୍ଷା ବେଶ୍‌ ଶାନ୍ତ ଥିଲା । ସତେ ଯେମିତି କିଛି ଘଟଣା ଘଟିବା ପୂର୍ବରୁ ପ୍ରକୃତି ଯେମିତି ଶାନ୍ତ ହୁଏ… ତେଣୁ ଫୁଲ ସ୍ପିଡରେ ଲକ୍ଷ୍ୟସ୍ଥଳରୁ ବଢୁଥିଲା ଟାଇଟନିକ୍‌ । ହେଲେ ଆଟଲାଣ୍ଟିକ ମହାସାଗରରେ ବିରାଟକାୟ ବରଫ ପାହାଡ ବା ଆଇସବର୍ଗର ଉପସ୍ଥିତି ନେଇ ଟାଇଟନିକର କର୍ମଚାରୀଙ୍କୁ ଅବଗତ କରାଯାଇଥିଲା । ହେଲେ କ୍ୟାପଟେନ୍‌ ସ୍ମିଥ୍‌ ଏହାକୁ ଅଣଦେଖା କରିଦେଇଥିଲେ । ପୂରା ଦମ୍‌ରେ ଆଗକୁ ବଢୁଥିଲା ଜାହଜ । ରାତି ଠିକ୍‌ ୧୧.୪୦ ମିନିଟ୍‌ରେ ଜାହଜ ସାମ୍ନାରେ ବିରାଟ ବରଫ ଖଣ୍ଡ ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଜାହଜର ଗତିପଥ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ସବୁ ସରିଯାଇଥିଲା ସେତେବେଳକୁ । 

ହଠାତ୍‌ ବରଫ ଖଣ୍ଡ ସହ ଧକ୍କା ହୋଇଥିଲା ଜାହଜ
ରାତି ବଢୁଥିଲା, ଚିତ୍କାର ଶୁଭୁଥିଲା

ବରଫ ସହ ଧକ୍କା ଖାଇବା ପରେ ଜାହଜ କ୍ଷତିଗ୍ରସ୍ତ ହୋଇଥିଲା । ଖାଲି କ୍ଷତିଗ୍ରସ୍ତ ହୋଇଥିଲା ତାହା ନୁହେଁ ବରଂ ଏପ୍ରିଲ ୧୪ରେ କଳା ଇତିହାସ ଲେଖିବାକୁ ସତେ ଯେମିତି ଅପେକ୍ଷା କରିଥିଲା । ସମୟ ବଢୁଥିଲା, ଜାହଜର ଗୋଟିଏ ପରେ ଗୋଟିଏ ଭାଗରେ ପାଣି ପଶୁଥିଲା । ଯାତ୍ରୀଙ୍କ ମଧ୍ୟରେ ଧାଁ ଦଉଡ଼ ବି ଲାଗିଥିଲା । ଅନ୍ଧାର ରାତିରେ ପୁଣି ମଝି ସମୁଦ୍ରରେ କିଏ ବା କୁଆଡ଼େ ଯିବ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜାହଜ ବୁଡ଼ିବ ନାହିଁ ବିଶ୍ବାସ ଥିବାରୁ ସେତେ ପରିମାଣରେ ବୋଟ୍‌ କି ଲାଇଫ୍‌ ଜ୍ୟାକେଟ୍‌ ବି ନଥିଲା । ତେଣୁ ଯାତ୍ରୀମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଥିଲେ ।

ଅବଶ୍ୟ ୱୟାରଲେସ୍‌ରେ ଖବର ମିଳିବା ପରେ ଅନ୍ୟ ଜାହଜ ସାହାଯ୍ୟ ପାଇଁ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା । ସେଦିନ ରାତିରେ ପ୍ରକୃତରେ କଣ ଘଟିଲା, କେମିତି ହେଲା ଅନେକ କଥା ସାମ୍ନାକୁ ଆସେ । ଜାହଜ ଦୁର୍ଘଟଣାକୁ ନେଇ ଫିଲ୍ମ ବି ତିଆରି ହେଲା । ହେଲେ ସେ ଦିନ ପ୍ରକୃତ ଘଟଣା କଣ ଘଟିଥିଲା ସେନେଇ ଆଜି ବି ଚର୍ଚ୍ଚା ଚାଲେ । କିନ୍ତୁ ଜାହଜ ବୁଡ଼ିବା ଘଟଣାକୁ ଆଜି ବି କେହି ଭୁଲିନାହାନ୍ତି କି କାଲି ବି କେହି ଭୁଲିବେ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe