କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ ୨୦୨୫ ମସିହାରେ ଲଡୁ ବିକ୍ରି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ମସିହାରେ ମୋଟ ୧୩ କୋଟି ୫୨ ଲକ୍ଷରୁ ଅଧିକ ଲଡୁ ବିକ୍ରି ହୋଇଛି, ଯାହା ବିଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ । ୨୦୨୪ ମସିହାରେ ଏହି ସଂଖ୍ୟା ୧୨ କୋଟି ୧୫ ଲକ୍ଷ ଥିଲା । ତିରୁପତି ବାଲାଜୀ ମନ୍ଦିରର ଏହି ପବିତ୍ର ପ୍ରସାଦ 'ଶ୍ରୀଭାରୀ ଲଡୁ ପ୍ରସାଦମ୍' ନାମରେ ଜଣାଶୁଣା ।
ତିରୁମାଲା ତିରୁପତି ଦେବସ୍ଥାନମ ବୋର୍ଡ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଶ୍ରୀଭାରୀ ଲଡୁ ପ୍ରସାଦର ବିକ୍ରିରେ ଆସିଥିବା ଏହି ଅଭୂତପୂର୍ବ ବୃଦ୍ଧି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଓ ସେମାନଙ୍କ ସନ୍ତୋଷକୁ ଦର୍ଶାଉଛି । ୨୦୨୪ ତୁଳନାରେ ୨୦୨୫ରେ ଲଡୁ ବିକ୍ରିରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ଗତ ବର୍ଷ ତୁଳନାରେ ପ୍ରାୟ ୧ କୋଟି ୩୭ ଲକ୍ଷ ଅଧିକ ଲଡୁ ଶ୍ରଦ୍ଧାଳୁମାନେ କିଣିଛନ୍ତି ।
ଅଧିକ ପଢ଼ନ୍ତୁ---ଇରାନ ଆନ୍ଦୋଳନରେ ୭ ମୃତ୍ୟୁ, ଖାମନେଇଙ୍କ ବିରୋଧରେ ତୀବ୍ର ହେଉଛି ପ୍ରତିବାଦ
ଖାଲି ସେତିକି ନୁହେଁ, ଗୋଟିଏ ଦିନରେ ସର୍ବାଧିକ ଲଡୁ ବିକ୍ରି ହେବାର ରେକର୍ଡ ମଧ୍ୟ ୨୦୨୫ରେ ସୃଷ୍ଟି ହୋଇଛି । ବୋର୍ଡର ତଥ୍ୟ ଅନୁଯାୟୀ, ଡିସେମ୍ବର ୨୭ ତାରିଖରେ ଶ୍ରଦ୍ଧାଳୁମାନେ ମୋଟ ୫ ଲକ୍ଷ ୧୩ ହଜାର ଲଡୁ କିଣିଥିଲେ । ଭକ୍ତମାନେ ଶ୍ରୀଭାରୀ ଲଡୁ ପ୍ରସାଦର ସ୍ୱାଦ ଏବଂ ଗୁଣବତ୍ତାକୁ ନେଇ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି । ଏହି ସଫଳତା ପଛରେ 'ଶ୍ରୀଭାରୀ ପୋଟୁ' ଅର୍ଥାତ୍ ମନ୍ଦିର ରୋଷେଇ ଶାଳର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି । ଏହି ରୋଷେଇ ଶାଳରେ ପ୍ରାୟ ୭୦୦ ଜଣ ଶ୍ରୀ ବୈଷ୍ଣବ ବ୍ରାହ୍ମଣ ଦିନରାତି ଦୁଇଟି ସିଫ୍ଟରେ କାମ କରୁଛନ୍ତି । ଶତାବ୍ଦୀ ପୁରୁଣା ପରମ୍ପରା ଏବଂ କଠୋର ଧାର୍ମିକ ଅନୁଶାସନ ମଧ୍ୟରେ ଏହି ଲଡୁ ପ୍ରସ୍ତୁତ କରାଯାଏ ।
ସାଧାରଣତଃ ଏହି ରୋଷେଇ ଶାଳରେ ଦୈନିକ ୪ ଲକ୍ଷ ଲଡୁ ତିଆରି କରିବାର କ୍ଷମତା ରହିଛି । କିନ୍ତୁ ବିଶେଷ ପର୍ବପର୍ବାଣୀ ଏବଂ ପ୍ରବଳ ଭିଡ଼ ସମୟରେ ଏହି ସଂଖ୍ୟାକୁ ୮ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥାଏ । ଟିଟିଡି ପ୍ରଶାସନ କହିଛି ଯେ, ଲଡୁ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀର ଶୁଦ୍ଧତା ଏବଂ ପବିତ୍ରତା ବଜାୟ ରଖିବା ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି, ଯାହା ଦ୍ୱାରା ଭକ୍ତଙ୍କ ବିଶ୍ୱାସ ଅତୁଟ ରହିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/srivari-laddu-prasadam-2026-01-02-12-33-25.jpg)