କନକ ବ୍ୟୁରୋ : ୨୦୨୨ ପରେ  ପରେ ଇରାନରେ ପୁଣି ଥରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି । ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବେକାରୀ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି  ଇରାନ ବାସୀ ।  ଦଶଟି ବିଶ୍ୱବିଦ୍ୟାଳୟର ଛାତ୍ର ମଧ୍ୟ ଏହି ପ୍ରତିବାଦରେ ଯୋଗ ଦେଇଛନ୍ତି  । ପ୍ରଦର୍ଶନ ଏବେ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଇରାନରେ ଜାରି  ରହିଥିବା ପ୍ରଦର୍ଶନ ବେଳେ ସୁରକ୍ଷା ବଳ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ  ସଂଘର୍ଷ ଘଟିଥିଲା । ଯେଉଁଥିରେ ଅତିକମରେ ସାତ ଜଣଙ୍କର ମୃତ୍ୟୁ ଘଟିଛି  ।  ଏହି ବିକ୍ଷୋଭ ମୁଖ୍ୟତଃ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ଶାସନ ବିରୋଧରେ କରାଯାଉଛି । ତେବେ  ଏହି ବ୍ୟାପକ ଆନ୍ଦୋଳନ ପଛରେ କୌଣସି ଗୋଟିଏ କାରଣ ନାହିଁ, ବରଂ ଅନେକ ବର୍ଷର ଅସନ୍ତୋଷ ଏବେ ଜନତାଙ୍କ ମଧ୍ୟରେ  ଆନ୍ଦୋଳନ  ଘଟାଇଛି ।  
 
ଇରାନରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଦେଶର ମୁଦ୍ରା 'ରିଆଲ୍'ର ମୂଲ୍ୟ ଇତିହାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ୨୦୨୫ ଶେଷ ସୁଦ୍ଧା ମୁଦ୍ରାସ୍ଫୀତି ହାର ୪୨% ରୁ ୪୮% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦୈନନ୍ଦିନ ଖାଦ୍ୟପେୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ସାଧାରଣ ଲୋକଙ୍କ କ୍ରୟ ଶକ୍ତି ବାହାରକୁ ଚାଲିଯାଇଛି । ତେହେରାନର ଗ୍ରାଣ୍ଡ ବଜାରର ବ୍ୟବସାୟୀମାନେ ପ୍ରଥମେ ଦୋକାନ ବଜାର ବନ୍ଦ କରି ଏହି ଆର୍ଥିକ ଅବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । 

Advertisment

ଅଧିକ ପଢନ୍ତୁ ;  ପୁଣି ମୁହାଁମୁହିଁ ହୋଇପାରନ୍ତି ଇରାନ-ଇସ୍ରାଏଲ : ଚେତାବନୀ ଦେଲା ତେହେରାନ

ଆନ୍ଦୋଳନକାରୀମାନେ କେବଳ ଦରଦାମ ବୃଦ୍ଧି ନୁହେଁ, ବରଂ ଇରାନର ସ୍ଥାପିତ ଇସଲାମିକ ଶାସନ ବ୍ୟବସ୍ଥା ବିରୋଧରେ ନାରାବାଜି କରୁଛନ୍ତି। ବିକ୍ଷୋଭକାରୀମାନେ "ଏକଛତ୍ରବାଦୀ ଶାସକଙ୍କ ମୃତ୍ୟୁ ହେଉ" ଏବଂ ଖାମେନେଇଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ଏହି ଲଢ଼େଇ ଏବେ ଗଣତନ୍ତ୍ର ଏବଂ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଛି । ୨୦୨୨ ମସିହାରେ ମହସା ଅମିନିଙ୍କ ମୃତ୍ୟୁ ପରେ ହୋଇଥିବା ଆନ୍ଦୋଳନର ନିଆଁ ଏବେ ବି ଲୋକଙ୍କ ମନରେ ରହିଛି। ସେତେବେଳେ ମଧ୍ୟ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନର ଆନ୍ଦୋଳନରେ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ବହୁ ସଂଖ୍ୟାରେ ସାମିଲ ହୋଇଛନ୍ତି । ବିଶେଷ କରି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏହି ବିକ୍ଷୋଭର ମୁଖ୍ୟ କେନ୍ଦ୍ର ପାଲଟିଛି ।