Photograph: (KANAKNEWS)
କନକବ୍ୟୁରୋ : ଆଉ କେତେ ନିର୍ଯ୍ୟାତନା ସହିବ ନାରୀ। ବାହାଘର ଦିନଠୁ ଯୌତୁକ ନାଁରେ ବାରମ୍ବାର ଘରୋଇ ଅତ୍ୟାଚାର ଶିକାର ହେଉଥିଲେ ସିଏ । ଶଶୁର ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଲାଗି ବୋହୂକୁ ବାଧ୍ୟ କରୁଥିଲେ। ଶେଷରେ ଝିଅଟିଏ ଜନ୍ମ ଦେଲା ବୋଲି ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ସହ କୁନି ଶିଶୁଟିକୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲେ ଶାଶୁଘର ଲୋକେ । ନାରୀ ନିର୍ଯାତନାର ସବୁ ସୀମା ଟପିଗଲା ଭଳି ଅଭିଯୋଗ ଆସିଛି ମାଲକାନଗିରି ରୁ।
ଅଧିକ ପଢନ୍ତୁ.. ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ନବନିର୍ମାଣ କୃଷକ ସଂଗଠନର ୮ଘଣ୍ଟିଆ ଓଡ଼ିଶା ବନ୍ଦ : ସମର୍ଥନ ଜଣାଇ ସାମିଲ ହେଲା କଂଗ୍ରେସ
ଡାକ୍ତରଖାନାରେ ଶୋଇ ଲୁହ ଗଡ଼ାଉଛି ନବବଧୂ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଦିନର ଶିଶୁ କନ୍ୟା ସହ ଚିକିତ୍ସିତ ହେଉଛନ୍ତି ସ୍ୱପ୍ନା । ବିବାହ ପରେ ସୁଖର ଘର ସଂସାର କରିବେ, ପିଲାଛୁଆ ଗହଣରେ ହସଖୁସିର ଜୀବନ କାଟିବେ । ଏମିତି କେତେ ଆଶା ନେଇ କାଲିମେଳାର ଏମ୍ପିଭି ୫୨ ଗାଁର ସଂଜୟ ମଣ୍ଡଳଙ୍କ ହାତ ଧରିଥିଲେ ମାଲକାନଗିରି ଏମ୍ଭି ୮୦ ଗାଁର ସ୍ୱପ୍ନା ମଣ୍ଡଳ । ହେଲେ ଯୌତୁକ ଲୋଭି ମଣିଷଙ୍କ ପାଇଁ ସ୍ୱପ୍ନାଙ୍କ ସବୁ ସ୍ୱପ୍ନ ଭାସି ଯାଇଛି ଆଖି ଲୁହରେ । ବିବାହ ପରଠୁ ବାରମ୍ବାର ଶାରୀରିକ ନିର୍ଯାତନାର ଶିକାର ହେବାକୁ ପଡ଼ିଛି । ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ଆଘାତ ଦେବା ସହ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ସ୍ୱପ୍ନା । ସେଇଠି ସରିନି ଯୌତୁକ ଲୋଭି ଲୋକଙ୍କ ସୈତାନୀ କାର୍ଯ୍ୟକଳାପ । ନିଷ୍ପାପ ଶିଶୁକନ୍ୟାକୁ କଚାଡ଼ିବା ସହ ଲୁଣ ଦେଇ ମାରିବାକୁ ଉଦ୍ୟମ ! କରିଥିବା ଅଭିଯୋଗ ଆଣିଛନ୍ତି ସ୍ୱପ୍ନାଙ୍କ ପରିବାର ଲୋକେ।
ଶଶୁର ବୋହୂ ସହ ସମ୍ପର୍କ ରଖିବାକୁ ବାରମ୍ବାର ଉଦ୍ୟମ କରୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ୱପ୍ନାଙ୍କ ପରିବାର । ପୂର୍ବରୁ ମୋଟୁ ଥାନାରେ ପହଞ୍ଚିଥିଲା ପାରିବାରିକ ବିବାଦ। ଆପୋଷ ବୁଝାମଣାରେ ମିଳିମିଶି ରହିବା ଲାଗି ଚୁକ୍ତି ସ୍ୱାକ୍ଷର କରିଥିଲେ ସ୍ୱାମୀ ସଂଜୟ । ହେଲେ ଏଥର ସ୍ୱପ୍ନାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇ ନଥିଲେ ସ୍ୱାମୀ ଓ ଶାଶୁଘର । ପୂର୍ବରୁ ନିର୍ଯାତନାର ଶିକାର ହୋଇ କାଲିମେଳା, ମୋଟୁ, ଏମ୍ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ସ୍ୱପ୍ନା ସପ୍ତାହେ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସ୍ୱପ୍ନାଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ କାଲିମେଳା ପୁଲିସ ସ୍ୱପ୍ନାଙ୍କ ସ୍ୱାମୀ ସଂଜୟ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶଶୁର ଓ ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ଦେଶରେ ନାନା ଅଇନ୍ ଓ ସାମାଜିକ ବ୍ୟବସ୍ଥା ସତ୍ତ୍ୱେ ନାରୀ ନିର୍ଯାତନା ଥମୁନି କାହିଁକି ? କେଉଁଠି ରହିଛି ଅସମାନତା ? କେବେ ଆଉ କେମିତି ବଧ ହେବ ଲୋକଙ୍କ ଭିତରେ ଥିବା ଯୌତୁକ ରୂପକ ରାକ୍ଷସ ? ଏଥିପାଇଁ ଝିଅ ଘର ଲୋକ ମଧ୍ୟ ଅନେକାଂଶରେ ଦାୟୀ । କାହିଁକି ଝିଅ ବାହାଘର ପାଇଁ ଦେବେ ଜାନି ଯୌତୁକ।
Follow Us