କନକବ୍ୟୁରୋ : ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ପ୍ରମାଣପତ୍ର ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନୀର , ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ ।  ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି । ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି । ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ । ଓଡିଶା ବନ୍ଦର ପ୍ରଭାବ ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି ।  

Advertisment

ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘରେ ବଡ଼ ଦୁର୍ନୀତି, ୧୦ ଲକ୍ଷ ଟଙ୍କାର ମିଳୁନି ହିସାବ

ଯାଜପୁର ଜିଲ୍ଲାରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ପଡ଼ିଛି। ଟ୍ରେନ, ବସ, ଟ୍ରକ ଚଳାଚଳକୁ ବାଦ ଦେଲେ ବାକି ସବୁ ସ୍ୱାଭାବିକ ରହିଛି । ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ଦୋକାନବଜାର ଖୋଲା ରହିଥିବା ବେଳେ ଦୁଇଚକିଆ, ଚାରିଚକିଆ ଓ ଅଟୋରିକ୍ସା ଚଳାଚଳ ଜାରି ରହିଛି। ସହରରେ କୌଣସି ସ୍ଥାନରେ ଆନ୍ଦୋଳନ କିମ୍ବା ପିକେଟିଂ ଚାଲିଥିବା ଦେଖିବାକୁ ମିଳିନାହିଁ ।  ସେହିପରି ଯାଜପୁର ଟାଉନରେ ମଧ୍ୟ ଦୋକାନବଜାର, ଯାନବାହନ ଚଳାଚଳ ଜାରି ରହିଛି ।  ଜିଲ୍ଲା ଅଦାଲତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଫାଟକ ଖୋଲା ରହିଥିବା ବେଳେ ଆନ୍ଦୋଳନକାରୀ ସେଠାରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 

ଜଗତସିଂହପୁର ଜିଲ୍ଲାରେ ସହର ସମେତ ବିଭିନ୍ନ ଅଞ୍ଚଳରେ ନବ ନର୍ମାଣ କୃଷକ ସଂଗଠନର ବନ୍ଦ ପାଳନ କରାଯାଇଛି | ଦୋକାନ ବଜାର ସମେତ ଘରୋଇ ପ୍ରତିଷ୍ଠାନ, ବ୍ୟାଙ୍କ , ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି । କିନ୍ତୁ ପାରାଦୀପରେ ସେଭଳି ପ୍ରଭାବ ଦେଖିବାକୁ ମିଳି ନାହିଁ । ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଲେଶ୍ବର ଜିଲ୍ଲା ସଦର ମହକୁମା ତଥା ସହରଠାରୁ ନେଇ ବ୍ଲକଗୁଡିକରେ ବନ୍ଦର ବିଶେଷ ପ୍ରଭାବ ନାହିଁ । ଦୋକାନ ବଜାର, ପେଟ୍ରୋଲ ପମ୍ପ ଖୋଲା ଥିବାବେଳେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । 

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଠ ଘଣ୍ଟିଆ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ବନ୍ଦ ପାଳନ କରାଯାଇଛି । ବନ୍ଦ ଡାକରା ଯୋଗୁଁ ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇପଡ଼ିଛି । ଜାତୀୟ ରାଜପଥର ବୈପାରିଗୁଡାରୁ ସଂଯୋଗ କରୁଥିବା ମାଲକାନଗିରି ଜିଲ୍ଲା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ତଥା ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ରହିଛି ।  ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା  ଅନେକ ମାଲବାହୀ ଟ୍ରକ ଓ ବସ ବୈପାରିଗୁଡାରରେ ଅଟକି ରହିଥିବାର ଦେଖିବାକୁ ମିଳିଛି ।  ଫଳରେ ଯାତ୍ରୀମାନେ ବନ୍ଦ ପାଳନ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ବୈପାରିଗୁଡା ସଦର ମହକୁମାରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ଗଜପତି ଜିଲ୍ଲାରେ ପ୍ରଭାବ, ପାରଳାଖେମୁଣ୍ଡି ସହର ପ୍ରବେଶ ପଥ ଫରେଷ୍ଟ ଗେଟ୍ ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ତା ରଖି , ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଶହ ଶହ ଚାଷୀ ଏକତ୍ରିତ ହୋଇ ରାସ୍ତା ଉପରେ ସରକାରି ବିରୋଧୀ ନାରାବାଜି କରୁଛନ୍ତି ।  ଭଦ୍ରକରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ ।  ଭଦ୍ରକ ରେଳ ଷ୍ଟେସନ, ଭଦ୍ରକ ବସ ଷ୍ଟାଣ୍ଡ, ସରକାରୀ ଅଫିସ, ସ୍କୁଲ, କଲେଜ , ବ୍ୟବସାୟୀକ ପ୍ରତିଷ୍ଠାନ ସବୁ ବନ୍ଦ କରାଯାଇଛି ।  ରାଉରକେଲା ସହରରେ ଓଡ଼ିଶା ବନ୍ଦ ପ୍ରଭାବଶୂନ୍ୟ ରହିଛି ।  ଟ୍ରେନ, ବସ, ଟ୍ରକ ଚଳାଚଳ ସ୍ୱାଭାବିକ ରହିଛି ।  

ରାଉରକେଲା ସହରରେ ଦୋକାନବଜାର ଖୋଲା ରହିଥିବା ବେଳେ ଦୁଇଚକିଆ, ଚାରିଚକିଆ ଓ  ଅଟୋରିକ୍ସା ଚଳାଚଳ ଜାରି ରହିଛି । ବିଶ୍ରା ଛକରେ କିଛି ଆନ୍ଦୋଳନକାରୀ  ପିକେଟିଂ ଚାଲିଥିବା ଦେଖିବାକୁ ମିଳିଥିଲା । ସହର ରେ କିଛି ସ୍କୁଲ, କଲେଜ ବନ୍ଦ ରହିଛି  l  ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରାକୁ କଂଗ୍ରେସ  ବିଜେଡି ଓ କିଛି ବାମ ପନ୍ଥୀ ସଂଗଠନ ସମର୍ଥନ ଦେଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ବନ୍ଦ ପାଳନ ପ୍ରଭାବ ଶୁନ୍ୟ ରହିଛି । ସକାଳୁ ରେଳ ଷ୍ଟେସନ ଓ ପୁରୁଣା ବସ ଷ୍ଟାଣ୍ଡ ନିକଟରେ କିଛି ସମୟ ପାଇଁ ପିକେଟିଂ କରାଯାଇଥିବା ବେଳେ ସକାଳ ୯ଟା ପରଠାରୁ ଦୋକାନ ବଜାର ଖୋଲା ରହିଛି, ଗାଡ଼ି ମଟର ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି । ବନ୍ଦ ଡାକରା ଯୋଗୁ କିଛି ଘରୋଇ ବସ ଚଳାଚଳ ବନ୍ଦ ରହିଛି ।