କନକ ବ୍ୟୁରୋ :୪ ବର୍ଷର ଛୋଟ ଛୁଆଟିଏ … ଜୀବନ କ’ଣ ବୋଲି ଜାଣିବା ପୂର୍ବରୁ ହିଁ ଦୁନିଆକୁ ଛାଡ଼ି ଚାଲିଗଲା । କ’ଣ ଏମିତି ବି ଆସେ ମୃତ୍ୟୁ ! ସେ ତ ଚିପ୍ସ ଖାଉଥିଲା , ସେ କ’ଣ ଜାଣିଥିଲା ପ୍ୟାକେଟ୍ ଭିତରେ ଥିବା ପ୍ଲାଟିକ୍ ଖେଳନା ତା’ର ନିଶ୍ବାସ ଅଟକାଇଦେବ .. ଆଉ ଛଟପଟ ହୋଇ ଚାଲିଯିବ ତା’ର ଅମୂଲ୍ୟ ଜୀବନ । 

Advertisment

ଚିପ୍ସ ପ୍ୟାକେଟ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଚାଲିଯାଇଛି ୪ ବର୍ଷର ଶିଶୁର ଜୀବନ । କନ୍ଧମାଳ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲ ପ୍ରଧାନ । ସବୁଦିନ ପରି ପୁଅ କାନ୍ଦିବ ବୋଲି ବାପା ବିଗିଲ୍ ପାଇଁ ଏକ ଚିପ୍ସ ପ୍ୟାକେଟ୍ କିଣି ଆଣିଥିଲେ । ବିଗିଲ ଚିପ୍ସ ଖାଇଥିଲା ଆଉ ପ୍ୟାକେଟରୁ ବାହାରିଥିବା ଖେଳନା ବନ୍ଧୁକ ଧରି ଖେଳୁଥିଲା । କିନ୍ତୁ ଯାହା ହେଲେ ବି ଛୋଟ ପିଲାଟିଏ ଖେଳ ଖେଳ ଭିତରେ ପାଟିରେ ସେହି ପ୍ଲାଷ୍ଟିକ୍ ଖେଳନାଟିକୁ ଢୋକି ଦେଇଥିଲା । ଖେଳନାଟି ଛୁଆଟିର ତଣ୍ଟିରେ ଲାଖିଲା ଆଉ ବିଗିଲ କିଛି ସମୟ ଭିତରେ ହିଁ ଆକ୍ତାମାକ୍ତା ହୋଇଗଲା । ନିଶ୍ବାସ ପ୍ରଶ୍ବାସ ନେବାରେ ବଡ଼ କଷ୍ଟ ହେଲା । ବାପା,ମା’ ପ୍ରଥମେ ତଣ୍ଟିରୁ ଖେଳନା ବାହାର କରିବାକୁ ଯଥାସମ୍ଭବ ପ୍ରୟାସ କଲେ କିନ୍ତୁ ଅସଫଳ ହେବାରୁ ଆଉ ବିଳମ୍ବ ନକରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପୁଅକୁ ନେଇ ଆସିଲେ । କିନ୍ତୁ ସେତେବେଳକୁ ନେଡ଼ି ଗୋଡ଼ କହୁଣୀକୁ ବୋହି ଯାଇଥିଲା । କୁନିପୁଅ ବିଗିଲକୁ ଡାକ୍ତରଖାନାରେ ମୃତ ଘୋଷିତ କଲେ ଡାକ୍ତର । 

ଅଧିକ ପଢ଼ନ୍ତୁ--'ରୁଷ ତେଲ କିଣିଲେ ୫୦୦% ଟାରିଫ୍‌'; ପୁଣି ଧମକ ଦେଲେ ଡୋନାଲ୍ଟ ଟ୍ରମ୍ପ୍‌

ତେବେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟୁନାହିଁ । ୨୦୧୯ ମସିହାରେ ସମାନ ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲାରେ । ଚିପ୍ସ ପ୍ୟାକେଟରୁ ବାହାରୁଥିବା ପ୍ଲାଷ୍ଟିକ୍ ଖେଳନା ଢ଼ୋକି ବର୍ଷକର ଝିଅ ସୁଚିତ୍ରାର ଜୀବନ ମଧ୍ୟ ଚାଲିଯାଇଥିଲା । ପରିବାରର ଅଜାଣତରେ ବିଦ୍ୟାଧର ଜେନାଙ୍କ ଝିଅ ସୁଚିତ୍ରା ଚିପ୍ସ ଖାଉଥିବା ବେଳେ ପ୍ୟାକେଟରେ ଥିବା ଖେଳନାକୁ ମଧ୍ୟ ଖାଇ ଦେଇଥିଲେ । ତା’ପରେ ତଣ୍ଟିରେ ଅଟକି ଯାଇଥିଲା ପ୍ଲାଷ୍ଟିକ୍ । ଝିଅର ଏଭଳି ଅବସ୍ଥା ଦେଖି ତତକ୍ଷଣାତ୍ ପରିବାର ଲୋକ ସୁଚିତ୍ରାକୁ ଆନନ୍ଦପୁର ସବ୍ ଡିଭିଜନାଲ୍ ହସ୍ପିଟାଲ୍ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।