Kerla-2 Photograph: (kanak news)
କନକ ବ୍ୟୁରୋ : ବିପୁଲ ଏମ୍ ଶାହଙ୍କ ବିବାଦୀୟ ଚଳଚ୍ଚିତ୍ର ‘କେରଳ ଷ୍ଟୋରୀ-୨- ଗୋଜ୍ ବିୟଣ୍ଡ’ ର ରିଲିଜ ଉପରେ କେରଳ ହାଇକୋର୍ଟ ରୋକ୍ ଲଗାଇବା ପରେ ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ଟିକେଟ ବୁକିଂ ଜାରି ରହିଛି। କେରଳ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ସହିତ ସେନ୍ସର ବୋର୍ଡ଼କୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟପକ୍ଷରେ ଏହି ମାମଲା ସନ୍ଧ୍ୟାରେ ଡିଭିଜନ ବେଞ୍ଚରେ ନିକଟରେ ପହଞ୍ଚି ଥିଲା । ଶ୍ରୀଦେବ ନାମ୍ବୁଦ୍ରି ଓ ଫ୍ରେଡି ଫ୍ରାନ୍ସିସଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ଗୁରୁବାର କେରଳ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ବିଚୁ କୁରିଅନ ଥୋମାସ ଫିଲ୍ମର ରିଲିଜ ଉପରେ ୧୫ ଦିନର ସ୍ଥଗିତା ଦେଶ ଲାଗୁ କରିଥିଲେ । ତେବେ ପ୍ରଯୋଜକ ଗୁରୁବାର ରାତିରେ ଡିଭିଜନ ବେଞ୍ଚଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ଫିଲ୍ମର ରିଲିଜ ନେଇ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇ ନଥିଲା । ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଏବଂ ପି ଭି ବାଲକ୍ରିଷ୍ଣନଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ।
ତେବେ ଶୁକ୍ରବାର ସକାଳେ ଅନଲାଇନ ପ୍ଲାଟଫର୍ମ ‘ବୁକ୍ମାଇସୋ’ରେ ଟିକଟ ବୁକିଂ ପାଇଁ ଖୋଲା ରହିଥିଲା। ଏହାଦ୍ବାରା ରହିତାଦେଶ ସତ୍ତ୍ବେ ଫିଲ୍ମ ପ୍ରଦର୍ଶନ ଜାରି ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି । ମୁମ୍ବାଇରେ ୨୧ ଓ ଦିଲ୍ଲୀର ୧୪ ଥିଏଟରରେ ଶୁକ୍ରବାର ଫିଲ୍ମ ରିଲିଜ ହେବାକୁ ଅଛି । ଅନ୍ୟପକ୍ଷରେ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀଙ୍କୁ ମାଡ୍ରାସ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ମାର୍ଚ୍ଚ ୬ରେ ବର୍ତ୍ତମାନ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅବସର ପରେ ଏହି ପଦୋନ୍ନତି ଲାଗୁ ହେବ ।
ଅଧିକ ପଢ଼ନ୍ତୁ---ଭାରତୀୟ ନୌସେନାରେ ଆଜି ସାମିଲ ହେବ ଆଇଏନ୍ଏସ୍ ଅଞ୍ଜଦୀପ
Follow Us