କନକ ବ୍ୟୁରୋ: ଭାରତ ଏହାର ଉପକୂଳ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଗୁରୁତ୍ବ ଦେଇ ବୁଡ଼ାଜାହାଜ ବିରୋଧୀ ‘ଆଇଏନ୍‌ଏସ୍‌ ଅଞ୍ଜଦୀପ’କୁ ନୌସେନାରେ ସାମିଲ କରିବାକୁ ଯାଉଛି । ଚେନ୍ନାଇଠାରେ ଶୁକ୍ରବାର ଆଇଏନ୍‌ଏସ୍‌ ଅଞ୍ଜଦୀପକୁ ନୌସେନାରେ ସାମିଲ କରାଯିବ । ଶତ୍ରୁପକ୍ଷର ବୁଡ଼ାଜାହାଜକୁ ସମୁଦ୍ର ଭିତରେ ଧ୍ବଂସ କରିବାର କ୍ଷମତା ରଖିଥିବା ଏହି ଯୁଦ୍ଧ ଜାହାଜ ଭାରତର ‘ମେକ୍‌ ଇନ୍‌ ଇଣ୍ଡିଆ’ ର ଅଂଶବିଶେଷ ଓ ଏହାର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଷ୍ଟିଲରେ କରାଯାଇଛି । 

Advertisment

ଗାର୍ଡନ ରିଚ୍‌ ସିିପ୍‌ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ (ଜିଆର୍‌ଏସ୍‌ଇ) ଦ୍ବାରା ନିର୍ମିତ ଆଇଏନ୍‌ଏସ୍‌ ଅଞ୍ଜଦୀପ ପାଇଁ ଆବଶ୍ୟକ ବିଶେଷ ‌ଗ୍ରେଡ୍‌ ଷ୍ଟିଲ ମହାରତ୍ନ କମ୍ପାନି ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ (ସେଲ୍‌) ପକ୍ଷରୁ ପ୍ରଦାନ କରାଯାଇଥିଲା । ନୌସେନା ଗ୍ରହଣ କରିବାକୁ ଥିବା ଆଠଟି ଏପରି ଜାହାଜ ମଧ୍ୟରୁ ଅଞ୍ଜଦୀପ ହେଉଛି ତୃତୀୟ ଯୁଦ୍ଧଜାହାଜ ଯାହା ଅଗଭୀର ଜଳରେ ଶତ୍ରୁ ବୁଡ଼ାଜାହାଜଗୁଡ଼ିକୁ ଚିହ୍ନଟ ଏବଂ ନିଷ୍କ୍ରିୟ କରି ନୌସେନାର କ୍ଷମତାକୁ ବୃଦ୍ଧି କରିବ। ଗତବର୍ଷ ଆଇଏନ୍‌ଏସ୍‌ ଅର୍ନାଲା ଓ ଆଇଏନ୍‌ଏସ୍‌ ଆଣ୍ଡ୍ରୋଥକୁ ସାମିଲ କରାଯାଇଥିଲା । 

ନୌବାହିନୀରେ ସାମିଲ ହେବ ଆଇଏନ୍‌ଏସ୍‌ ଅନ୍ଦ୍ରୋଥ, ବିଶାଖାପାଟଣାରେ ହେବ ସାମିଲ

ଏହିସବୁ ଯୁଦ୍ଧଜାହାଜ ପାଇଁ ସେଲ୍‌ର ବୋକାରୋ, ଭିଲାଇ ଏବଂ ରାଉରକେଲାରେ ଥିବା ସମନ୍ୱିତ ଇସ୍ପାତ କାରଖାନାରୁ ସମୁଦାୟ ୩,୫୦୦ ଟନ୍ ସ୍ୱତନ୍ତ୍ର-ଗ୍ରେଡ୍ ଇସ୍ପାତ ଯୋଗାଣ କରାଯାଇଥିଲା । ଏହି ସଫଳତା ପ୍ରତିରକ୍ଷା ଉତ୍ପାଦନରେ ଭାରତର ଆତ୍ମନିର୍ଭରଶୀଳତାକୁ ଆହୁରି ବୃଦ୍ଧି କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଦୃଢ଼ କରିବା ପ୍ରତି ସେଲ୍‌ର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରିଥାଏ ।

 ବର୍ଷ ବର୍ଷ ଧରି ସେଲ୍‌ ପ୍ରତିରକ୍ଷା ସ୍ୱଦେଶୀକରଣରେ ଦେଶର ସ୍ୱତନ୍ତ୍ର-ଗ୍ରେଡ୍ ଇସ୍ପାତ ଆବଶ୍ୟକତାକୁ ନିରନ୍ତର ପୂରଣ କରିଆସିଛି ଏବଂ ଆଇଏନ୍‌ଏସ୍ ବିକ୍ରାନ୍ତ, ଆଇଏନ୍‌ଏସ୍‌ ଉଦୟଗିରି, ଆଇଏନ୍‌ଏସ୍‌ ନୀଳଗିରି, ଆଇଏନ୍‌ଏସ୍‌ ସୁରତ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଇସ୍ପାତ ଯୋଗାଇଛି । ରିପୋର୍ଟ ଅନୁଯାୟୀ, ୭୭ ମିଟର ଲମ୍ବା ଏବଂ ଏକ ହାଇ-ସ୍ପିଡ୍ ୱାଟର-ଜେଟ୍ ପ୍ରପଲ୍ସନ ସିଷ୍ଟମ ଦ୍ୱାରା ଚାଳିତ, ଏହି ଜାହାଜଟି ୨୫ ନଟ୍ ପର୍ଯ୍ୟନ୍ତ ବେଗ ହାସଲ କରିପାରିବ । ତାମିଲନାଡ଼ୁ ଓ ପୁଡୁଚେରୀ ପରି ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷକୁ ଦୃଢ଼ ଜବାବ ଦେବାରେ ସକ୍ଷମ ହେବ।