coldest day Photograph: (KanakNews)
କନକ ବ୍ୟୁରୋ: ଦିଲ୍ଲୀ ତଥା ଏନସିଆର୍ରେ ଗୁରୁବାର ଜାନୁଆରୀ ମାସର ସବୁଠୁ ଅଧିକ ଶୀତ ରେକର୍ଡ଼ କରାଯାଇଛି । ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୨.୯ ଡିଗ୍ରି ସେଲସିୟସ ରେକର୍ଡ଼ କରାଯାଇଥିଲା । ଏହାପୂର୍ବରୁ ୨୦୨୩ ଜାନୁଆରୀ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୧.୪ ଡିଗ୍ରି ରେକର୍ଡ଼ ହୋଇଥିଲା । ଗୁରୁଗ୍ରାମରେ ତାପମାତ୍ରା ୧ ଡିଗ୍ରୀରୁ କମ୍ ରେକର୍ଡ଼ କରାଯାଇଥିବାବେଳେ ଏଠାରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଶୀତ ସହିତ ଘନକୁହୁଡ଼ି ଦୃଶ୍ୟମାନ ଦୂରତା ହ୍ରାସ କରିଥିବାବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଜଣାପଡ଼ିଛି । ଗୁରୁବାର ସକାଳେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନକୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିଲା। ବହୁ ସ୍ଥାନରେ ଦୃଶ୍ୟମାନ ଦୂରତା ଶୂନକୁ ଖସି ଆସିଥିଲା ।
ଜିଲ୍ଲାସ୍ତରୀୟ ପାଣିପାଗ ବିଲେଟିନ ଅନୁଯାୟୀ ଦିଲ୍ଲୀରେ ସକାଳ ୭ ଟା ପରେ ଘନକୁହୁଡ଼ି ଅଧିକ ପ୍ରଭାବିତ କରିପାରେ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। କୁହୁଡ଼ି ଯୋଗୁ ସଡ଼କ , ରେଳ ତଥା ବିମାନ ସେବା ପ୍ରଭାବିତ ହୋଇପାରେ । ଦିଲ୍ଲୀ ବାୟୁ ଗୁଣବତ୍ତା ଅତି ଖରାପ ରହିଛି । ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୩୫୬ ରେକର୍ଡ଼ କରାଯାଇଛି । ଯାହା ଅତି ଖରାପ ଶ୍ରେଣୀରେ ରହିଛି । ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ ୩୦୦ ଉପରେ ରହିବ ବୋଲି କୁହାଯାଇଛି । ଚାନ୍ଦିନୀ ଚୌକରେ ସବୁଠୁ ଅଧିକ ଏକ୍ୟୁଆଇ ୪୦୪ ରହିଛି ।
ଅଧିକ ପଢନ୍ତୁ: ଟ୍ରମ୍ପଙ୍କ ଚରମବଣୀ, ଗ୍ରିନଲାଣ୍ଡକୁ ସମ୍ପୂର୍ଣ୍ଣ ଦଖଲ କରିବା ଛଡ଼ା ଅନ୍ୟ କିଛି ଗ୍ରହଣୀୟ ନୁହେଁ
ନେହରୁ ନଗରରେ ୪୦୨, ପୁସାରେ ୪୦୧, ଜାହାଙ୍ଗୀରପୁରୀରେ ୩୯୭, ବିବେକ ବିହାରରେ ୩୯୭, ରୋହିଣୀରେ ୩୯୩ , ପଞ୍ଜାବୀ ବାଗରେ ୩୯୨ ଯାହାକି ଅତ୍ୟନ୍ତ ଖରାପ ଶ୍ରେଣୀରେ ଯାଉଛି । ପଶ୍ଚିମ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବରେ ମଧ୍ୟ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ଆଇଏମ୍ଡି ସୂଚନାନୁୟାୟୀ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଆସନ୍ତା ଦୁଇ ଦିନ ପାଇଁ ଶୀତ ଲହରି ପ୍ରବାହିତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ବିମାନ ବିଳମ୍ବ ନେଇ ଯାତ୍ରୀମାନଙ୍କ ପାଇଁ ପରାମର୍ଶବଳୀ ଜାରି କରାଯାଇଛି ।
Follow Us