କନକବ୍ୟୁରୋ : ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରି ପ୍ରବାହିତ ହେଉଥିବାବେଳେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିଲ୍ଲୀରେ ତାପମାତ୍ରା କମ୍‌ ରହିଥିବାବେଳେ ଦିଲ୍ଲୀ, ଏନ୍‌ସିଆର୍‌ ଓ ଉତ୍ତର ଭାରତ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୀତ ଲହରି ନେଇ ଚେତାବନୀ ଜାରି କରିଛି  ।  ଆଇଏମ୍‌ଡି ବୁଲେଟିନ୍‌ ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶ, ଜମ୍ମୁ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଶୀତ ଲହରୀ ପ୍ରବାହିତ ହେବ ।  ରାଜସ୍ଥାନ, ବିହାର, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର ଓ ନାଗାଲାଣ୍ଡର କେତେକ ସ୍ଥାନରେ ଘନକୁହୁଡ଼ି ସହିତ ଶୀତ ଲହରୀ ପ୍ରବାହିତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।  ଦିଲ୍ଲୀ ଓ ଏନସିଆର୍‌ରେ ଜାନୁଆରି ୧୭ ପର୍ଯ୍ୟନ୍ତ ଘନକୁହୁଡ଼ି ଦୃଶ୍ୟମାନ ହେବ। ସୋମବାରର ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗରେ ସବୁଠୁ କମ୍‌ ୩.୨ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଥିଲା  ।

Advertisment

ରେଳ ଅଧିକାରୀ ଆଉ କଳା କୋଟ୍‌ ପିନ୍ଧିବେ ନାହିଁ: ପୁରୁଣା ଡ୍ରେସ୍ କୋଡ୍‌ରେ ପରିବର୍ତ୍ତନ

ରବିବାର ଦିଲ୍ଲୀରେ ତାପମାତ୍ରା ୨.୯ ଡିଗ୍ରିକୁ ଖସି ଯାଇଥିଲା  ।   ଆୟାନଗରଠାରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ଼ କରାଯାଇଥିଲା ।   ପାଲମରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରହିଥିଲା । ସଫଦରଜଙ୍ଗରେ ୪ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଥିଲା ।   ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତିକ ବିମାନବନ୍ଦରରେ କ୍ୟାଟ୍ ୩ କଟକଣା ଲାଗୁ କରାଯାଇଛି। ଘନକୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଯାଇଥିବାରୁ ଏହି କଟକଣା ଲାଗୁ କରାଯାଇଛି ।  ବିମାନ ବନ୍ଦର ଅଞ୍ଚଳରେ ଘନକୁହୁଡ଼ି ଥିବାରୁ ସକାଳ ୮ଟାରେ ଜାରି ନୋଟିସରେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି ।  ସେହିପରି ଦିଲ୍ଲୀରେ ପ୍ରଦୂଷଣ ସ୍ତର ଖରାପ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତଥ୍ୟ ଅନୁଯାୟୀ, ରବିବାର ୪ଟାରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୯୧ ରହିଥିଲା, ଯାହାକି ଖରାପ ଶ୍ରେଣୀରେ ଯାଉଛି  ।