Deceased Farmer Photograph: (Kanak News)
କନକ ବ୍ୟୁରୋ : ରାଜନଗର ଚାଷୀ ମୃତ୍ୟୁ ଘଟଣାକୁ ଏହା ଭିତରେ ତିନି ଦିନ ପୂରିଲାଣି । ତଥାପି ରହସ୍ୟ ଉପରୁ ପରଦା ଉଠାଇ ପାରୁନି ପୁଲିସ୍ । ଅନ୍ୟପଟେ ଚାରିଆଡୁ ଚାପ ପଡିବା ପରେ ଖୋଳତାଡ଼ ଆରମ୍ଭ କରିଛି ପ୍ରଶାସନ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ମଣ୍ଡି ଅବ୍ୟବସ୍ଥାର ଚିତ୍ର ।
ବ୍ୟବସ୍ଥା ଉପରୁ ଯେତେବେଳେ ଭରସା ତୁଟି ଯାଏ, ମୃତ୍ୟୁ ପରେ ବି କାରଣକୁ ନେଇ ଛକାପଞ୍ଝା ଲାଗି ରହେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ମୃତ ଚାଷୀ ତ୍ରିଲୋଚନଙ୍କ ପତ୍ନୀ ତହସିଲଦାରଙ୍କ ଗୋଡ଼ତଳେ ପଡି ନ୍ୟାୟ ମାଗୁଛନ୍ତି । ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଭିତରେ ରାଜନଗରରେ ପହଁଚିଛି ଜିଲ୍ଳା ପ୍ରଶାସନ । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଚାରିଜଣିଆ ଟିମ ଡାଙ୍ଗମାଳ ସମବାୟ ସମିତି ଯାଇ ଯାଞ୍ଚ କରିଛନ୍ତି । ମୃତ ଚାଷୀ ତ୍ରିଲୋଚନଙ୍କ ପରିବାରକୁ ଭେଟି ବିଭିନ୍ନ ବିଷୟରେ ପଚାରି ବୁଝିଛନ୍ତି ।
ଅଧିକ ପଢ଼ନ୍ତୁ : ସମଲେଶ୍ୱରୀଙ୍କ ଦର୍ଶନ କରି ସମଲେଇ ପ୍ରକଳ୍ପ ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍; ବିରୋଧ କରି ସମ୍ବଲପୁରେ ଗର୍ଜିଲେ ଚାଷୀ
ରାଜନଗର ଚାଷୀ ମୃତ୍ୟୁ ଅଭିଯୋଗ ପରେ ଜୋର ଧରିଛି ରାଜନୀତି । ବିରୋଧୀ ସରକାରକୁ ଦୋଷ ଦେଉଥିବାବେଳେ ଶାସକ ଦଳ ମାନିବାକୁ ନାରାଜ । ଏହା ଭିତରେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ମଣ୍ଡି ଅବ୍ୟବସ୍ଥାକୁ ନେଇ ତମ୍ବିତୋଫାନ ଚାଲିଥିଲେ ବି ସ୍ଥିତିରେ ସୁଧାର ଆସିନି । ରାଜନଗରର ମିଲରେ ଲାଗିଛି ଧାନ ବସ୍ତା ଲଦା ହୋଇଥିବା ଗାଡ଼ିର ଲମ୍ବା ଲାଇନ୍ । ତ୍ରିଲୋଚନଙ୍କ ଭଳି ଧାନ ବିକିବାକୁ ଆସି ପେଶି ହେଉଛନ୍ତି । ମଣ୍ଡିରୁ ଧାନ ନଉଠିବାରୁ ମାଥିଲିରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ମାଲକାନଗିରି ମୁଖ୍ୟ ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି ।
ତ୍ରିଲୋଚନଙ୍କ ପୁଅ ତାଙ୍କ ବାପାଙ୍କ ମୃତ୍ୟୁ ପାଇଁ ଦାୟିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଅଭିଯୋଗ କରିଛନ୍ତି । ମଣ୍ଡି ଯନ୍ତ୍ରଣା ସହିନପାରି ତ୍ରିଲୋଚନଙ୍କ ହୃଦଘାତରେ ଜୀବନ ଯାଇଛି ବୋଲି ପ୍ରଥମରୁ କହି ଆସୁଛନ୍ତି ତାଙ୍କ ପରିବାର ।
Follow Us