କନକ ବ୍ୟୁରୋ : ମହାନଦୀ ଜଳ ବିବାକୁ ନେଇ ଓଡ଼ିଶା ଗସ୍ତରେ ଅଛନ୍ତି ଟ୍ରିବ୍ୟୁନାଲର ସଦସ୍ୟ । ଗତକାଲି ହୀରାକୁଦ, ଚିପିଲିମାରେ ଅନୁଧ୍ୟାନ କରିବା ପରେ ଆଜି ସମ୍ବଲପୁରରେ ମା’ ସମଲେଇ ଦର୍ଶନ କରିବା ପରେ ସମଲେଇ ପ୍ରକଳ୍ପ ବୁଲି ଦେଖିଛନ୍ତି । ଅନ୍ୟପଟେ ଟ୍ରିବୁନାଲକୁ ବିରୋଧ କରି କଟକରେ ପ୍ରତିବାଦ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।

Advertisment

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ବିବାଦ ସମାଧାନ ପାଇଁ ଚାଲିଛି ବାଟ ଖୋଜା । ଉଭୟ ରାଜ୍ୟର ସ୍ୱାର୍ଥ ଯେମିତି ସୁରକ୍ଷିତ ରହିବ, ତାକୁ ନଜରରେ ରଖି ପାଦ ପକାଉଛନ୍ତି ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ଅଧ୍ୟକ୍ଷା ଜଷ୍ଟିସ୍ ଏମ. ବେର୍ଲାଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଗତକାଲି ମହାନଦୀର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି ସମ୍ବଲପୁରରେ ମା’ ସମଲେଶ୍ୱରୀ ଦର୍ଶନ କରିବା ପରେ ସମଲେଇ ପ୍ରକଳ୍ପ ବୁଲି ଦେଖିଛନ୍ତି ।

ଅଧିକ ପଢ଼ନ୍ତୁ : ରାଜ୍ୟସଭା ପ୍ରାର୍ଥୀ, ନବୀନ-ଭକ୍ତ ଏକାଠି ! ନବୀନ ନିବାସରେ ହୋଇଥିଲା ଗୁପ୍ତ ରଣନୀତି !

ଉଭୟ ରାଜ୍ୟର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହ ଓ ଅନ୍ୟାନ୍ୟ ସ୍ଥିତି ସମ୍ପର୍କରେ ବୁଝିଥିଲେ । ହୀରାକୁଦ ନଦୀବନ୍ଧର ଜଳ ଧାରଣ କ୍ଷମତା ଓ ଜଳ ବିଦ୍ୟୁତ୍ ଉତ୍ପାଦନର ସ୍ଥିତି ନେଇ ଆଲୋଚନା କରିଥିଲେ । ଓଡ଼ିଶା ଗସ୍ତରେ ଥିବା ମହାନଦୀ ଟ୍ରିବ୍ୟୁନାଲଙ୍କୁ ଜାରି ରହିଛି ବିରୋଧ । କଟକରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିରୋଧ କରାଯାଇଥିବାବେଳେ ସମ୍ବଲପୁରରେ ଚାଷୀ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ବିଳାସମୟ ଗସ୍ତକୁ ବିରୋଧ କରି କଟକରେ ଦୁଇ ଘଣ୍ଟିଆ ଧାରଣା ଦିଆଯାଇଥିଲା । କଟକ ନଗର କଂଗ୍ରେସ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇ ମହାନଦୀକୁ ବଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି । ସେପଟେ ପ୍ରତିବାଦ ସମୟରେ ସମ୍ବଲପୁରରେ ଚାଷୀଙ୍କୁ ଉଠାଇ ନେଇଥିଲା ପୁଲିସ୍ ।

ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଗସ୍ତରେ ଆସିବା ନେଇ ଖବର ଆସିବା ଦିନ ଠାରୁ ବିବାଦ ଲାଗି ରହିଛି । ସଦସ୍ୟମାନେ ଯେତିକି ମହାନଦୀ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି ତାଠୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ଯାଇ ବୁଲିବା କାର୍ଯ୍ୟକ୍ରମ ରହିଥିବାରୁ ବିବାଦ ବଢ଼ିଛି ।