IPL Photograph: (Kanak News)
କନକ ବ୍ୟୁରୋ: ୨୦୨୬ IPLର ମିନି ଅକ୍ସନ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ । ଏହା ଲଗାତାର ତୃତୀୟ ଥର ପାଇଁ ହେବ ଯେତେବେଳେ IPL ନିଲାମ ଭାରତ ବାହାରେ ଅନୁଷ୍ଠିତ ହେବ । ୨୦୨୪ ରେ ପ୍ରଥମ ଥର ପାଇଁ IPL ନିଲାମ ଦୁବାଇରେ ଅନୁଷ୍ଠିତ ହୋଇଥିବାବେଳେ ୨୦୨୫ ସିଜନର ମେଗା ନିଲାମ ନଭେମ୍ବର ୨୦୨୪ରେ ଜେଡାଠାରେ ଅନୁଷ୍ଠିତ ହୋଇଥିଲା।
ପ୍ରତ୍ୟେକ ଥର ମିନି ନିଲାମ ଗୋଟିଏ ଦିନର ହେଉଥିବାବେଳେ, ୨୦୨୬ ନିଲାମ ମଧ୍ୟ ଗୋଟିଏ ଦିନର ହେବ । ଫ୍ରାଞ୍ଚାଇଜ୍ ଗୁଡ଼ିକୁ ୨୦୨୫ ସିଜନର ସ୍କ୍ୱାଡରୁ କେଉଁ ଖେଳାଳିଙ୍କୁ ରିଟେନ କିମ୍ବା ରିଲିଜ କରିବାକୁ ହେବ, ସେମାନଙ୍କ ତାଲିକା ନଭେମ୍ବର ୧୫ ତାରିଖ ଅପରାହ୍ନ ୩ଟା ସୁଦ୍ଧା BCCIକୁ ଦେବାକୁ ପଡ଼ିବ । ଏହାପରେ ବୋର୍ଡ ପକ୍ଷରୁ ସେମାନଙ୍କୁ ଖେଳାଳିଙ୍କ ପଞ୍ଜୀକୃତ ତାଲିକା ପଠାଯିବ, ଯେଉଁଥିରୁ ଏକ ସର୍ଟଲିଷ୍ଟ ପ୍ରସ୍ତୁତ କରାଯିବ । ଏହି ତାଲିକାକୁ ଅନ୍ତିମ ରୂପ ଦେଇ IPL ୨୦୨୬ ମିନି ନିଲାମ ପୁଲ୍ ସ୍ଥିର କରାଯିବ ।
ଆହୁରି ପଢ଼ନ୍ତୁ... ସମ୍ବଲପୁରରେ ସାଂଘାତିକ ସ୍ଥିତି ; ଜୋରଦାର ଚାଲିଛି ନିଶା କାରବାର
ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ବଡ଼ କ୍ୟାଶ ଡିଲ୍ କରିଛି । ସେମାନେ ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ଏବଂ ଗୁଜରାଟ ଟାଇଟାନ୍ସରୁ ଶେରଫେନ ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି । ଏହା ବ୍ୟତୀତ, BCCI IPL ୨୦୨୬ ପାଇଁ ସମ୍ଭାବ୍ୟ ୱିଣ୍ଡୋ ମାର୍ଚ୍ଚ ୧୫ରୁ ମେ ୩୧ ପର୍ଯ୍ୟନ୍ତ ରଖିଛି । ଅର୍ଥାତ୍ ଆସନ୍ତା ସିଜନରେ ମଧ୍ୟ ଦର୍ଶକମାନେ ପ୍ରାୟ ଅଢ଼େଇ ମାସର ଧମାକାଦାର କ୍ରିକେଟ୍ ଦେଖିବାକୁ ପାଇବେ ।
LSGର ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ମୁମ୍ବାଇ ଇଣ୍ଡିଆନ୍ସରୁ ନେବାକୁ ଆଲୋଚନା ଚାଲିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟ୍ରେଡକୁ ନେଇ ଆଲୋଚନା ଚାଲିଛି । ଯେଉଁଥିରେ CSKକୁ ଭାରତୀୟ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ମିଳିବାର ଆଲୋଚନା ଚାଲିଛି, ଏବଂ ରାଜସ୍ଥାନକୁ ରବୀନ୍ଦ୍ର ଜାଡେଜା ଏବଂ ସାମ କରନ ପରି ଅଲରାଉଣ୍ଡରଙ୍କୁ ନିଜ ଦଳରେ ସାମିଲ କରିବାର ଆଲୋଚନା ଚାଲିଛି, ତେବେ ଏହା ଉପରେ ଚୂଡ଼ାନ୍ତ ମୋହର ବାଜି ନାହିଁ ।
ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କୁ ରିଲିଜ କରିବା ବଦଳରେ ଜଣେ ଅତିରିକ୍ତ ଖେଳାଳିଙ୍କ ଦାବି କରିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ପସନ୍ଦ ହେଉଛି ଉଭୟ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ସ୍ୱାପ୍, ଯାହାର ମୂଲ୍ୟ ପ୍ରାୟ ୧୮ କୋଟି ଟଙ୍କା ରହିଛି । ତେବେ, ପାଞ୍ଚ ଥରର ଚାମ୍ପିଅନ୍ ଚେନ୍ନାଇ ଏହି ଡିଲରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିନାହିଁ ।
ସୂଚନା ଅନୁସାରେ ସାମ କରନଙ୍କୁ ଟ୍ରେଡ କରାଯାଇପାରେ । ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସର ଅଧିନାୟକ କରିବାକୁ ପ୍ରସ୍ତାବ ଦିଆଯାଇପାରେ, ତେବେ ଫ୍ରାଞ୍ଚାଇଜ୍ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଦେଇନାହିଁ ।
Follow Us