କନକ ବ୍ୟୁରୋ: ଅନ୍ତର୍ଜାତୀୟ ସ୍ତରରେ ନାଁ ନୁହେଁ ବାରମ୍ୱାର ବେଜ୍ଜିତ ହେଉଛି ପାକିସ୍ତାନ । ଆଉ ଏଥର ଏମିତି ହୋଇଛି ଯେ ପାକିସ୍ତାନ କାହାକୁ ମୁହଁ ବି ଦେଖାଇ ପାରୁନି । କାରଣ ସାଉଦି ଆରବରେ ଗୋଟିଏ କି ଦୁଇଟି ନୁହେଁ ବରଂ ୫୧ ହଜାର ଭିକାରୀ ଧରାପଡ଼ିଛନ୍ତି । ଆଉ ସେମାନେ ସବୁ ପାକିସ୍ତାନୀ ବୋଲି ସୂଚନା ମିଳିଛି । ସେହବାଜ ସରକାରଙ୍କୁ ଏହାଠାରୁ ବଡ଼ ଚାପୁଡ଼ା ଆଉ କଣ ବା ହୋଇପାରେ । 

Advertisment

ପାକିସ୍ତାନର ନାଗରିକମାନେ ବିଦେଶରେ ଭିକ ମାଗିବା ଏବଂ ବେଆଇନ ଅନୁପ୍ରବେଶ ମାମଲା ପୁଣି ଥରେ ସରକାର ଓ ପ୍ରଶାସନର ଅଡୁଆ ବଢାଇ ଦେଇଛି । ଜାତୀୟ ସଭାର ପ୍ରବାସୀ ପାକିସ୍ତାନୀ ଓ ମାନବାଧିକାର ମାମଲା ସମ୍ପର୍କିତ ସ୍ଥାୟୀ କମିଟିର ବୈଠକରେ ଜଣାପଡିଛି ଯେ ଚଳିତ ବର୍ଷ ବିଭିନ୍ନ ଦେଶରୁ ପ୍ରାୟ ୫୧ ହଜାର ପାକିସ୍ତାନୀଙ୍କୁ ଭିକ ମାଗିବା ଅଭିଯୋଗରେ ବହିଷ୍କାର କରାଯାଇଛି ।

ସବୁଠାରୁ ଅଧିକ କାର୍ଯ୍ୟାନୁଷ୍ଠାନ ସାଉଦି ଆରବ ଗ୍ରହଣ କରିଛି, ଯେଉଁଠାରୁ ୨୪ ହଜାର ପାକିସ୍ତାନୀ ନାଗରିକଙ୍କୁ ଫେରାଇ ଦିଆଯାଇଛି । ଏହା ବ୍ୟତୀତ ସଂଯୁକ୍ତ ଆରବ ଏମିରେଟ୍ସରୁ ୬ ହଜାର, ଆଜେରବୈଜାନରୁ ପ୍ରାୟ ୨,୫୦୦ ଏବଂ ଅନ୍ୟ ଦେଶରୁ ମଧ୍ୟ ହଜାର ହଜାର ପାକିସ୍ତାନୀ ନାଗରିକଙ୍କୁ ବାହାର କରିଦିଆଯାଇଛି । କମିଟିର ଅଧ୍ୟକ୍ଷ ଆଗା ରଫିଉଲ୍ଲା ବୈଠକରେ କହିଛନ୍ତି ଯେ ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହା ପାକିସ୍ତାନର ଆନ୍ତର୍ଜାତୀୟ ଛବିକୁ କ୍ଷୁର୍ଣ୍ଣ କରୁଛି।

ବୈଠକରେ ଏହା ମଧ୍ୟ ଖୁଲାସା ହୋଇଛି ଯେ ଅନେକ ଲୋକ ଉମରାହ ଯାତ୍ରା ନାମରେ ଦେଶ ବାହାରକୁ ଯାଉଛନ୍ତି ଏବଂ ସେଠାରୁ ବେଆଇନ ଭାବେ ୟୁରୋପ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ତେବେ, ଦୃଢ଼ ପ୍ରମାଣ ମିଳିବା ପରେ ଅନେକ ଯାତ୍ରୀଙ୍କୁ ଅଧା ରାସ୍ତାରେ ହିଁ ଓହ୍ଲାଇ ଦିଆଯାଇଛି । ଏହା ବ୍ୟତୀତ ଚଳିତ ବର୍ଷ ୨୪ ହଜାର ଲୋକ କାମ୍ବୋଡିଆ ଯାଇଥିଲେ, ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ ହଜାର ଲୋକ ଫେରି ନାହାନ୍ତି । ସେହିପରି ୪ ହଜାର ପାକିସ୍ତାନୀ ପର୍ଯ୍ୟଟକ ଭିସାରେ ମିଆଁମାର ଯାଇଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ୨,୫୦୦ ଲୋକ ନିଖୋଜ ଅଛନ୍ତି ।

ଆହୁରି ପଢ଼ନ୍ତୁ... ଯୁଦ୍ଧରେ ଭାରତୀୟ ଛାତ୍ର ମୃତ:ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଛାତ୍ର ମୃତ

ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିର ନିର୍ଦ୍ଦେଶକ କହିଛନ୍ତି ଯେ ବେଆଇନ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନର ପାସପୋର୍ଟ ମାନ୍ୟତା ୧୧୮ରୁ ସୁଧୁରି ୯୨ରେ ପହଞ୍ଚିଛି । ସେ କହିଛନ୍ତି ଯେ ପୂର୍ବରୁ ପାକିସ୍ତାନ ବେଆଇନ ଅନୁପ୍ରବେଶକାରୀଙ୍କ ମାମଲାରେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସାମିଲ ଥିଲା, କିନ୍ତୁ କଡ଼ା ନଜର ଏବଂ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ଏହା ସେହି ତାଲିକାରୁ ବାହାରି ଯାଇଛି।

ଗତ ବର୍ଷ ୮ ହଜାର ଲୋକ ବେଆଇନ ଭାବେ ୟୁରୋପ ଯାଇଥିଲେ ଯେତେବେଳେ କି ଚଳିତ ବର୍ଷ ଏହି ସଂଖ୍ୟା କମି ୪ ହଜାର ରହିଯାଇଛି । ୠଓଇ ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସାଉଦି ଆରବରୁ ମୋଟ ୫୬ ହଜାର ପାକିସ୍ତାନୀଙ୍କୁ ଭିକ ମାଗିବା ଅଭିଯୋଗରେ ବାହାର କରାଯାଇଛି ।

ଏହା ସହିତ ସରକାର ବିଦେଶ ଯାତ୍ରା ପ୍ରକ୍ରିୟାକୁ ଡିଜିଟାଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାନୁଆରୀରେ ‘ଏମି ଆପ୍ଲିକେସନ୍’ ଲଞ୍ଚ କରାଯିବ, ଯାହା ମାଧ୍ୟମରେ ବିଦେଶ ଯାଉଥିବା ନାଗରିକମାନେ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ଅନଲାଇନ୍ ଇମିଗ୍ରେସନ୍ ପ୍ରକ୍ରିୟା ଶେଷ କରିପାରିବେ।

ଏହା ପୂର୍ବରୁ ମେ ମାସରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ସଂସଦରେ ସ୍ୱୀକାର କରିଥିଲେ ଯେ ପାକିସ୍ତାନରେ ଭିକ ମାଗିବା ସମସ୍ୟା ଗମ୍ଭୀର ରୂପ ନେଇଛି । ତାଙ୍କ ଅନୁସାରେ ଦେଶରେ ପ୍ରାୟ ୨.୨ କୋଟି ଲୋକ ଭିକ ମାଗିବାରେ ସାମିଲ ଅଛନ୍ତି ଏବଂ ଏଥିରୁ ବାର୍ଷିକ ପ୍ରାୟ ୪୨ ଅରବ ଟଙ୍କାର ରୋଜଗାର ହୋଇଥାଏ ।