କନକ ବ୍ୟୁରୋ:  ବ୍ରିଜ୍‌ ତିଆରି ହେଲା । ସମୟ କମ୍‌ ଲାଗିବ, ଯାତୟାତ ସୁଗମ ହେବ । ତାହା ତ’ ହେଲା । କିନ୍ତୁ ଲୋକଙ୍କ ସୁରକ୍ଷା କଥା ଭୁଲିଗଲେ । ଆଲୋକୀକରଣ ବ୍ୟବସ୍ଥା ହୋଇନାହିଁ । ସରକାରୀ ରାଜସ୍ବରେ ନିର୍ମିତ ଏହି ପୋଲରେ ଆନୁସଙ୍ଗିକ ବ୍ୟବସ୍ଥା ନକରି ତାକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲିଦେଇଛି ପ୍ରଶାସନ ।  

Advertisment

କିଟ୍‌କିଟ୍ ଅନ୍ଧାର । କିଛି ଦେଖାଯାଉନି । ହଜାର ହଜାର ଗାଡ଼ି ଚାଲିଛି । ବାଇକ୍‌, ଟ୍ରକ୍‌, ତା’ ଭିତରେ ଟ୍ରଲି, ସାଇକେଲ୍‌ ବି ଅଛି । ଦୃଶ୍ୟ ଦେଖିକି ହିଁ ଭୟ ଲାଗୁଛି । ଏ ଅବସ୍ଥା ହେଉଛି ବାରିପଦା ସହର ମଧୁବନ ଠାରୁ ଆରମ୍ଭ କରି ପୋଡ଼ାଅସ୍ତିଆ ଛକକୁ ସଂଯୋଗ କରୁଥିବା ପୋଲର । ଏମିତି ନୁହେଁ ଲାଇଟ୍‌ ଅଚଳ, କୌଣସି ଗୋଟିଏ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରାଯାଇନି। ଏହାରି ଭିତରେ ପୋଲ ଆରମ୍ଭ ହେବାକୁ ଦେଢ଼ ବର୍ଷ ବିତିଗଲାଣି । 

ଅଧିକ ପଢନ୍ତୁ :ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡ଼ିଲେ ଗାଁ ଲୋକ, ନାଳ ଉପରେ କାଠପୋଲ ତିଆରି କଲେ ରାୟଗଡ଼ା ସୀତାଗୁଡ଼ା ବାସିନ୍ଦା

ଏହି ବ୍ରିଜ୍‌ରେ ନା ଅଛି ଫଳକ ନା କୌଣସି ସତର୍କ ସୂଚନା । ଟୁ-ୱେ ପୋଲରେ ହ୍ୱାଇଟ୍‌ ମାର୍କିଂ ବି ନାହିଁ । ଗାଇଡ ଲାଇନ୍ ଅନୁସାରେ ପୋଲରେ ଉଭୟ ପାଖରେ ଆକୋକୀକରଣ ବ୍ୟବସ୍ଥା ରହିବା ଜରୁରୀ । ବ୍ରିଜଟିରେ ଏସବୁ ବ୍ୟବସ୍ଥା ନ ରହିବା ଯୋଗୁଁ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି । 

ଏହି ପୋଲ ଦେଇ ବାରିପଦାରୁ ଉଦଳା, ଶିମିଳିପାଳ ଓ ଅନ୍ୟାନ୍ୟ ସ୍ଥାନକୁ ଅନେକ ଲୋକ ଯାତାୟାତ କରିଥାନ୍ତି । ସମ୍ପୂର୍ଣ୍ଣ ବ୍ୟବସ୍ଥା ନକରି କିଭଳି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏହାକୁ ଆରମ୍ଭ କରିଦିଆଗଲା? ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।