କନକ ବ୍ୟୁରୋ : ଆଦିବାସୀ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଏମିତି କିଛି ଅଞ୍ଚଳ ଅଛି ଯେଉଁଠିକି ପ୍ରସାଶନର ଦୃଷ୍ଟି ପଡୁନଥିବାରୁ ବର୍ଷ ବର୍ଷଧରି ଯାତାୟତରେ ଅସୁବିଧା ଭୋଗୁଛନ୍ତି ଗାଁ ଲୋକ । ୨ ସାହି ମଧ୍ୟରେ ଥିବା ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ବହୁବାର ଦାବି ପରେ ନିର୍ମାଣ ନହେବାରୁ ବାଧ୍ୟ ହୋଇ ଲୋକେ ଗ୍ରାମବାସୀ ମାନେ ମିଶି ନିର୍ମାଣ କରିଛନ୍ତି ଏକ କାଠପୋଲ । ରାୟଗଡ଼ା ଜିଲ୍ଲାର ଉପାନ୍ତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ସିତାଗୁଡ଼ି ଗାଁ । ୩ଟି ସାହିରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ଗୋଟିଏ ସାହିରୁ ଆଉ ଗୋଟିଏ ସାହିକୁ ଯିବାକୁ ମଝିରେ ପଡ଼େ ନାଳ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରଥମ ସାହିକୁ ରାସ୍ତା କାମ କଲା। କିନ୍ତୁ ନାଳ ଉପରେ ପୋଲ ନିର୍ମାଣ କରିବାକୁ ଭୁଲିଗଲା ଗ୍ରାମ୍ୟ ଉନ୍ନୟନ ବିଭାଗ। ବାରମ୍ବାର ଦାବି କରି କରି ନିରାଶ ହେଲା ପରେ ନିଜେ ଏକାଠି ହୋଇ କାଠ ପୋଲ ତିଆରି କରିଛନ୍ତି ଗାଁ ଲୋକ। 

Advertisment

ଅଧିକ ପଢ଼ନ୍ତୁ : ବାହାନା ଦେଖାଉଛି ରାୟଗଡ଼ାସ୍ଥିତ ଜୟପୁର ସୁଗାର କମ୍ପାନି; ପଇଠ କରୁନି ଅବକାରୀ ବିଭାଗର ରାଜସ୍ୱ ବାବଦ ଟଙ୍କା

 ଗାଁଟି ରାୟଗଡ଼ା ଜିଲ୍ଲାରେ ଥିବା ବେଳେ ବଜାର ପାଇଁ ଲୋକେ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ଧାରାକୋଟ ସାପ୍ତାହିକି ବଜାର ଉପରେ ନିର୍ଭର କରନ୍ତି। ସେଥିପାଇଁ ଏହି ପୋଲ ଦେଇ ଯିବାକୁ ପଡ଼େ। ଖାଲି ସୀତାଗୁଡ଼ି କାହିଁକି ରାସ୍ତା ଉପରେ ବହୁ ଗାଁର ଲୋକ ଯା’ଆସ କରୁଛନ୍ତି। ତେଣୁ ତୁରନ୍ତ ନାଳ ଉପରେ ସ୍ଥାୟୀ ପୋଲଟିଏ ନିର୍ମାଣ ପାଇଁ ଦାବି ହୋଇଛି ।  କାହା ପାଇଁ ସରକାର, କାହା ପାଇଁ ପ୍ରାଶାସନିକ ବାବୁ? ଯଦି ସରକାରଙ୍କ କାମ ଲୋକ କରିବେ, କେଉଁ କାମ ପାଇଁ ଦରମା ନେଉଛନ୍ତି ଆମ ସରକାରୀ ଅଧିକାରୀ? ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଆସୁଥିବା କୋଟିକୋଟି ଟଙ୍କା ଯାଉଛି କୁଆଡ଼େ? ଭୋଟ୍‌ ସମୟରେ ପ୍ରତିଶ୍ରୁତି, ତା’ପରେ ନିରବତା କାହିଁକି? ଖାଲି କ’ଣ ଖବର ବାଜିଲେ ବାବୁ ଚେତିବେ, ଲୋକଙ୍କ ଗୁହାରି ମୂଲ୍ୟହୀନ? ଏ ଖବର ପ୍ରାଶାସନିକ ବିଫଳତାର ବଡ଼ ଉଦାହରଣ।