କନକ ବ୍ୟୁରୋ : ୧୪ ବର୍ଷ, ୨୭୨ ଦିନ…ଏହି ବୟସରେ ଯେତେବେଳେ ଅଧିକାଂଶ ପିଲା ସ୍କୁଲ ପରୀକ୍ଷା, ହୋମୱାର୍କ ଏବଂ ଟ୍ୟୁସନ ଚାପରେ ଥାନ୍ତି, ସେହି ବୟସରେ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଇତିହାସରେ ନିଜ ନାମକୁ ସ୍ଥାୟୀ ଭାବରେ ଲିପିବଦ୍ଧ କରିଦେଇଛନ୍ତି । ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ପ୍ରଥମ ଦିନରେ, ବିହାରର ଜର୍ସି ପିନ୍ଧି ସେ ସେହିଭଳି କିଛି କରି ଦେଖାଇଲେ, ଯାହା ଏବେ ଯାଏଁ କେବଳ କାହାଣୀରେ ସମ୍ଭବ ବୋଲି ମନେ ହେଉଥିଲା । ଲିଷ୍ଟ-ଏ କ୍ରିକେଟର ସବୁଠାରୁ କମ ବୟସ୍କ ଶତକଧାରୀ... ଏହା ବୈଭବଙ୍କର ମାତ୍ର ସପ୍ତମ ଲିଷ୍ଟ-ଏ ମ୍ୟାଚ୍ ଥିଲା । ଡିସେମ୍ବର ୨୦୨୪ରେ ମଧ୍ୟପ୍ରଦେଶ ବିରୋଧରେ ପଦାର୍ପଣ କରିଥିବା ଏହି କିଶୋର ଏବେ ଅରୁଣାଚଳ ପ୍ରଦେଶ ବିରୋଧରେ ବୁଧବାର ଦିନ ରାଞ୍ଚିର ପିଚ୍ରେ ୫୦ ଓଭର ମ୍ୟାଚ୍ରେ ଇତିହାସ ରଚିଥିଲେ ।
୩୬ ବଲରେ ଶତକ…
୫୯ ବଲରେ ୧୫୦…
ଏବଂ ଶେଷରେ ୮୪ ବଲରେ ୧୯୦ ରନ୍...
ପ୍ରତିଟି ଚୌକା, ପ୍ରତିଟି ଛକା ମାନେ ପିଲାଦିନର ସୀମାକୁ ଲଙ୍ଘି ଚାଲିଥିଲା, ଯେମିତି କି ଏହି ବ୍ୟାଟ୍ ବୟସ ନୁହେଁ, କେବଳ ସ୍ୱପ୍ନ ଗଣୁଥିଲା । ଏହି ଶତକ କେବଳ ରନ୍ ନଥିଲା, ଏହା ସେହି ବିଶ୍ୱାସର ବିଜୟ ଥିଲା, ଯାହା ଜନ୍ମ ତାରିଖ ପଚାରେ ନାହିଁ । ବୈଭବଙ୍କ କାହାଣୀ କେବଳ ଗୋଟିଏ ପାଳିରେ ସୀମିତ ନୁହେଁ । ଅଣ୍ଡର-୧୯ ଏସିଆ କପ୍ରେ ୯୫ ବଲରେ ୧୭୧ ରନ୍, ଯେଉଁଠାରେ ସେ ଅମ୍ବାତି ରାୟୁଡୁଙ୍କ ୨୩ ବର୍ଷର ପୁରୁଣା ରେକର୍ଡଠାରୁ ମାତ୍ର ୬ ରନ୍ ପଛରେ ରହିଯାଇଥିଲେ । ୧୫ଟି ୟୁଥ୍ ୱାନଡେ, ହାରାହାରି ୫୧ ରୁ ଅଧିକ, ଷ୍ଟ୍ରାଇକ୍ ରେଟ୍ ୧୫୮ ରୁ ଅଧିକ । ଏହି ପରିସଂଖ୍ୟାନ ସ୍ପଷ୍ଟ ଭାବରେ କହୁଛି ଯେ ଏହି ଚମକ କୌଣସି ସଂଯୋଗ ନୁହେଁ, ବରଂ ପ୍ରସ୍ତୁତି, ଅନୁଶାସନ ଏବଂ ନିର୍ଭୀକ ଚିନ୍ତାଧାରାର ପରିଣାମ ।
ଅଧିକ ପଢ଼ନ୍ତୁ---ବିଜୟ ହଜାରେ ଟ୍ରଫି: ଫେଲ୍ ମାରିଲେ ଏହିସବୁ ଷ୍ଟାର ପ୍ଲେୟାର, ଦେଖନ୍ତୁ ପୂରା ଲିଷ୍ଟ...
ଦୋହାରେ ୟୁଏଇ ବିରୋଧରେ ୩୨ ବଲରେ ଟି-୨୦ ଶତକ, ସୟଦ ମୁସ୍ତାକ ଅଲି ଟ୍ରଫିରେ ମହାରାଷ୍ଟ୍ର ବିରୋଧରେ ଅପରାଜିତ ୧୦୮ ରନ୍, ଏବଂ ତା'ପରେ IPL । ଯେଉଁଠାରେ ୧୩ ବର୍ଷ ବୟସରେ ନିଲାମୀରେ ନାମ ଆସିଥିଲା ଏବଂ ୧୪ ବର୍ଷ ବୟସରେ IPL ଶତକ । ରାଜସ୍ଥାନ ରୟାଲ୍ସ ପାଇଁ ଗୁଜରାଟ ଟାଇଟନ୍ସ ବିରୋଧରେ ୩୮ ବଲରେ ୧୦୧ ରନ୍, ୭ଟି ମ୍ୟାଚରେ ୨୫୨ ରନ୍, ୨୦୬ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ - ଏତେ କମ ବୟସରେ ଏତେ ବଡ଼ ମଞ୍ଚ ଏବଂ ସେହି ମଞ୍ଚରେ ଏପରି ନିର୍ଭୀକ ଆତ୍ମବିଶ୍ୱାସ ଏହା କୌଶଳ ନୁହେଁ ତ ଆଉ କ'ଣ? ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଯୁବ ଦଳ ବିରୋଧରେ ମଧ୍ୟ ବୈଭବଙ୍କ ବ୍ୟାଟ୍ ଅଟକି ନଥିଲା । ଇଂଲଣ୍ଡ ଗସ୍ତରେ ୩୫୫ ରନ୍ - ପ୍ରତିଟି ପାଳି ସହିତ ଏହି ବିଶ୍ୱାସ ଆହୁରି ଦୃଢ଼ ହେଲା ଯେ ଭାରତକୁ କେବଳ ଜଣେ ଖେଳାଳି ନୁହେଁ, ଏକ କାହାଣୀ ମିଳିସାରିଛି । ଏବେ ବିଜୟ ହଜାରେ ଟ୍ରଫିର ପ୍ରାରମ୍ଭିକ ମ୍ୟାଚ୍ ପରେ ସୂର୍ଯ୍ୟବଂଶୀ ବେଙ୍ଗାଲୁରୁର କଣ୍ଡିସନିଂ କ୍ୟାମ୍ପକୁ ଯିବେ... ଏବଂ ତା'ପରେ ନଜର ରହିବ ଜିମ୍ବାୱେ-ନାମିବିଆରେ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ୍ ଉପରେ, ଯାହା ୧୫ ଜାନୁଆରୀରୁ ଆରମ୍ଭ ହେଉଛି ।
ବୈଭବ ସୂର୍ଯ୍ୟବଂଶୀଙ୍କର ଏହି ଉଡ଼ାଣ ଆମକୁ ମନେ ପକାଇଦିଏ - ସ୍ୱପ୍ନର କୌଣସି ବୟସ ନଥାଏ । ଯଦି ପ୍ରତିଭା ସଚ୍ଚୋଟ ହୋଇଥାଏ, ପରିଶ୍ରମ ନିଷ୍ଠାପର ହୋଇଥାଏ ଏବଂ ବିଶ୍ୱାସ ଅଟଳ ହୋଇଥାଏ, ତେବେ ଜଣେ ୧୪ ବର୍ଷର ପିଲା ମଧ୍ୟ ପୁରା କ୍ରିକେଟ ଦୁନିଆକୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇପାରେ । ବୈଭବଙ୍କ ପ୍ରତିଭା ଏବଂ ଆକ୍ରମଣାତ୍ମକ ଶୈଳୀ ସମସ୍ତଙ୍କୁ ଆକର୍ଷିତ କରେ, କିନ୍ତୁ ପ୍ରକୃତ ମହାନତା ସେତେବେଳେ ଆସିବ ଯେତେବେଳେ ସେ ନିଜ ଉତ୍ସାହକୁ ସଠିକ୍ ଦିଗରେ ନିୟନ୍ତ୍ରଣ କରିବା ଶିଖିବେ । ପ୍ରତିଟି ବଲକୁ ମାରିବା ହିଁ କ୍ରିକେଟ ନୁହେଁ.. ଖେଳରେ ସମ୍ମାନ, ବୁଝାମଣା ଏବଂ ଧୈର୍ଯ୍ୟ ମଧ୍ୟ ସେତିକି ଜରୁରୀ । ପିଚ୍ରେ ବିପକ୍ଷ ବୋଲରଙ୍କ ପାଇଁ ଭୟ ସୃଷ୍ଟି କରିବା ଠିକ୍, କିନ୍ତୁ ପ୍ରତିଟି ପଦକ୍ଷେପ ଭାବିଚିନ୍ତି ବଢ଼ାଇବା- ବଲକୁ ଚିହ୍ନି ହିଁ ଖେଳରେ ଅଗ୍ରଣୀ ହେବା- ବୈଭବଙ୍କୁ କେବଳ ଜଣେ ନାୟକ ନୁହେଁ, ବରଂ ଜଣେ ସଫଳ ଖେଳାଳି ଭାବରେ ଗଢ଼ି ତୋଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/25/vaibhav-suryavanshi-2025-12-25-14-56-44.png)