କନକ ବ୍ୟୁରୋ: ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଏବେ ହଇଚଇ । ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ ବା ୟୁଜିସିର ନୂଆ ନିୟମକୁ ନେଇ କ୍ୟାମ୍ପସରୁ ରାଜପଥ ପର୍ଯ୍ୟନ୍ତ ଜଳୁଛି ବିରୋଧର ନିଆଁ । ଗତ ଜାନୁଆରୀ ୧୩, ୨୦୨୬ରେ ଲାଗୁ ହୋଇଥିବା ୪ଟି ମୁଖ୍ୟ ନିୟମକୁ ନେଇ ଏବେ ଛାତ୍ର ଏବଂ ଶିକ୍ଷକ ସଂଗଠନ ମୁହାଁମୁହିଁ । ଆଖିରେ ଆଖିଏ ସ୍ୱପ୍ନ ନେଇ ପାଠ ପଢୁଥିବା ଛାତ୍ର ଏବଂ ବର୍ଷ ବର୍ଷ ଧରି ଶିକ୍ଷାଦାନ କରୁଥିବା ଶିକ୍ଷକ କାହିଁକି ଏହି ନୂଆ ନିୟମକୁ 'କଳା ଆଇନ' କହୁଛନ୍ତି?
ଦେଶର ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ୟୁଜିସି ଜାରି କରିଛି 'ଇକ୍ୱିଟି ନିୟମ ୨୦୨୬'। କିନ୍ତୁ ଏହି ନିୟମ ଏବେ ବିବାଦର ଘେରରେ। ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣର ଉଚ୍ଛେଦ। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ୟୁଜିସି ଏବେ ସଂରକ୍ଷିତ ପଦବୀଗୁଡ଼ିକୁ 'ଡି-ରିଜର୍ଭ' କରି ସାଧାରଣ ବର୍ଗରେ ପରିଣତ କରିବାକୁ ଯୋଜନା କରୁଛି। ଯାହାଫଳରେ ପଛୁଆ ବର୍ଗର ମେଧାବୀ ଶିକ୍ଷକମାନେ ନିଜ ହକ୍ରୁ ବଞ୍ଚିତ ହେବେ। କେବଳ ନିଯୁକ୍ତି ନୁହେଁ, ବିଶ୍ୱବିଦ୍ୟାଳୟଗୁଡ଼ିକର ଆର୍ଥିକ ସ୍ୱୟଂଶାସନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନୂଆ ନିୟମ ଅନୁସାରେ, ୟୁନିଭର୍ସିଟିଗୁଡ଼ିକ ନିଜସ୍ୱ ପାଣ୍ଠି ସଂଗ୍ରହ କରିବାକୁ ବାଧ୍ୟ ହେବେ। ଏହାର ସିଧାସଳଖ ପ୍ରଭାବ ପଡ଼ିବ ସାଧାରଣ ଛାତ୍ରଛାତ୍ରୀଙ୍କ ପକେଟ୍ ଉପରେ । ଫିସ୍ ବୃଦ୍ଧି ହେବା ଆଶଙ୍କାରେ ଏବେ ଛାତ୍ର ସଂଗଠନମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦିଲ୍ଲୀରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଗୋଟିଏ ସ୍ଲୋଗାନ- "ନୂଆ ନିୟମ ପ୍ରତ୍ୟାହାର କର"।
ଅଧିକ ପଢନ୍ତୁ: ଅଫିସ୍ , କଲେଜରେ ଲାଗିବ ସୁଗାର , ଅଏଲ ବୋର୍ଡ ; ଛାତ୍ରଛାତ୍ରୀଙ୍କ ମୋଟାପଣକୁ ନେଇ ଚିନ୍ତାରେ ୟୁଜିସି
ୟୁଜିସିର ନିୟମକୁ କାହିଁକି ବିରୋଧ
ସଂରକ୍ଷଣ ଉଚ୍ଛେଦ ଆଶଙ୍କା: SC, ST ଏବଂ OBC ବର୍ଗର ଶିକ୍ଷକ ପଦବୀକୁ 'ଡି-ରିଜର୍ଭ' କରିବା ପ୍ରସ୍ତାବକୁ ବିରୋଧ।
ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆର୍ଥିକ ସ୍ୱାଧୀନତା ନାମରେ ସରକାରୀ ଅନୁଦାନ ହ୍ରାସ କରିବାର ଭୟ
ଅନୁଦାନ କମିଲେ ଘରୋଇ ସଂସ୍ଥା ଭଳି ସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ପାଠପଢ଼ା ମହଙ୍ଗା ହେବ
ସ୍ଥାୟୀ ନିଯୁକ୍ତି ବଦଳରେ 'ଗେଷ୍ଟ ଫ୍ୟାକଲ୍ଟି' କିମ୍ବା କଣ୍ଟ୍ରାକ୍ଟ ନିଯୁକ୍ତିକୁ ଅଧିକ ପ୍ରୋତ୍ସାହନ
ନୂତନ ମାନଦଣ୍ଡ ଅନୁଯାୟୀ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ସ୍କଲାରସିପ୍ରୁ ବଞ୍ଚିତ ହେବାର ସମ୍ଭାବନା
ବିବାଦ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ନୂତନ ନିୟମ ଦ୍ୱାରା କୌଣସି ବି ବର୍ଗର ଛାତ୍ର କିମ୍ବା ଶିକ୍ଷକଙ୍କ ସହ ଭେଦଭାବ କରାଯାଇନାହିଁ। ଯାହା ବି ପରିବର୍ତ୍ତନ ହୋଇଛି ତାହା ସମ୍ବିଧାନର ପରିସର ମଧ୍ୟରେ ରହିଛି,
କୌଣସି ବି ସଂସ୍ଥାକୁ ଏହି ଆଇନର ଭୁଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ ।
ୟୁଜିସି କହିବା ଅନୁସାରେ ଏହି ନିୟମ ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନଦଣ୍ଡ ଆଣିବ। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ଶିକ୍ଷକ ଏବଂ ଛାତ୍ର ହିଁ ଏଥିରେ ଖୁସି ନାହାଁନ୍ତି, ତେବେ ଏହି ସଂସ୍କାର କାହା ପାଇଁ? କେନ୍ଦ୍ର ସରକାର ଏହି ବିରୋଧକୁ ଦେଖି ନିୟମରେ କୋହଳ କରିବେ ନା ନିଜ ନିଷ୍ପତ୍ତିରେ ଅଟଳ ରହିବେ, ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/new-ugc-rules-2026-01-27-20-37-26.jpg)