କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ମୋଟାପଣକୁ ନେଇ ୟୁଜିସିର ଚିନ୍ତା । ଜଙ୍କଫୁଡ, ତେଲ ଓ ଚିନି ଯୁକ୍ତ ଖାଦ୍ୟ ଖାଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଯୁବବର୍ଗ । ଏଭଳି ଖାଦ୍ୟ ଅଭ୍ୟାସରୁ ଛାତ୍ରଛାତ୍ରୀଙ୍କୁ ଦୂରେଇ ରଖିବାକୁ କ୍ୟାମ୍ପସରେ ଅଏଲ ଓ ସୁଗାର ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।
ଚାଟ୍, ଦହିବରା, ଗୁପଚୁପ୍ ହେଉ କି ଚୁସକି, ଆଇସକ୍ରିମ, କୋଲଡ୍ରିଙ୍କସ ହେଉ। କଲେଜ, ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନ ଓ ଏହାର ପାଖଆଖରେ ଥିବା ଦୋକାନରେ ଏ ହେଉଛି ଛାତ୍ରଛାତ୍ରୀଙ୍କ ମନପସନ୍ଦର ଖାଦ୍ୟ। ଯାହା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଅତି ସଙ୍ଗୀନ ଅବସ୍ଥାକୁ ନେଲାଣି । ଏଭଳି ଖାଦ୍ୟ ଖାଇବା ଦ୍ବାରା ଯୁବବର୍ଗଙ୍କ ମଧ୍ୟରେ ମେଦବହୁଳତା, ଉଚ୍ଚ ରକ୍ତଚାପ, ହୃଦଘାତ, ମଧୁମେହ ଭଳି ରୋଗ ବଢିଚାଲିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ନୂଆ ଗାଇଡଲାଇନ ଆଣିଛି ୟୁଜିସି। ଏଣିକି ଶିକ୍ଷାନୁଷ୍ଠାନ କ୍ୟାଣ୍ଟିନ ଓ କ୍ୟାମ୍ପସରେ ଲାଗିବ ସୁଗାର ଓ ଅଏଲ ବୋର୍ଡ । ଦୈନିକ ସର୍ବାଧିକ ୨୫ ଗ୍ରାମରୁ ଅଧିକ ସୁଗାର ଖାଇଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ହେଲେ ଶିକ୍ଷାନୁଷ୍ଠାନରେ ଖାଉଥିବା ଜଙ୍କଫୁଡରେ ମାତ୍ରାଧିକ ସୁଗାର ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ସେହିଭଳି ଦୈନିକ ୨୭ରୁ ୩୦ ଗ୍ରାମରୁ ଅଧିକ ଫ୍ୟାଟ୍ ଥିବା ଖାଦ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ । କିନ୍ତୁ ଜାଣିକି ଆଶ୍ଚର୍ଯ୍ୟ ହେବେ ଗୋଟିଏ ସିଙ୍ଗଡାରେ ହିଁ ୨୮ ଗ୍ରାମର ଫ୍ୟାଟ୍ ରହିଛି। ପିଜା ଓ ବର୍ଗର ଖାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ମୋଟାପଣର ସବୁଠୁ ବଡ କାରଣ ପାଲଟିଛି ଏଭଳି ଖାଦ୍ୟ ।
ଶିକ୍ଷାନୁଷ୍ଠାନରେ ତେଲ ଓ ଚିନି ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବେ ଛାତ୍ରଛାତ୍ରୀ । ବଦଳରେ ପୁଷ୍ଟିଯୁକ୍ତ ଖାଦ୍ୟ, ଫଳ ଖାଇବାକୁ ଛାତ୍ରଛାତ୍ରୀଙ୍କୁ ପୋତ୍ସାହିତ କରିବାକୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛି ୟୁଜିସି। ଏହାବାଦ୍ ଛାତ୍ରଛାତ୍ରୀ ଶାରୀରିକ ପରିଶ୍ରମକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି ।