କନକ ବ୍ୟୁରୋ : ଭଗବାନଙ୍କୁ ପ୍ରାର୍ଥନା କରିବା କେବଳ ମାତ୍ର ଶବ୍ଦର ଉଚ୍ଚାରଣ ନୁହେଁ ବରଂ ମନ ଓ ହୃଦୟର ସତ ବିକଳ ଡାକ  ।  ଯେବେ ମଣିଷ ସବୁ ଅହଂକାରରୁ ନିଜକୁ ମୁକୁଳାଇ ଭୟ ଏବଂ ଆଶା ପତ୍ର୍ୟାଶାର ଭାବକୁ ଦୂରେଇ ଈଶ୍ବରଙ୍କ ନିକଟରେ ନତମସ୍ତକ ହୁଏ ତେବେ ତା’ର ପ୍ରାର୍ଥନା ସତ ହୁଏ । ସେ ଡାକ ଭଗବାନ ନିଶ୍ଚୟ ଶୁଣନ୍ତି  ।  ଏଭଳି କହିଲେ ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜ ।

Advertisment

ଏମିତି ଡାକ୍ତରଙ୍କ କଥାରେ : ଅଧା ରୋଗ ଭଲ ହୋଇଯିବ

ନିଜର ସରଳ ଜୀବନ ଏବଂ ଗହନ ଆଧ୍ୟାତ୍ମିକ ଅନୁଭୂତି ଯୋଗୁଁ ସମସ୍ତଙ୍କ ପ୍ରିୟ ସନ୍ଥ ପ୍ରେମାନନ୍ଦଜୀ ମହାରାଜ ।  ଦୈନିକ ହଜାର ହଜାର ଶଦ୍ଧାଳୁ ଅନେକ ଆଶା ଓ ମନରେ ପ୍ରଶ୍ନ ନେଇ ତାଙ୍କ ପାଖକୁ ଆସନ୍ତି ଉତ୍ତର ଖୋଜିବାକୁ ଜୀବନ ଜୀଇଁବାର ବାଟ ଖୋଜିବାକୁ । ସେମାନଙ୍କୁ ଅତି ସରଳ ଭାବେ ସେମାନଙ୍କ ଦ୍ବନ୍ଦ୍ବକୁ ଦୂରାଇ ଦିଅନ୍ତି ପ୍ରେମାନନ୍ଦଜୀ ଏଭଳି ଜଣେ ଭକ୍ତ ଆସି ପଚାରିଥିଲେ, ମହାରାଜ , ମୁଁ ଭଗବାନଙ୍କୁ ନିଜର ଇପ୍ସିତ ବରଦାନ ମାଗିବାକୁ ଚାହେ ।

ଏଭଳି କି ତପସ୍ୟା କରିବି ଯେଉଁଥିରେ  ଭଗବାନ ସ୍ବୟଂ ଆସି ମୋତେ ବରଦାନ ଦେବେ? ବ୍ୟକ୍ତିଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରେମାନନ୍ଦଜୀ କହିଥିଲେ, ’ ଜଣେ ଅର୍ଥାର୍ଥୀ ମଧ୍ୟ ଭକ୍ତ ପଦବାଚ୍ୟ  । କିନ୍ତୁ ଯଦି ପ୍ରକୃତରେ ଭଗବାନଙ୍କୁ ପାଇବାକୁ ଚାହୁଛ, ତାଙ୍କ କୃପା ଲାଭ କରିବାକୁ ଚାହଁ, ତାହେଲେ ଜୀବନରେ କିଛି ନିୟମକୁ ପାଳନ କରିବା ଜରୁରି । ବ୍ରହ୍ମଚର୍ଯ୍ୟରେ ରୁହ  ଏବଂ କୌଣସି ବି ପରିସ୍ଥିତିରେ ତା’ର ଖଣ୍ଡନ ଯେପରି ନହୁଏ ।

ଦ୍ବିତୀୟରେ ପବିତ୍ର ଏବଂ ସାତ୍ତ୍ବିକ ଆହାର ଗ୍ରହଣ କର । ଅଳ୍ପାହାରୀ ହୁଅ  , ଯେଉଁଥିରେ କେବଳ ତୁମର ଶରୀରକୁ ପୋଷଣ ମିଳିପାରିବ ସେତିକି ଖାଦ୍ୟ ଗ୍ରହଣ କର  ।  ସବୁଠୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି ,ନିରନ୍ତର ନାମ ଜପ କର ।  ରାମ ନାମର ଅଖଣ୍ଡ ସ୍ମରଣ କର । ଏପରି ଆଚରଣ ଏବଂ ନିୟମରେ ଜୀବନର ସଦିଚ୍ଛା ସ୍ବତଃ ପୂରଣ ହେବ । ଭଗବାନଙ୍କ କୃପା ମିଳିବ’ ।

ମହାରାଜ ଦେଲେ ଜୀବନ ବାର୍ତ୍ତା:
କହୁ କହୁ ପ୍ରେମାନନ୍ଦଜୀ ଆହୁରି ବଡ଼ କଥା କହିଲେ , ’ କାହାକୁ ସମାଲୋଚନା କରନାହିଁ କି କାହାର ସମାଲୋଚନା  ବି ଶୁଣନାହିଁ । । ଏହି ସହଜ ନୁହେଁ କିନ୍ତୁ ଏହା ବିନା ଅଭ୍ୟାସରେ ଜୀବନ ସରଳ ହେବା ବି ସହଜ ନୁହେଁ ।  କିନ୍ତୁ ମନେରଖିବାକୁ ହେବ ଈଶ୍ବରଙ୍କୁ ଅନୁଭବ କରିବା ମଧ୍ୟ ଖେଳ ନୁହେଁ ।  ତୁମକୁ କେତେ ଚକ୍ର ପରେ ମଣିଷ ଜନ୍ମ ମିଳିଛି । ଏହା ଏକ ଦୁର୍ଲ୍ଲଭ ସୁଯୋଗ । ଏହାକୁ ନଷ୍ଟ ହେବାକୁ ଦିଅନି । ନିରନ୍ତର ରାମ ନାମ ଜପ କର’ ।

’ ଯେବେଯାଏଁ ଭଗବାନ ପ୍ରକଟ ନହୋଇଛନ୍ତି, ସେପର୍ଯ୍ୟନ୍ତ ନାମ ଜପ କର । ପ୍ରଥମେ ପାପ ନଷ୍ଟ ହେବ। ମନ, ହୃଦୟ ଶୁଦ୍ଧ ହେବ । କିଏ ଜାଣେ କେତେ ଜନ୍ମର ପାପ ସଞ୍ଚିତ ହୋଇ ରହିଛି। ଜନ୍ମ ଜନ୍ମାନ୍ତର ଯାଏଁ ଜଣେ ମୁନି ପରମାତ୍ମାଙ୍କୁ ପାଇବାକୁ ଯତ୍ନ କରିଚାଲନ୍ତି । ତୁମେ ବି ସେଭଳି ଯତ୍ନ କର’ । 

ଭକ୍ତ ପୁଣି ପଚାରିଥିଲେ, ଯଦି ସାଧନା କରୁ କରୁ ମୃତ୍ୟୁ ହୋଇଯାଏ ? ମହାରାଜଜୀ କହିଲେ,’ ଯଦି ଭଗବାନଙ୍କ ପ୍ରତି ଶ୍ରଦ୍ଧା ଓ ସମର୍ପଣ ସତ ହୋଇଥିବ ଭଗବାନ ଅବଶ୍ୟ ତୁମର ସଦିଚ୍ଛା ପୂର୍ଣ୍ଣ କରିବେ ।  ହେଲେ ସାଂସାରିକ ଇଚ୍ଛା ବଦଳରେ ସବୁବେଳେ ଭଗବାନଙ୍କୁ ତାଙ୍କ ପାଖରେ ଦାସତ୍ବ ମାଗ ’ । ପ୍ରକୃତରେ ସନ୍ଥ ପ୍ରେମାନନ୍ଦଜୀଙ୍କ ଏଭଳି କଥା ଜୀବନକୁ ସରଳ , ସୁନ୍ଦର ଓ ସଫଳ କରିବାକୁ ମାର୍ଗଦର୍ଶକ ।