odisha assembly Photograph: (KanakNews)
କନକ ବ୍ୟୁରୋ; ସୋମବାରରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ପ୍ରଥମ ପର୍ଯ୍ୟାୟ ଶେଷରେ ବିଜେଡିର ସାଥ୍ ଦେଇନଥିବା କଂଗ୍ରେସ ୟା ଭିତରେ ନବୀନଙ୍କ ସାଥୀ ସାଜିଛନ୍ତି। ରାଜ୍ୟସଭା ପ୍ରସଙ୍ଗରେ ୨ ଦଳ ଏକାଠି ହୋଇଛନ୍ତି। ହେଲେ ଗୃହ ବାହାରେ ଏକସ୍ବର ହୋଇଥିବା ଦୁଇ ବିରୋଧୀ, ଗୃହ ଭିତରେ ଓଡ଼ିଶାର ସ୍ବାର୍ଥ ପାଇଁ ଏକସ୍ବର ହେବେ ତ? ଆଲୋଚନା ନା ହଙ୍ଗାମା, କଣ ରହିବ ବିରୋଧୀଙ୍କ ଆଭିମୁଖ୍ୟ?
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଆଲୋଚନା କମ, କୋଳାହଳ ଥିଲା ଅଧିକ। ଗୋଟିଏ ଦିନ ବି ସ୍ବାଭାବିକ ହୋଇପାରିନଥିଲା ଗୃହ। କେତେବେଳେ ଗୃହ ଭିତରେ ପ୍ଲାକାର୍ଡ, ଧାନ, ପୋଷ୍ଟର ଧରି ପ୍ରତିବାଦ କରୁଥିଲେ ତ ଆଉ କେତେବେଳେ ଗୃହ ବାହାରେ ଚାଷୀ ପ୍ରସଙ୍ଗରେ ଲୋୟର ପିଏମଜିରେ ବିରୋଧୀ ବିଜେଡି କରୁଥିଲା ହରତାଳ। ଆଇନଶୃଙ୍ଖଳାକୁ ନେଇ କଂଗ୍ରେସର ପ୍ରତିବାଦ ପାଇଁ ପୁରା ଠପ୍ ହୋଇଯାଇଥିଲା ଗୃହକାର୍ଯ୍ୟ। ଏସବୁ ଭିତରେ ବିଧାନସଭାର ପ୍ରଥମ ପର୍ଯ୍ୟାୟ ସରୁ ସରୁ ହାତ ମିଳାଇଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ହେଲେ ରାଜ୍ୟସଭା ପ୍ରସଙ୍ଗରେ ଏକାଠି ହୋଇଥିବା ବିରୋଧୀଙ୍କର ଏବେ ଗୃହରେ ଆଭିମୁଖ୍ୟ କ’ଣ ରହିବ? ଏକ ମନ ହୋଇ ରାଜ୍ୟର ସ୍ବାର୍ଥ ନେଇ ଆଲୋଚନା କରିବେ ନା ଏକାଠି ଶାସକ ଦଳକୁ ଘେରିବେ?
ଅଧିକ ପଢନ୍ତୁ: ଚତୁର୍ଥ ଦିନରେ ବି ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ, ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟକାଳ
ରାଜନୈତିକ ଷ୍ଟଣ୍ଟ ପାଇଁ ବିଜେଡି ଗୃହକୁ ବାରମ୍ବାର ଅଚଳ କରିଛି ବୋଲି ପୂର୍ବରୁ ଶାସକ ଦଳ ଅଭିଯୋଗ କରିଛି । ୯ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ। ତେଣୁ ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ସମାନ ଦାବି ନେଇ ଗୃହରେ ହଙ୍ଗାମା କରିବନି ତ ବିଜେଡି? । ଅନ୍ୟପଟେ ଶାସକ ଦଳ କହିଛି, ରାଜ୍ୟର ସ୍ବାର୍ଥ ନୁହେଁ, ବିରୋଧୀଙ୍କ ପାଇଁ ଦଳୀୟ ସ୍ବାର୍ଥ ବଡ଼ ପାଲଟିଛି। ମହାନଦୀ, ଆଇନଶୃଙ୍ଖଳା, ଚାଷୀ ପ୍ରସଙ୍ଗରେ ଆଲୋଚନା ଛାଡି ବିରୋଧୀ ଗୃହକୁ ଅଚଳ କରିବାକୁ ହାତ ମିଳାଇଛନ୍ତି । ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ତେଣୁ ଗୃହକାର୍ଯ୍ୟ ସୁରୁଖୁରରେ ଆଗେଇବ ନା ଆଲୋଚନା ଅଧୁରା ରହିବ ତାହା ଦେଖିବା ବାକି ରହିଲା ।
Follow Us