କନକ ବ୍ୟୁରୋ: ଚତୁର୍ଥ ଦିନରେ ବି ବିଧାନସଭାରେ ଦେଖିବାକୁ ମିଳିଛି ମଣ୍ଡି ତାତି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ କରିଥିଲେ ବିରୋଧୀ ବିଧାୟକ । ହଟ୍ଟଗୋଳ ଯୋଗୁଁ ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇ ଯାଇଥିଲା । ଅନ୍ୟପଟେ ଚାଷୀ ଯେମିତି ଯନ୍ତ୍ରଣା ଭୋଗୁଥିଲେ ସେମିତି ଭୋଗୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ତିନି ଦିନ ହେଲା କମ୍ପୁଛି ବିଧାନସଭା। ହଟ୍ଟଗୋଳ କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ। ଗୁରୁବାର ମୁଖ୍ୟମନ୍ତ୍ରୀ ଧାନମଣ୍ଡି ପ୍ରସଙ୍ଗରେ ଅତି କଠୋର ସମାଲୋଚନା କରିବା ପରେ ବି ଆଜି ପୁଣି ଦେଖିବାକୁ ମିଳିଛି ସମାନ ସ୍ଥିତି। ଗୃହରେ ପ୍ଲାକାର୍ଡ, ବ୍ୟାନର ଦେଖାଇ ହଟ୍ଟଗୋଳ କରିଛନ୍ତି ବିରୋଧୀ। କଂଗ୍ରେସ ବିଧାୟକମାନେ କଳାପଟ୍ଟି ବାନ୍ଧି ପ୍ରତିବାଦ ଜଣାଇଛନ୍ତି। ଟୋକନ ସମସ୍ୟାର ସମାଧାନ, ଟାର୍ଗେଟ୍‌ ବଢ଼ାଇବା , ଧାନ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା, ୧୫୦କୁଇଣ୍ଟାଲ କ୍ୟାପିଂ ବ୍ୟବସ୍ଥା ଉଠାଇବାକୁ ଦାବି କରିଛନ୍ତି । ବିରୋଧୀଙ୍କୁ ପଳାୟନପନ୍ଥୀ କହି ସମାଲୋଚନା କରିଛି ଶାସକ ଦଳ । 

Advertisment

ଅଧିକ ପଢନ୍ତୁ:  ପଶ୍ଚିମରୁ ଦକ୍ଷିଣ ସବୁଠି ମଣ୍ଡି ତାତି ; ଚାଷଠୁ କଷ୍ଟ ହେଲାଣି ଧାନ ବିକ୍ରି

ବିଧାନସଭାରେ ହଟ୍ଟଗୋଳ ଚାଲିଛି, ମୁଖ୍ୟମନ୍ତ୍ରୀ ତାଗିଦ ସତ୍ବେ ବି ମଣ୍ଡି ସମସ୍ୟାରେ ସୁଧାର ଆସୁନି ।  ବରଗଡର ପଦ୍ମପୁର, ସମ୍ବଲପୁରର କୁଚିଣ୍ଡା କେନ୍ଦ୍ରାପଡା ବ୍ଲକର ଡେରାବିଶ ଅଂଚଳର ଦୃଶ୍ୟକୁ ଦେଖନ୍ତୁ । ଆଜି ବି ମଣ୍ଡି ଯନ୍ତ୍ରଣାରେ ପେଷି ହେଉଛନ୍ତି ଚାଷୀ । ଯୋଗାଣ ଓ ସମବାୟ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ମିଲରଙ୍କ ମନମାନି ଯୋଗୁଁ ଚାଷୀଙ୍କ ଧାନ ଉଠୁନି । ଲାଗୁଛି ଯେମିତି ବିଧାନସଭାକୁ କାହାର ଖାତିର ନାହିଁ ।  ବଡ କଥା ହେଉଛି ପୂର୍ବ ସରକାର ସମୟରେ ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିଲା । ସରକାର ବଦଳିବା ପରେ, ଇନପୁଟ୍ ସବସିଡି ମିଳୁଛି ସତ, ହେଲେ ଧାନ ବିକିବା ପାଇଁ ନିଇତି ଯନ୍ତ୍ରଣା ଭୋଗୁଛି ଅନ୍ନଦାତା । ଏବେ ପ୍ରଶ୍ନ ଉଠୁଛି, ଚାଷୀଙ୍କ ପାଇଁ ବାସ୍ତବରେ କାନ୍ଦୁଛି କିଏ ?