କନକ ବ୍ୟୁରୋ : ସମୁଦ୍ର ମାଡ଼ି ଆସିବାରୁ ଭିଟାମାଟି ଛାଡ଼ିଥିଲେ ସାତଭାୟାବାସୀ । ସରକାର ଦେଖାଇଥିଲେ ଅନେକ ସ୍ବପ୍ନ । ହେଲେ ସ୍ୱପ୍ନ ପୂରଣ ହେବା ତ ଦୂରର କଥା, ପଦାରେ ପଡ଼ିଛି ନିରକ୍ଷରତା ଓ ବାଲ୍ୟ ବିବାହ ଭଳି ବିକଳ ଚିତ୍ର । ବଗପାଟିଆ ଓ ମଗରକନ୍ଦାର ଦୟନୀୟ ସ୍ଥିତି ସଂପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସରକାରଙ୍କୁ ଦୋଷ ଦେଇଛନ୍ତି ସ୍ଥାନୀୟ ବିଧାୟକ । ଅନ୍ୟପକ୍ଷରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଆଗକୁ ଆସିବ ନୂଆ ଆଇନ । 

Advertisment

୯ ବର୍ଷ ହେବ ସ୍କୁଲ ମାଟି ମାଡ଼ିନାହାନ୍ତି ପ୍ରାୟ ୧୦୦ ଜଣ ପିଲା । ଅ ଆ ଲେଖି ଜାଣିନାହାନ୍ତି ୧୦ ବର୍ଷର ଶିଶୁ । କୁମ୍ଭୀର ସାଲୁବାଲୁ ନଈ ଡେଇଁ ପହଞ୍ଚିପାରୁନି ଶିକ୍ଷା । ଆଉ ସେପଟେ ଅଶିକ୍ଷାର ଅନ୍ଧାରରେ ବଢ଼ିଛି 'ଦାଦନ' ପ୍ରାଦୁର୍ଭାବ । କାୟା ମେଲାଇଛି ବାଲ୍ୟ ବିବାହ ଭଳି କୁପ୍ରଥା । ସାତଭାୟାର ସାଂଘାତିକ ସତ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଅଞ୍ଚଳର ମଗରକନ୍ଦା ଓ ବଗପାଟିଆ ଅଞ୍ଚଳର ବିକଳ ଚିତ୍ର କନକ ନ୍ୟୁଜରେ ପ୍ରସାରଣ ପରେ, ସ୍ୱର ଶାଣିତ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିଜେଡି ନେତା ଧ୍ରୁବଚରଣ ସାହୁ । ଦାରିଦ୍ର୍ୟ ଓ ଜୀବୀକାର ଅଭାବକୁ ଏହାର ମୁଖ୍ୟ କାରଣ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ---ସମୁଦ୍ର ଗିଳିଦେଉଛି ବୋଲି ଚର୍ଚ୍ଚାରେ ରହିଛି ସାତଭାୟା; ଏବେ କିନ୍ତୁ ସାତଭାୟା ମୁଣ୍ଡରେ ଲାଗିଛି ବାଲ୍ୟବିବାହ କଳଙ୍କ

ରାଜ୍ୟ ରାଜନୀତିରେ ଗୁରୁତ୍ୱ ରଖୁଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ, ଏବେ ଏମିତି ବି ଗାଁ ଅଛି ଶୁଣିଲେ, ଉପହାସ ଲାଗୁଛି ବିକଶିତ ଓଡ଼ିଶା ବନିବାର ସ୍ୱପ୍ନ । ସ୍ୱାଧୀନତାର ୭ ଦଶନ୍ଧି ପରେ ବି ବିକାଶଠୁ କୋଶେ ଦୂରରେ ଏ ଅଞ୍ଚଳ । ରାଜ୍ୟରେ ସରକାର ବଦଳିଲା, ଏବେ ବଦଳିବ କି ସାତଭାୟାର ସ୍ଥିତି ? ବଦଳିବ କି ସମୁଦ୍ର ପାଇଁ ଭିଟାମାଟି ଛାଡ଼ିଥିବା ବିସ୍ଥାପିତଙ୍କ ଭାଗ୍ୟ? ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି- ନଦୀ ଗର୍ଭକୁ ଜମି ଚାଲିଗଲେ, ତା ବଦଳରେ କ୍ଷତିଗ୍ରସ୍ତଙ୍କୁ ଅନ୍ୟତ୍ର ଜମି ଦେବାକୁ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି । ଏବେ ଅପେକ୍ଷା କେବେ ବଦଳୁଛି ସାତଭାୟାବାସୀଙ୍କ ଭାଗ୍ୟ ।